୪ବର୍ଷ ତଳର ପ୍ରତିଶୋଧ ପାଇଁ ଓହ୍ଲାଇବ ଭାରତ: ଜାଣନ୍ତୁ ବର୍ଷା ହେଲେ କିଏ ଯିବ ଫାଇନାଲ୍, ରିଜର୍ଭ ଡେ’ ପାଇଁ କଣ ରହିଛି ବ୍ୟବସ୍ଥା…

ଆଉ ମାତ୍ର କେଇ ଘଣ୍ଟାର ଅପେକ୍ଷା। ବିଶ୍ୱକପର ବହୁ ପ୍ରତୀକ୍ଷିତ ସେମିଫାଇନାଲ ମ୍ୟାଚ ପାଇଁ ଭାରତ ଓ ନ୍ୟୁଜିଲାଣ୍ଡ ଦଳ ସମ୍ପୂର୍ଣ୍ଣ ପ୍ରସ୍ତୁତ। ଏହି ପ୍ରତୀକ୍ଷିତ ମ୍ୟାଚ୍‌ ମୁମ୍ବାଇର ୱାଙ୍ଖେଡ଼େ ଷ୍ଟାଡିୟମ୍‌ରେ ବୁଧବାର ଅପରାହ୍ନ ୨ଟାରେ ଖେଳାଯିବ। ତେବେ ୨୦୧୯ ବିଶ୍ୱକପ ସେମିଫାଇନାଲ୍‌ର ପ୍ରତିଶୋଧ ଭାରତ ନେଇ ପାରୁଛି ନାଁ ୨୦୧୯ ବିଶ୍ୱକପ ସେମିର ପୁନରାବୃତ୍ତି ହେଉଛି ତାହା ଦେଖିବାକୁ ବାକି ରହିଛି। ଆଇସିସି ପ୍ରତିଯୋଗିତାରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତର ରେକର୍ଡ ଅତ୍ୟାନ୍ତ ନୈରାଶ୍ୟଜନକ ରହି ଆସିଛି। ସବୁବେଳେ ଭାରତ ସ୍ୱପ୍ନକୁ ଧୂଳିସାତ କରିବାରେ ସକ୍ଷମ ହୋଇଛି ନ୍ୟୁଜିଲାଣ୍ଡ। ୪ବର୍ଷ ତଳେ ଇଂଲଣ୍ଡରେ ଖେଳାଯାଇଥିବା ବିଶ୍ୱକପର ସେମିଫାଇନାଲ୍‌ ମୁକାବିଲାକୁ ୧୮ ରନ୍‌ରେ ଜିତି ନ୍ୟୁଜିଲାଣ୍ଡ ଭାରତକୁ ବିଶ୍ୱକପରୁ ବିଦା କରିଥିଲା। କେବଳ ଏତିକି ନୁହେଁ ୨୦୨୧ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ଓ ୨୦୨୧ ଟି-୨୦ ବିଶ୍ୱକପରେ ମଧ୍ୟ ଭାରତକୁ ଚକମା ଦେଇଥିଲା ନ୍ୟୁଜିଲ୍ୟାଣ୍ଡ। ନ୍ୟୁଜିଲ୍ୟାଣ୍ଡ ପାଇଁ ଭାରତ ଅନେକ ଥର ଟ୍ରଫିର ଅତି ନିକଟକୁ ଆସି ହାରି ଯାଇଛି। ଏଥର ଘରୋଇ ପରିବେଶରେ ଭାରତ ପ୍ରତିଶୋଧ ନେବାର ସୁଯୋଗ ରହିଛି।  ୧୨ ବର୍ଷ ତଳେ ମୁମ୍ବାଇର ଏହି ୱାଙ୍ଖେଡେ ଷ୍ଟାଡିୟମରେ ମହେନ୍ଦ୍ର ସିଂହ ଧୋନି ଛକା ମାରି ଭାରତକୁ ବିଶ୍ୱ ବିଜେତା କରିଥିଲେ। ଏବେ ପୁଣି ସେହି ୱାଙ୍ଖେଡେ ଷ୍ଟାଡ଼ିୟମରେ ଭାରତ ଚଳିତ ବିଶ୍ୱକପର ସବୁଠାରୁ ବଡ଼ ମୁକାବିଲା ଖେଳିବାକୁ ଯାଉଛି। କାରଣ ଏଯାଏ ଅପରାଜେୟ ଥିବା ଟିମ ଇଣ୍ଡିଆ ଯଦି ତା’ର ଶ୍ରେଷ୍ଠ ପ୍ରଦର୍ଶନ ନ ଦେବ, ତା’ହେଲେ ବିଶ୍ୱକପରୁ ବିଦାୟ ନେବ। ଆଇସିସି ଟୁର୍ଣ୍ଣାମେଣ୍ଟରେ ନ୍ୟୁଜିଲାଣ୍ଡ ସର୍ବଦା ଭାରତ ପାଇଁ କଣ୍ଟା ସାବ୍ୟସ୍ତ ହୋଇ ଆସିଛି। ଦିନିକିଆ ବିଶ୍ୱକପରେ ଏପର୍ଯ୍ୟନ୍ତ ଦୁଇ ଦଳ ୧୦ ଥର ମୁହାଁମୁହିଁ ହୋଇଥିବା ବେଳେ ନ୍ୟୁଜିଲ୍ୟାଣ୍ଡ ୫ ଥର ଓ ଭାରତ ୪ ଥର ବିଜୟୀ ହୋଇଛି । ଗୋଟିଏ ମ୍ୟାଚ୍ ବିନା ଫଳାଫଳରେ ବାତିଲ ହୋଇଛି। ଅବଶ୍ୟ ଏଥର ବିଶ୍ୱକପ ଲିଗ୍ ପର୍ଯ୍ୟାୟରେ ଭାରତ ନ୍ୟୁଜିଲାଣ୍ଡକୁ ହରାଇଥିଲା । ଭାରତ ୨୦ ବର୍ଷ ପରେ ବିଶ୍ୱକପରେ କିଓ୍ୱି ଟିମକୁ ହରାଇଥିଲା। ମୁମ୍ବାଇରେ ଭାରତର ଭଲ ରେକର୍ଡ ରହିଛି। ଓ୍ୱାଙ୍ଖେଡେ ଷ୍ଟାଡିୟମରେ ଭାରତ ଏପର୍ଯ୍ୟନ୍ତ ୨୧ଟି ମ୍ୟାଚ୍ ଖେଳିଥିବା ବେଳେ ୧୨ଟି ମ୍ୟାଚ୍ ଜିତିଛି ଓ ୯ଟିରେ ହାରିଛି। ଆଇସିସି ଇଭେଣ୍ଟରେ କେବଳ ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତର ରେକର୍ଡ ଭଲନାହିଁ ତା ନୁହେଁ,  ଶେଷ ଦଶ ବର୍ଷରେ କୌଣସି ଆଇସିସି ଇଭେଣ୍ଟରେ ମଧ୍ୟ ଭାରତର ପ୍ରଦର୍ଶନ ବହୁତ ଖରାପ ରହିଛି। ଗତ ଦଶ ବର୍ଷରେ ଭାରତ ୯ଟି ଆଇସିସି ଇଭେଣ୍ଟରେ ୮ ଥର ନକଆଉଟ ରାଉଣ୍ଡରୁ ମ୍ୟାଚ ହାରି ପ୍ରତିଯୋଗିତାରୁ ବିଦା ହୋଇଛି ଏବଂ ଗୋଟିଏ ଫାଇନାଲ ମ୍ୟାଚରେ ହାରି ଟ୍ରଫିରୁ ବଞ୍ଚିତ ହୋଇଛି। ଏହି ୧୦ ବର୍ଷ ମଧ୍ୟରେ ଭାରତକୁ କୌଣସି ଆଇସିସି ଟ୍ରଫି ମିଳିପାରିନାହିଁ। ଏପରି ସ୍ଥିତିରେ ନ୍ୟୁଜିଲାଣ୍ଡ ବିପକ୍ଷ ସେମିଫାଇନାଲ ଭାରତ ପାଇଁ ବହୁ ଗୁରୁତ୍ୱ ବହନ କରୁଛି।

