ପାକିସ୍ତାନ ଶିବିରରେ ବଡ଼ ହଲଚଲ୍, ମ୍ୟାଚ୍ ଫିକ୍ସିଂ ସନ୍ଦେହରେ ଖେଳାଳିଙ୍କ ମୋବାଇଲ୍ ଜବତ୍

 ଏଜବାଷ୍ଟନରେ ତୃତୀୟ ଟେଷ୍ଟ ପୂର୍ବରୁ PCBର କଡ଼ା କାର୍ଯ୍ୟାନୁଷ୍ଠାନ, ବଢ଼ିଲା ବେଟିଂ ଚିନ୍ତା

୬ ସେପ୍ଟେମ୍ବର: ଇଂଲଣ୍ଡ ଗସ୍ତରେ ଥିବା ପାକିସ୍ତାନ କ୍ରିକେଟ୍ ଦଳକୁ ନେଇ ବଡ଼ ହଲଚଲ୍। ଏଜବାଷ୍ଟନରେ ତୃତୀୟ ତଥା ଶେଷ ଟେଷ୍ଟ ପୂର୍ବରୁ କିଛି ପାକିସ୍ତାନୀ ଖେଳାଳିଙ୍କ ମୋବାଇଲ୍ ଫୋନ୍ ନିଜ ହେପାଜତକୁ ନେଇଛି ପାକିସ୍ତାନ କ୍ରିକେଟ୍ ବୋର୍ଡ (PCB)। ସୂଚନା ଅନୁଯାୟୀ, ଶେଷ ଟେଷ୍ଟ ମ୍ୟାଚ୍ ଶେଷ ହେବା ପର୍ଯ୍ୟନ୍ତ ଏହି ଫୋନ୍ ଗୁଡ଼ିକ PCB ପାଖରେ ରହିବ। ତେବେ କେଉଁ ଖେଳାଳିଙ୍କ ଫୋନ୍ ନିଆଯାଇଛି ଏବଂ କେଉଁ କାରଣରୁ ନିଆଯାଇଛି, ସେନେଇ ବୋର୍ଡ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟୀକରଣ ମିଳିନାହିଁ। ଫୋନ୍ ଜବତ ପରେ ମ୍ୟାଚ୍ ଫିକ୍ସିଂ ଏବଂ ବେଟିଂକୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ଏହି ଘଟଣା ପରେ ପାକିସ୍ତାନ ଶିବିରରେ ଅସନ୍ତୋଷ ବୃଦ୍ଧି ପାଇଛି। ସୂତ୍ର ଅନୁସାରେ, ଆଇସିସିର ଆଣ୍ଟି-କରପ୍ସନ୍ ନିୟମ ଅନୁସାରେ ଦୁର୍ନୀତି ସମ୍ପର୍କିତ ତଦନ୍ତରେ ଅଧିକୃତ ଅଧିକାରୀ ଖେଳାଳିଙ୍କ ଡିଭାଇସ୍ ଯାଞ୍ଚ କରିପାରନ୍ତି। ତେବେ PCB ଏହି ଫୋନ୍ କେଉଁ ନିୟମ ଆଧାରରେ ନେଇଛି, ତାହା ସ୍ପଷ୍ଟ ହୋଇନାହିଁ । ଏପର୍ଯ୍ୟନ୍ତ କୌଣସି ପାକିସ୍ତାନୀ ଖେଳାଳିଙ୍କ ବିରୋଧରେ ମ୍ୟାଚ୍ ଫିକ୍ସିଂ, ବେଟିଂ କିମ୍ବା ଦୁର୍ନୀତି ନେଇ ଔପଚାରିକ ଅଭିଯୋଗ ଆସିନାହିଁ। ଅନ୍ୟପଟେ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ପାକିସ୍ତାନ ୦-୨ରେ ପଛୁଆ ରହିଛି। ଶେଷ ଟେଷ୍ଟ ପୂର୍ବରୁ ମୋବାଇଲ୍ ଜବତ ଘଟଣା ଦଳର ମନୋବଳ ଉପରେ ପ୍ରଭାବ ପକାଇପାରେ ବୋଲି କ୍ରୀଡ଼ା ସମୀକ୍ଷକମାନେ ମତ ଦେଇଛନ୍ତି।

Leave a Reply

Your email address will not be published. Required fields are marked *