ରାଜନୀତି ବିଦ୍ୱେଷକୁ ଭୁଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବୁଧବାର ଭେଟିଛନ୍ତି। ମୋଦିଙ୍କୁ ଭେଟି ମମତା କୁର୍ତ୍ତା ଓ ମିଠା ଉପହାର ଦେଇଛନ୍ତି। ଏଥିସହ ସେ ମୋଦିଙ୍କୁ ପଶ୍ଚିମବଙ୍ଗ ଯିବା ପାଇଁ ମଧ୍ୟ ନିମନ୍ତ୍ରଣ କରିଛନ୍ତି। ଅନ୍ୟପକ୍ଷରେ ରାଜ୍ୟ ପାଇଁ ୧୩,୫୦୦ କୋଟି ଟଙ୍କା ପାଣ୍ଠି ଦେବାକୁ ଦାବି କରିଛନ୍ତି। ଏଥିସହ ପଶ୍ଚିମବଙ୍ଗର ନାଁ ପରିବର୍ତ୍ତନ ପ୍ରସଙ୍ଗରେ ମଧ୍ୟ ଦୁହେଁ ଚର୍ଚ୍ଚା କରିଥିବା ଜଣାପଡ଼ିଛି। ବୀରଭୂମ ଜିଲାରେ ଏକ ବୃହତ୍ କୋଇଲା ଖଣିର ଉଦ୍ଘାଟନ କରିବାକୁ ସେ ମୋଦିଙ୍କୁ ଅନୁରୋଧ କରିଛନ୍ତି। ତେବେ କିଛି ଦିନ ହେଲା ମୋଦି ଓ ମମତାଙ୍କ ଭିତରେ ଲାଗି ରହିଥିବା ତିକ୍ତତା ମଧ୍ୟରେ ଏହି ସାକ୍ଷାତ୍କାରକୁ ନେଇ ରାଜନୈତିକ ଚର୍ଚ୍ଚା ସୃଷ୍ଟି ହୋଇଛି। ମଙ୍ଗଳବାର ମୋଦିଙ୍କ ଜନ୍ମଦିନ ଅବସରରେ ତାଙ୍କୁ ମମତା ଟୁଇଟରରେ ଶୁଭେଚ୍ଛା ଜଣାଇଥିଲେ। ତେବେ ସୋମବାର ମୋଦିଙ୍କୁ ଭେଟିବା ପାଇଁ ସେ ସମୟ ମାଗିଥିଲେ। ପ୍ରଧାନମନ୍ତ୍ରୀଙ୍କ ସହିତ ସାକ୍ଷାତ ପରେ ମମତା ବାନାର୍ଜୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହିତ ଆଲୋଚନା ବହୁତ ଭଲ ଥିଲା। ଦ୍ଵିତୀୟ କାର୍ଯ୍ୟକାଳରେ ପ୍ରଧାନମନ୍ତ୍ରୀ ରୂପେ କାର୍ଯ୍ୟଭାର ସମ୍ଭାଳିବା ପରେ ତାଙ୍କୁ ମୁଁ ଭେଟିନଥିଲି।