ଭୁବନେଶ୍ୱର, ୦୬/୦୯/୨୦୨୬ : ରାଜ୍ୟ ସରକାରଙ୍କ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଯୋଜନା (GSSBY) କୁ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ନବୀକରଣ କରାଯାଇଛି।
ଏ ସମ୍ପର୍କରେ ବିଭାଗର ଉପ-ନିର୍ଦ୍ଦେଶକ ଶ୍ରୀ ଅଶ୍ୱିନୀ କୁମାର ଭୋଇ (OIS-I) ସମସ୍ତ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ (DI&PRO) ମାନଙ୍କୁ ଚିଠି ଜାରି କରିଛନ୍ତି। ଫାଇଲ ନମ୍ବର- IPR-PM-MISC-0015-2026, ଲେଟର ନମ୍ବର-୧୪୨୬୮, ତା ୦୫/୦୯/୨୦୨୬।
ଚିଠି ଅନୁଯାୟୀ, ୨୦୨୫-୨୬ ବର୍ଷରେ ଏହି ଯୋଜନାରେ ସାମିଲ ହୋଇଥିବା ୭,୮୭୬ ଜଣ କାର୍ଯ୍ୟରତ ସାମ୍ବାଦିକଙ୍କ ସ୍ୱାସ୍ଥ୍ୟ ବୀମାକୁ ଆସନ୍ତା ଏକ ବର୍ଷ ଅର୍ଥାତ ୦୧.୦୯.୨୦୨୬ ରୁ ୩୧.୦୮.୨୦୨୭ ପର୍ଯ୍ୟନ୍ତ ନବୀକରଣ କରାଯାଇଛି।
ଏଥି ସହିତ ବିଭାଗ ପକ୍ଷରୁ ଜିଲ୍ଲା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଯେ, ଯଦି ଉକ୍ତ ତାଲିକାରେ ଥିବା କୌଣସି ସାମ୍ବାଦିକଙ୍କର ମଧ୍ୟବର୍ତ୍ତୀ ସମୟରେ ଦେହାନ୍ତ ହୋଇଥାଏ ବା ସେ ସାମ୍ବାଦିକତା ପେଶା ଛାଡିଥାନ୍ତି, ତେବେ ତାଙ୍କ ତଥ୍ୟ ଯାଞ୍ଚ କରି ତାଲିକାରୁ ବାଦ ଦେବା ପାଇଁ ବିଭାଗକୁ ଜଣାଇବେ।
ଏହା ବ୍ୟତୀତ, ୨୦୨୫ ବର୍ଷ ପର୍ଯ୍ୟନ୍ତ ଏହି ଯୋଜନାରେ ସାମିଲ ଥାଇ ଭୁଲ ବଶତଃ ବା ଯାନ୍ତ୍ରିକ ତ୍ରୁଟି ହେତୁ ବାଦ ପଡିଥିବା ଏବଂ ୨୦୨୫-୨୬ ରେ ନିରନ୍ତର ସାମ୍ବାଦିକତା କରିଆସୁଥିବା ସାମ୍ବାଦିକମାନଙ୍କୁ ପୁନର୍ବାର ସାମିଲ କରିବା ପାଇଁ ବିଚାର କରାଯିବ ବୋଲି ଚିଠିରେ ଉଲ୍ଲେଖ କରାଯାଇଛି। ଏଥିପାଇଁ ଜିଲ୍ଲା ପ୍ରଶାସନର ସୁପାରିସ ସହ ଯଥାର୍ଥ କାରଣ ଦର୍ଶାଇ ତଥ୍ୟ ପ୍ରଦାନ କରିବାକୁ କୁହାଯାଇଛି।
