ଆସନ୍ତା କାଲି ବିଶ୍ୱକପ ଅଉ ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ ବାଂଲାଦେଶ ଓ ଭାରତ ମଧ୍ୟରେ ଦେଖିବାକୁ ମିଳିବ । ଏହି ମ୍ୟାଚ ଜିତିବା ପାଇଁ ଉଭୟ ବାଂଲାଦେଶ ଓ ଭାରତ ଖେଳାଳି ନିଜର ଶ୍ରେଷ୍ଠ ପ୍ରଦର୍ଶନ କରିବେ । ବାଂଲାଦେଶ ଦୃଷ୍ଟିକୋଷଣରୁ ଏହି ମ୍ୟାଚ ଜିତିବା ନିହାତି ଆବଶ୍ୟକ । ସେମିଫାଇନାଲ ରେସରେ ତିଷ୍ଟି ରହିବାକୁ ହେଲେ ଭାରତ ବିପକ୍ଷ ମ୍ୟାଚକୁ ଜିତିବାକୁ ହେବ। କେବଳ ଏତିକି ନୁହେଁ ଭାରତ ବିପକ୍ଷ ମ୍ୟାଚ ଜିତିବା ସହ ପାକିସ୍ତାନ ବିପକ୍ଷରେ ମ୍ୟାଚ ଜିତିଲେ ସେମି ଆଶା ଉଜ୍ଜୀବିତ ହେବ। ସେଥିପାଇଁ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ମ୍ୟାଚ ଫଳାଫଳ ଉପରେ ନିର୍ଭର କରିବ ବାଂଲାଦେଶର ସେମି ଟିକେଟ । ଯଦି ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ମ୍ୟାଚରେ ଇଂଲଣ୍ଡ ପରାସ୍ତ ହେଉଛି ତେବେ ବାଂଲାଦେଶ ସେମିରେ ପ୍ରବେଶ କରିବ ।
ସେପଟେ ପାକିସ୍ତାନ ମଧ୍ୟ ଚାହିଁବ ଭାରତ ଠାରୁ ବାଂଲାଦେଶ ଓ ନ୍ୟୁଜିଲାଣ୍ଡ ଠାରୁ ଇଂଲଣ୍ଡ ପରାସ୍ତ ହେଉ । ତେବେ ଯାଇଁ ପାକିସ୍ତାନର ସେମି ଆଶା ଉଜ୍ଜୀବିତ ହେବ । ଏଥିପାଇଁ ପାକିସ୍ତାନ ଓ ବାଂଲାଦେଶ ମ୍ୟାଚରେ ପାକିସ୍ତାନ ବଡ ବ୍ୟବଧାନରେ ଜିତିବା ଆବଶ୍ୟକ ଅଛିା
ଅନ୍ୟପଟେ ପଏଣ୍ଟ ଟେବୁଲରେ ଦ୍ୱିତୀୟ ସ୍ଥାନରେ ଥିବା ଭାରତକୁ ସେମିରେ ନିଜ ସ୍ଥାନ ପକ୍କା କରିବା ପାଇଁ ଆଉ ଗୋଟିଏ ଅଙ୍କ ଆବଶ୍ୟକ ହେଉଛି। ବାକି ଥିବା ଦୁଇଟି ମ୍ୟାଚରେ ଗୋଟିଏ ଅଙ୍କ ହାତେଇ ପାଇଲେ ଭାରତ ସେମିରେ ପ୍ରବେଶ କରିବ । ତେଣୁ ଭାରତ ଚାହିଁବ ବାଂଲାଦେଶ ବିପକ୍ଷ ମ୍ୟାଚରେ ଭାରତ ବଡ ବ୍ୟବଧାନରେ ଜିତି ସେମି ଟିକେଟ୍ ହାତେଇବ ।
ହେଲେ ଚଳିତ ବିଶ୍ୱକପରେ ବାଂଲାଦେଶର ଫର୍ମକୁ ଦେଖିଲେ ଏହି ଟିମକୁ ହରାଇବା ସହଜ କଥା ନୁହେଁ । ବିଶ୍ୱକପରେ ଭାରତ ଓ ବାଂଲାଦେଶ ମଧ୍ୟରେ ଏପର୍ୟ୍ୟନ୍ତ ତିନୋଟି ମୁକାବିଲା ଖେଳାଯାଇଛି। ଏଥିରୁ ଭାରତ ଦୁଇଟିରେ ଏବଂ ବାଂଲାଦେଶ ଗୋଟିଏ ବିଜୟ ହାସଲ କରିଛି। ବାଂଲାଦେଶ ୨୦୦୭ ବିଶ୍ୱକପରେ ଭାରତକୁ ହରାଇଥିଲା। ଏହି ପରାଜୟ ଭାରତକୁ ବିଶ୍ୱକପରୁ ବାହାର କରିଦେଇଥିଲା। ତେବେ ୨୦୧୧ ଓ ୨୦୧୫ ବିଶ୍ୱକପରେ ଭାରତ ପଡୋଶୀ ଦେଶକୁ ସହଜରେ ହରାଇଥିଲା। ୨୦୦୭ରେ ୱେଷ୍ଟଇଣ୍ଡିଜରେ ଆୟୋଜିତ ବିଶ୍ୱକପ୍ ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରି ୧୯୧ ରନ୍ କରିବାକୁ ସକ୍ଷମ ହୋଇଥିଲା । ଜବାବରେ ବାଂଲାଦେଶ ୪୮.୩ ଓଭରରେ ୫ ୱିକେଟ୍ ହରାଇ ଏହି ଲକ୍ଷ୍ୟର ପିଛା କରି ନେଇଥିଲା। ଫଳରେ ବାଂଲାଦେଶ ଏହି ମ୍ୟାଚକୁ ୫ ୱିକେଟରେ ଜିତି ନେଇଥିଲା। ଭାରତ ଓ ବାଂଲାଦେଶ ମଧ୍ୟରେ ଏପର୍ୟ୍ୟନ୍ତ ୩୫ଟି ଦିନିକିଆ ଖେଳାଯାଇଛି। ଏଥିରୁ ଭାରତ ୨୯ଟିରେ ଏବଂ ବାଂଲାଦେଶ ମାତ୍ର ୫ଟି ମ୍ୟାଚ୍ ଜିତିପାରିଛି। ଗୋଟିଏ ମ୍ୟାଚ୍ ବିନା ଫଳାଫଳ ରହିଥିଲା।
ଅଷ୍ଟ୍ରେଲିଆ ୧୪ ଅଙ୍କ ସହ ତାଲିକାରେ ଶୀର୍ଷରେ ରହି ସେମି ଟିକେଟ ହାତେଇଥିବା ବେଳେ ଇଣ୍ଡିଆ ଓ ନ୍ୟୁଜିଲାଣ୍ଡ ୧୧ ଅଙ୍କ ସହ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛିା ଏହି ଦୁଇ ଟିମ ସେମି ଟିକେଟ ପାଇଁ ଗୋଟିଏ ଅଙ୍କ ଆବଶ୍ୟକ କରୁଥିବା ବେଳେ ୪ର୍ଥ ସ୍ଥାନ ପାଇଁ କଡା ଟକ୍କର ଦେଖିବାକୁ ମିଳିବ ।