ଦେଶରେ ମହିଳା ଫୁଟବଲର ବିକାଶ ପାଇଁ ୧୭ ବର୍ଷରୁ କମ ମହିଳା ଫିଫା ବିଶ୍ୱକପ ପ୍ରତିଯୋଗିତା ଏକ ବଡ଼ ଭୂମିକା ନିର୍ବାହ କରିବାକୁ ଯାଉଛି। ଫିଫା ବିଶ୍ୱକପର ୫ମାସ ପୂର୍ବରୁ ଏଭଳି ବୟାନ ଦେଇଛନ୍ତି ଦେଶର କ୍ରୀଡ଼ାମନ୍ତ୍ରୀ କିରନ ରିଜୁଜୁ। ସେ କହିଛନ୍ତି ୧୭ ବର୍ଷରୁ କମ ମହିଳା ଫିଫା ବିଶ୍ୱକପ ଅନେକ ନୂଆ ପ୍ରତିଭାଙ୍କୁ ପ୍ରଭାବିତା କରିବ, ଅନେକ ନୂଆ ପ୍ରତିଭାକୁ ଆବିସ୍କାର କରିବ। ୨୦୨୧ ଫେବ୍ରୁଆରୀ ୧୭ରୁ ମାର୍ଚ୍ଚ ୭ ଯାଏଁ ଭାରତରେ ୧୭ ବର୍ଷରୁ କମ ମହିଳା ଫିଫା ବିଶ୍ୱକପ ଖେଳାଯିବାକୁ ଯାଉଛି। ଯାହାକୁ ନେଇ ସବୁଠି ପ୍ରସ୍ତୁତି ଫାଇନାଲ ଷ୍ଟେଜରେ ପହଞ୍ଚି ସାରିଛି।
ସେପଟେ ୧୭ ବର୍ଷରୁ କମ ମହିଳା ଫିଫା ବିଶ୍ୱକପ ପାଇଁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଯାହାକୁ ନେଇ ରାଜ୍ୟ କ୍ରୀଡ଼ା ବିଭାଗ ତତ୍ପର ହୋଇ ଉଠିଛି। ଷ୍ଟାଡିୟମର ନବୀକରଣ କାର୍ଯ୍ୟ ଓ ଭିତ୍ତିଭୂମିର ତଦାରଖ କରୁଛନ୍ତି ଖୋଦ୍ କ୍ରୀଡା ସଚିବ ବିଶାଲ ଦେବ ଓ କ୍ରୀଡା ନିର୍ଦେଶକ ଭିନୀଲ କ୍ରୀଷ୍ଣା। କଳିଙ୍ଗ ଷ୍ଟାଡିୟମରେ ଆସନ୍ତା ଫେବ୍ରୁଆରୀରେ ଫିଫା ଅଣ୍ଡର-17 ମହିଳା ବିଶ୍ୱକପ ହେବାକୁ ଯାଉଛି। ଫିଫା ବିଶ୍ୱକପର ଅନ୍ୟତମ ଭେନ୍ୟୁ ହୋଇଥିବା କଳିଙ୍ଗ ଷ୍ଟାଡ଼ିୟମରେ କ୍ୱାର୍ଟର ଫାଇନାଲ ଓ ସେମିଫାଇନାଲ ବ୍ୟତୀତ ୬ଟି ଗ୍ରୁପ ମ୍ୟାଚ ଖେଳାଯିବ। ଗ୍ରୁପ ଏ’ରେ ଗୋଟିଏ ଓ ଗ୍ରୁପ ବି’ରେ ୫ଟି ମ୍ୟାଚ କଳିଙ୍ଗ ଷ୍ଟାଡ଼ିୟମରେ ଖେଳାଯିବ। ପୂର୍ବ ନିର୍ଦ୍ଧାରିତ ଭେନ୍ୟୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ ସମେତ ଭାରତର ଅନ୍ୟ ଭେନ୍ୟୁରେ ମଧ୍ୟ ଖେଳାଯିବ ବୋଲି ଘୋଷଣା କରାଯାଇଛି। ୨୦୨୦ରେ ହେବାକୁ ଥିବା ୧୭ ବର୍ଷରୁ କମ୍ ମହିଳା ଫିଫା ବିଶ୍ୱକପକୁ କରୋନା କାୟା ଯୋଗୁଁ ସ୍ଥଗିତ ରଖାଯାଇଥିଲା। ପରେ କିନ୍ତୁ ଏହା ୨୦୨୧ ଫେବ୍ରୁଆରୀ ୧୭ରୁ ମାର୍ଚ୍ଚ ୭ ଯାଏଁ ଖେଳାଯିବ ବୋଲି ସଂଘ ପକ୍ଷରୁ ଘୋଷଣା କରାଯାଇଥିଲା।