ଇଣ୍ଡୋନେସିଆ ଜାକର୍ତ୍ତାରେ ହେବାକୁ ଥିବା ଏସିଆ ରଗ୍ବୀ ସେଭେନ୍ସ ଟ୍ରଫି ପାଇଁ ଭୁବନେଶ୍ୱରରେ ଭାରତୀୟ ପୁରୁଷ ଓ ମହିଳା ଦଳ ଘୋଷଣା ହୋଇଛି। ଉଭୟ ଦଳରେ ୧୨ ଜଣ ଲେଖାଏଁ ଖେଳାଳି ସ୍ଥାନ ପାଇଛନ୍ତି। ଓଡ଼ିଶା ପାଇଁ ଭାରତୀୟ ରଗ୍ବୀର ସ୍ତର ଓ ଲୋକପ୍ରିୟତା ବଢିବଢି ଚାଲିଛି। ଓଡ଼ିଶା ସରକାରଙ୍କ ସହଯୋଗରେ ଭାରତୀୟ ରଗ୍ବୀ ଆଜି ଏକ ସମ୍ମାନଜନକ ସ୍ଥିତିରେ ପହଞ୍ଚି ପାରିଛି। ଓଡ଼ିଶାରେ ରାଜ୍ୟସରକାର କ୍ରୀଡ଼ାକୁ ଯେଉଁଭଳି ଅଗ୍ରାଧିକାର ଦେଉଛନ୍ତି ତାହା ଦେଶରେ ଅନ୍ୟକୌଣସି ରାଜ୍ୟରେ ଦେଖିବାକୁ ମିଳେ ନାହିଁ ବୋଲି ରଗବୀ ଇଣ୍ଡିଆ ପକ୍ଷରୁ କୁହାଯାଇଛି। ଓଡ଼ିଶା ସରକାର ଭାରତୀୟ କ୍ରୀଡ଼ା ପାଇଁ ନେଉଥିବା ବିଭିନ୍ନ ପଦକ୍ଷେପକୁ ଅନେକ ପ୍ରଶଂସା କରିଥିଲେ ପୂର୍ବତନ ଭାରତୀୟ ରଗ୍ବୀ ଖେଳାଳି ତଥା ଅଭିନେତା ରାହୁଲ ବୋଷ ।
ଅନ୍ୟପଟେ ଆସନ୍ତା ୧୮ରୁ ୨୪ ମାସ ଭିତରେ ରଗ୍ବୀ ହାଇପର୍ଫର୍ମାନ୍ସ ସେଣ୍ଟର ଭୁବନେଶ୍ୱରରେ କାର୍ଯ୍ୟକ୍ଷମ ହେବ। ଏଠାରେ ବହୁ ପ୍ରତିଷ୍ଠିତ ପ୍ରଶିକ୍ଷକ ପ୍ରଶିକ୍ଷଣ ଦେବେ। ହାଇପର୍ଫର୍ମାନ୍ସ ସେଣ୍ଟରରେ ବଛାବଛା ଖେଳାଳି ରହିବାର ବ୍ୟବସ୍ଥା ହେବ। ସ୍ଥାନୀୟ ଖେଳାଳିଙ୍କୁ ମଧ୍ୟ ବହୁମାତ୍ରାରେ ସୁଯୋଗ ମିଳିବ ବୋଲି କ୍ରୀଡ଼ା ସଚିବ ବିଶାଲ ଦେବ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଏହି ହାଇପର୍ଫର୍ମାନ୍ସ ସେଣ୍ଟର ପାଇଁ ସ୍ଥାନ ଚିହ୍ନଟ ହୋଇସାରିଛି। ଏହି କଳିଙ୍ଗ ଷ୍ଟାଡ଼ିୟମ ପରିସରରେ ହିଁ ତାହା ନିର୍ମାଣ ହେବ। ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିବା କଥା କ୍ରୀଡ଼ା ସଚିବ କହିଛନ୍ତି। ସେହିଭଳି କ୍ରୀଡ଼ା ସଚିବ ବିଶାଲ ଦେବ ଭାରତୀୟ ଦଳ ପାଇଁ ମନୋନୀତ ହୋଇଥିବା ମହିଳା ଓ ପୁରୁଷ ଦଳର ଖେଳାଳିଙ୍କୁ ଅଭିନନ୍ଦନ ଜଣାଇଥିଲେ।
କଳିଙ୍ଗ ଷ୍ଟାଡିୟମରେ ସୋମବାର ଆୟୋଜିତ ଦଳ ଘୋଷଣା କାର୍ଯ୍ୟକ୍ରମରେ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା, କ୍ରୀଡ଼ା ସଚିବ ବିଶାଲ ଦେବ, ପୂର୍ବତନ ଭାରତୀୟ ରଗ୍ବି ଖେଳାଳି ତଥା ଅଭିନେତା ରାହୁଲ ବୋଷ, ଭାରତୀୟ ରଗ୍ବି ଦଳର ପୂର୍ବତନ ଅଧିନାୟକ ତଥା ରଗ୍ବୀ ଇଣ୍ଡିଆର ସାଧାରଣ ସଂପାଦକ ନାସିର ହୁସେନ, ଓଡ଼ିଶା ରଗ୍ବୀ ଫୁଟବଲ୍ ସଂଘର ସଂପାଦକ ଉପେନ୍ଦ୍ର ମହାନ୍ତି ଉପସ୍ଥିତି ଥିଲେ।