ସେପଟେ ବୁଧବାର ୱାଙ୍ଖେଡେରେ ଆଉ ଏକ ହାଇ ସ୍କୋରିଂ ମ୍ୟାଚ ଦେଖିବାକୁ ମିଳିବ ବୋଲି ଆଶା କରାଯାଉଛି। ଏହି ଷ୍ଟାଡିୟମ୍‌‌ରେ ଚଳିତ ବିଶ୍ୱକପରେ ଏପର୍ଯ୍ୟନ୍ତ ୪ଟି ମ୍ୟାଚ୍‌‌ ଖେଳାଯାଇଛି। ଏହା ମଧ୍ୟରୁ ପ୍ରଥମେ ବ୍ୟାଟିଂ କରିଥିବା ଦଳ ୩ଥର ୩୫୦ରୁ ଅଧିକ ରନ୍‌‌ କରିଛି। ଏଠାରେ ଖେଳାଯାଇଥିବା ଶେଷ ମ୍ୟାଚ୍‌‌ରେ ଉଭୟ ଆଫଗାନିସ୍ତାନ ଓ ଅଷ୍ଟ୍ରେଲିଆ ୨୯୦ରୁ ଅଧିକ ରନ୍‌‌ କରିଥିଲେ। ଏଥିରେ ମ୍ୟାକ୍ସୱେଲଙ୍କ ଅପରାଜିତ ୨୦୧ ରନ୍‌‌ ବଳରେ ଅଷ୍ଟ୍ରେଲିଆ ଅବିଶ୍ୱସନୀୟ ବିଜୟ ହାସଲ କରିଥିଲା। ଏହି ୪ଟି ମୁକାବିଲାରୁ ପ୍ରଥମେ ବ୍ୟାଟିଂ କରିଥିବା ଦଳ ୩ଟିରେ ଓ ପିଛା କରିଥିବା ଦଳ ଗୋଟିଏ ମ୍ୟାଚ୍‌‌ରେ ବିଜୟୀ ହୋଇଛି। ବୁଧବାର ଭାରତ ଓ ନ୍ୟୁଜିଲାଣ୍ଡ ମୁକାବିଲାରେ ଏଭଳି ଆଉ ଏକ ହାଇସ୍କୋରିଂ ମୁକାବିଲା ହେବାର ସମ୍ଭାବନାକୁ ଆଦୌ ଏଡାଇଦେଇ ହେବ ନାହିଁ।

