ଦିନକ ପରେ କେନ୍ଦ୍ରସରକାର ଅନକଲ୍-୩ ପାଇଁ ନୂଆ ନିୟମାବଳୀ ଆଣିବାକୁ ଯାଉଛନ୍ତି। ଅଗଷ୍ଟ ୧ ତାରିଖ ଠାରୁ ସାରା ଦେଶରେ ଅନକଲ୍-୩ ଲାଗୁ ହେବ। ସଂକ୍ରମଣ ରୋକିବା ଲାଗି ଅନକଲ୍-୩ରେ କିଛି ପରିବର୍ତ୍ତନ କରାଯିବାର ସମ୍ଭାବନା ଆଶାକରାଯାଉଛି। ଏଥିପାଇଁ ଅଙ୍କକଷ ସରିଛି । SOP ବି ଚୂଡ଼ାନ୍ତ ହୋଇସାରିଲାଣି । ତେବେ ଏହି ଅନଲକ୍-୩ରେ ସାମାଜିକ ଦୂରତ୍ୱ ସହ ସିନେମା ହଲ୍ ଓ ଜିମ୍ ଖୋଲିପାରେ ବୋଲି ଆଶା କରାଯାଉଛି। ସିନେମା ହଲ୍ ଖୋଲିବା ପ୍ରସଙ୍ଗରେ ଅନେକ ଥର ସିନେମା ହଲ୍ ମାଲିକଙ୍କ ସହ ଆଲୋଚନା କରିବା ପରେ ଏନେଇ ଗୃହ ମନ୍ତ୍ରଣାଳୟକୁ ଏକ ପ୍ରସ୍ତାବ ପଠାଇଛି ସୂଚନା ପ୍ରସାରଣ ମନ୍ତ୍ରଣାଳୟ। ସିନେମା ହଲ୍ ମାଲିକ ଓ ସେଠାରେ କାମ କରୁଥିବା ବ୍ୟକ୍ତିଙ୍କ ଜୀବିକାକୁ ଦୃଷ୍ଟିରେ ରଖି କୋଭିଡ଼ କଟକଣା ମଧ୍ୟରେ ଅଗଷ୍ଟ ୧ ତାରିଖରୁ ସିନେମା ହଲ୍ ଖୋଲିବାକୁ ଅନୁରୋଧ କରାଯାଇଛି। କୋରୋନା କଟକଣା ପାଇଁ ୪ ମାସରୁ ଅଧିକ ସମୟ ଧରି ସିନେମା ହଲ୍ କ୍ରମାଗତ ଭାବେ ବନ୍ଦ ଥିବାରୁ ସିନେମା ହଲ୍ ମାଲିକମାନେ କ୍ଷତି ସହିବା ସହ ବହୁତ କଷ୍ଟରେ ଥିବା ଜଣାଇଛନ୍ତି। ଏଥିସହ ସେମାନେ କହିଛନ୍ତି, ମାତ୍ର ୫୦ ପ୍ରତିଶତ ଦର୍ଶକଙ୍କ ସହ ଥିଏଟର ଆରମ୍ଭ କରିବାର ସପକ୍ଷରେ ଅଛନ୍ତି। ପ୍ରଥମ ପର୍ଯ୍ୟାୟରେ ୨୫ ପ୍ରତିଶତ ସିଟ୍ ସହିତ ହଲ୍ ଖୋଲିବା ଏବଂ ନିୟମାବଳୀ ପାଳନ ଦିଗରେ ସିନେମା ହଲ୍ ମାଲିକଙ୍କ ସହ ସୂଚନା ମନ୍ତ୍ରଣାଳୟ କଥା ହେବା ପରେ ଏନେଇ ଏକ ପ୍ରସ୍ତାବ ଗୃହ ମନ୍ତ୍ରଣାଳୟକୁ ପଠାଇଛି। ତେବେ ଏ ଦିଗରେ ଗୃହ ମନ୍ତ୍ରଣାଳୟ କଣ ନିଷ୍ପତ୍ତି ନେବ, ତା ଉପରେ ରହିଛି ସମସ୍ତଙ୍କ ନଜର। ସେହିପରି ସିନେମା ହଲ୍ ସହିତ ଜିମ୍ ଖୋଲିବାକୁ ମଧ୍ୟ ପ୍ରସ୍ତାବ ଦିଆଯାଇଛି। ଆଶା କରାଯାଉଛି ଏହି ଅନଲକ୍-୩ରେ କିଛି ସର୍ତ୍ତ ଓ ସାମାଜିକ ଦୂରତା ନିୟମ ସହିତ ଦେଶରେ ସିନେମା ହଲ୍ ଓ ଜିମ୍ ଖୋଲିବାକୁ ଅନୁମତି ଦିଆଯାଇପାରେ। ସିନେମା ହଲ୍ ଓ ଜିମ୍ ଖୋଲିବା ସହ ଅନଲକ୍-୩ରେ କିଛି ରାଜ୍ୟକୁ ରିହାତି ମିଳିପାରେ। ତେବେ ସ୍କୁଲ, କଲେଜ ଓ ମେଟ୍ରୋ ଯାତ୍ରା ପୂର୍ବପରି ବନ୍ଦ ରହିବ ବୋଲି ଅନୁମାନ କରାଯାଉଛି।