ଦିନକୁ ଦିନ କ୍ରିକେଟ୍ର ଲୋକପ୍ରିୟତା ବଢିବଢି ଚାଲିଛି। ବିଶ୍ୱର ଅନେକ ଦେଶ ଏବେ କ୍ରିକେଟ୍ ପ୍ରେମରେ ପଡିଯାଇଛନ୍ତି। ଇଂଲଣ୍ଡରୁ ଆରମ୍ଭ ହୋଇଥିବା ଏହି ଖେଳ ବର୍ତ୍ତମାନ ବିଭିନ୍ନ ଦେଶରେ ଏକ ଲୋକପ୍ରିୟ ଖେଳ ଭାବେ ପରିଚିତ। ଏଥିପାଇଁ ଦିନକୁ ଦିନ ଦର୍ଶକଙ୍କ ସଂଖ୍ୟା ବଢିବା ସହ ଖେଳ ଦେଖିବାକୁ ଷ୍ଟାଡିୟମ ସଂଖ୍ୟା ମଧ୍ୟ ବଢି ଚାଲିଛି। ଦର୍ଶକକଙ୍କୁ ଆକୃଷ୍ଟ କରିବା ପାଇଁ ନୂଆ ନୂଆ ଓ ଅତ୍ୟାଧୁନିକ ଷ୍ଟାଡ଼ିୟମ ମଧ୍ୟ ତିଆରି ହେଉଛି। ତେବେ ବିଶ୍ୱର ଏମିତି କିଛି ସୁନ୍ଦର କ୍ରିକେଟ୍ ଷ୍ଟାଡିୟମ ଅଛି ଯେଉଁଠି ଥରେ ବସି କ୍ରିକେଟ ଖେଳ ଦେଖିଲେ ଆପଣ ବାରମ୍ବାର ସେଠାରେ ବସି ଖେଳ ଦେଖିବାକୁ ଇଛା ପ୍ରକାଶ କରିବେ। ତେବେ ଆସନ୍ତୁ ଜାଣିବା ବିଶ୍ୱର ଟପ୍-୫ ସୁନ୍ଦର କ୍ରିକେଟ୍ ଷ୍ଟାଡିୟମ ବିଷୟରେ।
୧- ଲର୍ଡ୍ସ ଷ୍ଟାଡିୟମ: ବିଶ୍ୱର ସବୁଠୁ ସୁନ୍ଦର ଷ୍ଟାଡ଼ିୟମ ତାଲିକାରେ ସବୁଠୁ ଆଗରେ ରହିଛି ଐତିହାସିକ ଇଂଲଣ୍ଡର ଲର୍ଡ୍ସ ଷ୍ଟାଡିୟମ। ୨୦୦ ବର୍ଷ ପୁରୁଣା ଏହି ଷ୍ଟାଡ଼ିୟମକୁ କ୍ରିକେଟର ମକ୍କା ବୋଲି କୁହାଯାଏ। ୧୮୧୪ ମସିହାରେ ନିର୍ମାଣ ହୋଇଥିବା ଏହି ଷ୍ଟାଡ଼ିୟମ ଏବେ ୨୦୫ ବର୍ଷରେ ପରିଣତ ହୋଇଛି। ଏହି ଷ୍ଚାଡ଼ିୟମରେ ବସି ଖେଳ ଦେଖିବାର ମଜା କିଛି ନିଆରା। ୨୦୧୯ ବିଶ୍ୱକପ ମଧ୍ୟ ଏହି ଷ୍ଟାଡିୟମରେ ଖେଳାଯାଇଥିଲା। ବିଶ୍ୱର ସବୁଠୁ ସୁନ୍ଦର ଷ୍ଟାଡ଼ିୟମ ମାନ୍ୟତା ଲର୍ଡ୍ସକୁ ଦିଆଯାଇଛି।
୨- କୁଇନ୍ସଟାଉନ୍ ଇଭେଣ୍ଟ ସେଣ୍ଟର୍: ଦ୍ୱିତୀୟ ସୁନ୍ଦର ଷ୍ଟାଡ଼ିୟମ ଲିଷ୍ଟରେ ରହିଛି ନ୍ୟୁଜିଲାଣ୍ଡର କୁଇନ୍ସଟାଉନ୍ ଇଭେଣ୍ଟ ସେଣ୍ଟର୍। ୧୯ ହଜାର ଦର୍ଶକ ବସିବାର କ୍ଷମତା ରହିଥିବା ଏହି ଷ୍ଟାଡ଼ିୟମଟି ପାହାଡ଼ର ପାଦଦେଶରେ ନିର୍ମିତ। ନିକଟରେ ଏକ ଲେକ୍ ଓ ଏକ ଏୟାରପୋର୍ଟ ରହିଥିବା ଯୋଗୁଁ ଏହି ଷ୍ଟାଡ଼ିୟମର ସୁନ୍ଦରତା ଆହୁରି ବଢ଼ିଯାଇଛି।
