ମୁଣ୍ଡ ଉପରେ ହରିଆନା ଓ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ। ରଜାନୀତି ଦୃଷ୍ଟିକୋଣରୁ ଏହି ଦୁଇଟି ରାଜ୍ୟ ବେଶ ଗୁରୁତ୍ୱପୂର୍ଣ୍ଣ। ନିର୍ବାଚନକୁ ଆଉ ଦିନ କେଇଟା ବାକି ଥିବା ବେଳେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି ଶନିବାର ଠାରୁ କୁଆଡ଼େ ଉଭାନ ହୋଇଯାଇଛନ୍ତି। କୁହାଯାଉଛି ସେ ବ୍ୟାଙ୍ଗକକ୍ ଯାଇଛନ୍ତି। ଯାହାକୁ ନେଇ ବିପକ୍ଷ ଦଳ କଥା ଛାଡନ୍ତୁ ନିଜ ଦଳରୁ ମଧ୍ୟ ପ୍ରଶ୍ନ ଉଠିବାରେ ଲାଗିଲାଣି। ଅନ୍ୟପଟେ ରାହୁଲ ଗାନ୍ଧିଙ୍କ ବ୍ୟାଙ୍ଗକକ୍ ଯିବା ଖବର ଏବେ ସୋଶାଲ ମିଡିଆରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି। ପୂର୍ବରୁ ମଧ୍ୟ ୨୦୧୫ରେ ବିଧାନସଭା ନିର୍ବାଚନ ବେଳେ ବିଦେଶ ଗସ୍ତ କରି ଚର୍ଚ୍ଚାକୁ ଆସିଥିଲେ ରାହୁଲ୍। ଅକ୍ଚୋବର ୨୧ରେ ହରିଆନା ଏବଂ ମହାରାଷ୍ଟ୍ରରେ ଭୋଟ୍ ହେବ। ଏହାର ଫଳାଫଳ ୨୪ରେ ପ୍ରକାଶ ପାଇବ। ଏପରି ସ୍ଥିତିରେ କଂଗ୍ରେସ କନ୍ଦଳ ମଧ୍ୟ ଉଗ୍ର ରୂପ ନେଇଛି। ଟିକେଟ ବଣ୍ଟାକୁ ନେଇ ହରିଆନା କଂଗ୍ରେସର ପୂର୍ବତନ ସଭାପତି ଅଶୋକ ତନଓ୍ୱର ଦଳରୁ ଇସ୍ତଫା ଦେଇଛନ୍ତି। ଏହାପୂର୍ବରୁ ମହାରାଷ୍ଟ୍ର କଂଗ୍ରେସର ଆଗ ଧାଡ଼ିର ନେତା ସଞ୍ଜୟ ନିରୁପମ ଦଳ ଉପରେ ଅସନ୍ତୋଷ ପ୍ରକାଶ କରି ଦଳ ଛାଡିବାକୁ ଚେତାବନୀ ଦେଇସାରିଛନ୍ତି। ନିର୍ବାଚନ ବେଳେ ଦଳର ପ୍ରମୁଖ ନେତା ଅସନ୍ତୋଷ ହୋଇ ଦଳ ଛାଡ଼ିବା ସହ ଦଳ ଭିତରର ଅନେକ ଫାଟ ସୃଷ୍ଟି ହୋଇଥିବା ଦେଖିବାକୁ ମିଲିଛି। ଏପରି ସମୟରେ ରାହୁଲ ଗାନ୍ଧୀଙ୍କ ଗାଏବ ହୋଇଯିବା ଖବର ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି।