ଜାଣନ୍ତୁ ରାଜ୍ୟର ସବୁଠୁ ଧନୀ ଓ ଗରିବ ମନ୍ତ୍ରୀଙ୍କ ନାଁ ଓ ସମ୍ପତ୍ତି ତାଲିକା,ନବୀନଙ୍କ କାର୍ ଦାମ୍ 10 ହଜାରରୁ କମ୍ …

ଓଡ଼ିଶାରେ ସବୁଠାରୁ ଧନୀ ମନ୍ତ୍ରୀ କିଏ? ରାଜ୍ୟ ସରକାରଙ୍କ ୱେବସାଇଟ ଅନୁସାରେ ଏହି ତଥ୍ୟ ଏବେ ସମ୍ନାକୁ ଆସିଛି। ଏହି ତଥ୍ୟ ଅନୁସାରେ ଖୋଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଝାରସୁଗୁଡା ବିଧାୟକ ତଥା ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ସବୁଠୁ ଆଗରେ ଅଛନ୍ତି। ନବୀନ ନିଜ ସମ୍ପତ୍ତିର ମୂଲ୍ୟ ୬୪.୯୮ କୋଟି ଟଙ୍କା ଦର୍ଶାଇଛନ୍ତି। ବେଳେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ସ୍ଥାବର, ଅସ୍ଥାବର ସମ୍ପତି କଥା ଛାଡନ୍ତୁ, ନବ ଓ ତାଙ୍କ ପରିବାର ସଦସ୍ୟଙ୍କ ନାମରେ ଥିବା ଗାଡିର ତାଲିକା କଥା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ତାଙ୍କର ଗୋଟିଏ ଗୋଟିଏ ଗାଡ଼ିର ମୂଲ୍ୟ 2 କୋଟି ଟଙ୍କା ହେବା ବୋଲି ଦର୍ଶାଇଛ୍ତି। ଏହାସହ ଗତ ତିନି ବର୍ଷରେ ୮୦ଟି ଟ୍ରକ, ହାଇୱା, ଜେସିବି ପରି ବ୍ୟବସାୟିକ ଗାଡି ସେ କିଣିଥିବା ଦର୍ଶାଇଛନ୍ତି। ତାସହ ନବଙ୍କ ପାଖରେ ୨ଟି ରିଭଲଭର ଓ ଗୋଟିଏ ରାଇଫଲ୍ ବି ରହିଛି। ସମ୍ପତି ତାଲିକା ପ୍ରଦାନ କରିଥିବା ୨୦ ଜଣ ମନ୍ତ୍ରୀଙ୍କ ମଧ୍ୟରେ ସବୁଠାରୁ କମ ସମ୍ପତିର ମାଲିକ ହେଉଛନ୍ତି କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା। ସେ ତାଙ୍କ ମୋଟ ସମ୍ପତିର ମୂଲ୍ୟ ମାତ୍ର ୩୩ ଲକ୍ଷ ଟଙ୍କା ବୋଲି ଦର୍ଶାଇଛନ୍ତି।

ଏହା ବ୍ୟତୀତ ପଂଚାୟତିରାଜ ତଥା ଆଇନ ମନ୍ତ୍ରୀ ପ୍ରତାପ ଜେନା ୧୦ କୋଟି ୩୫ଲକ୍ଷ ଟଙ୍କା, ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୪ କୋଟି ୨୪ ଳକ୍ଷ ଟଙ୍କା, ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ୭ କୋଟି ୩୧ ଲକ୍ଷ ଟଙ୍କାର ମାଲିକ ବୋଲି ଦର୍ଶାଇଛନ୍ତି।ସେହିପରି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କର ପାଖରେ ୮ କୋଟି ଟଙ୍କାର ସମ୍ପତ୍ତି ରଖିଥିବା ଦର୍ଶାଇଛନ୍ତି। ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ତାଙ୍କ ସଂପତ୍ତିର ପରିମାଣ ୪ କୋଟି ୭୮ ଲକ୍ଷ ୪୭ ହଜାର ଟଙ୍କା ଦର୍ଶାଇଥିବାବେଳେ ସୁଦାମ ମାର୍ଣ୍ଡିଙ୍କ ସଂପତ୍ତିର ମୂଲ୍ୟ ୨ କୋଟି ୬୧ ଲକ୍ଷ ୧୮ ହଜାର ୨୬ ଟଙ୍କା ଉଲ୍ଲେଖ ରହିଛି।

