ଶେଷରେ କର୍ଣ୍ଣାଟକରେ କୁମାରସ୍ୱାମୀ ସରକାରର ପତନ ହେଲା। ଦୀର୍ଘଦିନ ଧରି ଚାଲିଥିବା ରାଜନୈତିକ ଡ୍ରାମାର ପରିସମାପ୍ତି ମଙ୍ଗଳବାର ହୋଇଛି। ମଙ୍ଗଳବାର ମୁଖ୍ୟମନ୍ତ୍ରୀ ଏଚ୍.ଡି କୁମାରସ୍ୱାମୀ ଆସ୍ଥା ଭୋଟ ଜିତିବାରେ ବିଫଳ ହେବା ପରେ ଆସ୍ଥା ଭୋଟ ନାଟକରେ ଯବନିକା ପଡ଼ିଛି। ଆସ୍ଥା ଭୋଟରେ ହାରିବା ଯୋଗୁ ଭାଙ୍ଗିଛି ମେଣ୍ଟ ସରକାର। ଆସ୍ଥା ଭୋଟରେ ଭାଜପା ପକ୍ଷକୁ ୧୦୫ଟି ଭୋଟ ଆସିଥିବା ବେଳେ କଂଗ୍ରେସ-ଜେଡିଏସ୍ ସପକ୍ଷରେ ମିଳିଥିଲା ମାତ୍ର ୯୯ଟି ଭୋଟ । ୧୬ ବିଦ୍ରୋହୀ ବିଧାୟକଙ୍କ ଇସ୍ତଫା ପରେ କଂଗ୍ରେସ ଓ ଜେଡିଏସ ସରକାର ବହୁମତ ହରାଇଥିଲା । ଏହାପରେ ବିରୋଧୀ ବିଜେପି ଆସ୍ଥା ଭୋଟ ପାଇଁ ଦାବି କରିଥିଲା। ଗତ କିଛି ଦିନ ହେବ କଂଗ୍ରେସ-ଜେଡିଏସ୍ ଆସ୍ଥା ଭୋଟ୍ ଘୁଞ୍ଚାଇବାକୁ ବହୁବାର ଚେଷ୍ଟା କରିଥିଲେ। ଏହାସହ ରାଜ୍ୟପାଳଙ୍କ ଦ୍ୱାରା ଗୃହରେ ଆସ୍ଥା ଭୋଟକୁ ନେଇ ଦିଆଯାଇଥିବା ଦୁଇଟି ଡେଡ ଲାଇନର ସମୟସୀମା ମଧ୍ୟ ଶେଷ ହୋଇଥିଲା। ଏହାପରେ ମଙ୍ଗଳବାର ସନ୍ଧ୍ୟା 6ଟା ସୁଦ୍ଧା ବାଚସ୍ପତି ଯେମିତି ହେଲେ ଆସ୍ଥା ଭୋଟ କରାଇବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଆସ୍ଥା ଭୋଟ ନକରାଇ ପାରିଲେ ଇସ୍ତଫା ଦେବେ ବୋଲି ବାଚସ୍ପତି କହିଥିଲେ । ବାଚସ୍ପତି ନିଜେ ଇସ୍ତଫା ପତ୍ର ଧରି ବିଧାନସଭାରେ ପହଞ୍ଚିଥିଲେ । ଆସ୍ଥା ଭୋଟ କରାଇନପାରିଲେ ନିଜେ ଇସ୍ତଫା ଦେଇଦେବେ ବୋଲି ନିସ୍ପତ୍ତି ନେଇଥିଲେ।