୩- ଧର୍ମଶାଳା ଷ୍ଟାଡ଼ିୟମ: ବିଶ୍ୱର ତୃତୀୟ ସୁନ୍ଦର ଷ୍ଟାଡ଼ିୟମ ତାଲିକାରେ ଭାରତର ଧର୍ମଶାଳା ଷ୍ଟାଡିୟମ ଆସୁଛି। ଭାରତର ଧର୍ମଶାଳାରେ ରହିଛି ଏହି ସୁନ୍ଦର ଷ୍ଟାଡ଼ିୟମର। ୨୪ ହଜାର କ୍ଷମତା ବିଶିଷ୍ଟ ଏହି ଷ୍ଟାଡ଼ିୟମର ମନୋରମ ଦୃଶ୍ୟ ଲୋକଙ୍କୁ ବେଶ୍ ଆକୃଷ୍ଟ କରିଥାଏ। ଏହା ଏକ ହିଲ୍ଷ୍ଟେସନରେ ଅବସ୍ଥିତ ଥିବାରୁ ଏଠାରେ ମ୍ୟାଚ୍ର ମଜା ନେବାକୁ ଦେଶ ବିଦେଶରୁ ଅନେକ ଦର୍ଶକ ଆସିଥାନ୍ତି।
୪- ମେଲବୋର୍ଣ୍ଣ ଷ୍ଟାଡ଼ିୟମ: ବିଶ୍ୱର ସବୁଠୁ ଉନ୍ନତ ଓ ବିଶାଳ ଷ୍ଟାଡ଼ିୟମ ଭାବେ ଜଣାଶୁଣା ମେଲବୋର୍ଣ୍ଣ ଷ୍ଟାଡ଼ିୟମ ସୁନ୍ଦର ତାଲିକାରେ ୪ର୍ଥ ସ୍ଥାନରେ ରହିଛି। ଏହି ଷ୍ଟାଡ଼ିୟମର ଦର୍ଶକ କ୍ଷମତା ୧ଲକ୍ଷ। ପ୍ରଥମ ଅନ୍ତର୍ଜାତୀୟ ଟେଷ୍ଟ୍ ମ୍ୟାଚ୍ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ଏହି ଷ୍ଟାଡ଼ିୟମରେ ଖେଳାଯାଇଥିଲା। ମେଲବୋର୍ଣ୍ଣ ଷ୍ଟାଡ଼ିୟମରେ ବସି ଖେଳ ଦେଖିବାକୁ ଅନେକ ଦର୍ଶକ ଆଗ୍ରହ ପ୍ରକାଶ କରିଥାନ୍ତି। ଏହି ଷ୍ଟାଡ଼ିୟମ ଦୂରରୁ ବହୁତ ସୁନ୍ଦର ଦେଖାଯାଏ।
୫- ୱାଙ୍ଖଡ଼େ ଷ୍ଟାଡ଼ିୟମ: ଭାରତର ଦ୍ୱିତୀୟ ସୁନ୍ଦର ତଥା ବିଶ୍ୱର ୫ମ ସବୁଠୁ ସୁନ୍ଦର ଷ୍ଟାଡ଼ିୟମ ତାଲିକାରେ ମୁମ୍ବାଇର ୱାଙ୍ଖଡ଼େ ଷ୍ଟାଡ଼ିୟମର ନାଁ ଅଛି। ନୂତନ ଭାବେ ନିର୍ମାଣ ହେବାପରେ ବଶ୍ୱକପ ୨୦୧୧ର ଫାଇନାଲ ମ୍ୟାଚ୍ ଏହି ଷ୍ଟାଡ଼ିୟମରେ ଖେଳାଯାଇଥିଲା। ୩୩,୧୦୮ କ୍ଷମତା ବିଶିଷ୍ଟ ଏହି ଷ୍ଟାଡ଼ିୟମ ବେଶ୍ ସୁନ୍ଦର। ମୁମ୍ବାଇର ସମୁଦ୍ର କୂଳରେ ଏହି ଷ୍ଟାଡ଼ିୟମଟି ଅବସ୍ଥିତି। ଏହି ଷ୍ଟାଡ଼ିୟମରେ ବସି ଖେଳ ଦେଖିବାର ମଜା କିଛି ନିଆରା। ଭାରତରେ ଆଜିକାଲି ଅନେକ ପ୍ରତିଯୋଗିତାର ଫାଇନାଲ୍ ମ୍ୟାଚ୍ ଏହି ଷ୍ଟାଡ଼ିୟମରେ ଖେଳାଯାଉଛି।