ଭୁବନେଶ୍ୱରରେ ହେବ ବିଶ୍ୱସ୍ତରୀୟ ବ୍ୟାଡମିଣ୍ଟନ ଏକାଡେମୀ। ଏଇଠୁ ବାହାରିବେ ବିଶ୍ୱସ୍ତରୀୟ ବ୍ୟାଡମିଣ୍ଟନ ଖେଳାଳି। ସିନ୍ଧୁ, ସାଇନାଙ୍କ ପରି ଅନେକ ବଡ଼ ବଡ଼ ଖେଳାଳି ଆସି ନୂଆ ପ୍ରତିଭାଙ୍କୁ ଟ୍ରେନିଂ ଦେବା ସହ ସେମାନଙ୍କୁ ଉତ୍ସାହିତ କରିବେ। ଖେଳାଳିମାନଙ୍କୁ ସମସ୍ତ ପ୍ରକାରର ବିଶ୍ୱସ୍ତରୀୟ ଟ୍ରେନିଂ ପ୍ରଦାନ କରାଯିବ। ଆସନ୍ତା ଡିସେମ୍ବରରୁ ଏକାଡେମୀ ପାଇଁ କାମ ଆରମ୍ଭ ହୋଇ ବର୍ଷକ ମଧ୍ୟରେ ସରିବ ବୋଲି ଧାର୍ଯ୍ୟ ହୋଇଛି। ଏଥିଲାଗି ୩୦ କୋଟି ଟଙ୍କା ଖର୍ଚ୍ଚ ହେବ। ଗୋପୀଚାନ୍ଦ ଏକାଡେମୀର ପ୍ରତିଷ୍ଠାତା ପୂଲେଲା ଗୋପିଚାନ୍ଦ ଓ ଡାଲମିଆ ଗ୍ରୁପ ପକ୍ଷରୁ ପୁନିତ ଡାଲମିଆ ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି। ଏହି ଏକାଡେମୀ ପ୍ରତିଷ୍ଠା ପାଇଁ କଳିଙ୍ଗ ଷ୍ଟାଡିୟମରେ ୧୦ଟି କୋର୍ଟ ନିର୍ମାଣ କରାଯିବ।
ଡାଲମିଆ ଗ୍ରୁପ ସମସ୍ତ ଖର୍ଚ୍ଚ ବହନ କରିବ ଓ ପରିଚାଳନା ଖର୍ଚ୍ଚ ଗୋପୀଚାନ୍ଦ ଫାଉଣ୍ଡେସନ ବହନ କରିବ। ରାଜ୍ୟ ସରକାର ଜମି ଲିଜରେ ଯୋଗାଇ ଦେବେ । ଅସ୍ଥାୟୀ ଭାବେ ଆସନ୍ତା ଫେବ୍ରୁଆରୀରୁ ଟ୍ରେନିଂ ଆରମ୍ଭ ହେବ। ୨୦୨୦ ଡିସେମ୍ବର ସୁଦ୍ଧା ସମସ୍ତ କାମ ଶେଷ ହେବ ବୋଲି ଜଣାପଡ଼ିଛି।