ଖୋଦ୍ ମୁଖ୍ୟମନ୍ତ୍ରୀ ମଧ୍ୟ ନିଜ ସମ୍ପତ୍ତି ତାଲିକା ପ୍ରଦାନ କରିଛନ୍ତି । ନବୀନ ପଟ୍ଟନାୟକଙ୍କ ସମ୍ପତ୍ତି ବର୍ଷକରେ ୭୧ ଲକ୍ଷ ଟଙ୍କା ବୃଦ୍ଧି ପାଇଛି। ତାଙ୍କର ମୋଟ ସମ୍ପତ୍ତି ୬୪.୯୮ କୋଟି ଟଙ୍କା । ଅର୍ଥାତ୍ ୨୦୨୦ ମାର୍ଚ୍ଚ ୩୧ ସୁଦ୍ଧା ନବୀନଙ୍କ ମୋଟ୍ ସମ୍ପତ୍ତିର ପରିମାଣ ୬୪ କୋଟି ୯୮ଲକ୍ଷ ୧୯ହଜାର ୮୬୩ ଟଙ୍କା। ଯେଉଁଥିରୁ କେବଳ ସ୍ଥାବର ସମ୍ପତ୍ତି ୬୩ କୋଟି ୬୪ ଲକ୍ଷ ୧୫ ହଜାର ୨୬୧ ଟଙ୍କାର ବୋଲି ଦର୍ଶାଇଛନ୍ତି। ସେହିପରି ନବୀନ ନିଜ ପାଖରେ ରଖିଛନ୍ତି ୨ଲକ୍ଷ ୮୯ହଜାର ୫୮୭ ଟଙ୍କାର ସୁନାଗହଣା। ଏହାବାଦ୍ ୧୯୮୦ ମଡେଲର ଏକ ଆମ୍ବାସାଡର କାର୍ ତାଙ୍କର ଅଛି, ଯାହାର ଆନୁମାନିକ ମୂଲ୍ୟ ୮ହଜାର ୯୦୫ ଟଙ୍କା। ସ୍ଥାବର ସଂପତ୍ତି ମଧ୍ୟରେ ଭୁବନେଶ୍ୱର, ଦିଲ୍ଲୀ ଓ ହରିଆଣାରେ ଜମି ସହ କୋଠା ରହିଛି, ତାମଧ୍ୟରୁ କେବଳ ଫରିଦାବାଦ ତିକ୍ରିକେରା ଜମି ଓ କୋଠାର ମୂଲ୍ୟ ୧୦ କୋଟି ୭୫ଲକ୍ଷ ୫୧ହଜାର ୭୧ ଟଙ୍କା। ଏହାକୁ ବିକ୍ରି ଲାଗି ଅଗ୍ରୀମ ଆକାରରେ ନବୀନ ଆଣିଛନ୍ତି ୧କୋଟି ୨୫ ଲକ୍ଷ ଟଙ୍କା। ସେହିପରି ନବୀନ ନିବାସରେ ତାଙ୍କର ଦୁଇ ତୃତୀୟାଂଶ ଏବଂ ନୂଆଦିଲ୍ଲୀରେ ଥିବା ସମ୍ପତ୍ତିର ୫୦ ପ୍ରତିଶତ ସେୟାର ବି ରହିଛି। ଅନ୍ୟପକ୍ଷରେ ପୂର୍ବରୁ ୨୦୧୫ରେ ଭଉଣୀ ଗୀତା ମେହେଟାଙ୍କଠାରୁ ଧାର ସୂତ୍ରରେ ଆଣିଥିବା ୧୫ ଲକ୍ଷ ଟଙ୍କା ସୁଝି ଦେଇଥିବା ଦର୍ଶାଇଛନ୍ତି।

Leave a Reply

Your email address will not be published. Required fields are marked *