ଅନ୍ୟପଟେ  ବୁଧବାର ଭାରତ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ସେମିଫାଇନାଲ ମ୍ୟାଚରେ ବର୍ଷା ହେବାର ସମ୍ଭାବନା ରହିଛି । ଏହା ପୂର୍ବରୁ ଗତ ବିଶ୍ୱକପ ସେମିଫାଇନାଲରେ ମଧ୍ୟ ବର୍ଷା ହୋଇଥିଲା । ସେତେବେଳେ ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ମ୍ୟାଚ ରିଜର୍ଭ ଡେ’କୁ ଯାଇଥିଲା । ରିଜର୍ଭ ଡେ’ରେ ନ୍ୟୁଜିଲାଣ୍ଡ ଭାରତକୁ ପରାସ୍ତ କରିଥିଲା। ଏଥର ମଧ୍ୟ ଏହି ଦୁଇ ଦଳ ମଧ୍ୟରେ ସେମି ମ୍ୟାଚ ଖେଳାଯିବ । ଯଦି ୧୫ ନଭେମ୍ବରରେ ଖେଳାଯିବାକୁ ଥିବା ମ୍ୟାଚରେ ବର୍ଷା ହୁଏ , ତାହାଲେ ଏଥିପାଇଁ ଏକ ରିଜର୍ଭ ଡେ ରହିଛି। ଚଳିତ ବିଶ୍ୱକପରେ ଉଭୟ ୧୫ ଓ ୧୬ ରେ ଖେଳାଯିବାକୁ ଥିବା ଦୁଇଟି ସେମିଫାଇନାଲ ଓ 19 ତାରିଖରେ ଖେଳାଯିବାକୁ ଥିବା ଫାଇନାଲ୍ ମ୍ୟାଚ ପାଇଁ ଆଇସିସି ରିଜର୍ଭ ଡେ’ ରଖିଛି। ଏଭଳି ପରିସ୍ଥିତିରେ ଯଦି ଭାରତ ଏବଂ ନ୍ୟୁଜିଲାଣ୍ଡ ମ୍ୟାଚ ସମୟରେ ୧୫ ନଭେମ୍ବରରେ ବର୍ଷା ହୁଏ ଏହା ରିଜର୍ଭ ଡେରେ ଖେଳାଯିବ।  ରିଜର୍ଭ ଡେ ରେ ଯଦି ମ୍ୟାଚ୍ ଖେଳାଯାଇ ନପାରେ ତେବେ ପଏଣ୍ଟ ଟେବୁଲରେ ଅଧିକ ଅଙ୍କ ପାଇଥିବା ଦଳ ଭାରତ ସିଧାସଳଖ ଫାଇନାଲକୁ ଯିବ।

Leave a Reply

Your email address will not be published. Required fields are marked *