ଲକଡାଉନର ଅବଧି ପୁଣି ବଢିଛି। ମେ ୩୧ ଯାଏଁ ସାରା ଦେଶରେ ଲକଡାଉନର ସମୟ ସୀମା ବୃଦ୍ଧି କରାଯାଇଛି। ଏହି ଚତୁର୍ଥ ପର୍ଯ୍ୟାୟ ଲକଡାଉନ ପାଇଁ କିଛି ଗାଇଡଲାଇନ ଜାରି କରାଯାଇଛି। ଗାଇଡଲାଇନରେ ସ୍ପଷ୍ଟ ଭାବେ କୁହାଯାଇଛି ଯେ ରାଜ୍ୟ ସରକାର ଏଣିକି ରେଡ, ଗ୍ରୀନ ଓ ଅରେଞ୍ଜ ଜୋନ ନିର୍ଦ୍ଧାରଣ କରିବେ। ସେହିପରି ବର୍ତ୍ତମାନ ତିନିଟି ଜୋନ ବଦଳରେ ୫ଟି ଜୋନ ରହିବ। ରେଡ, ଗ୍ରୀନ ଓ ଅରେଞ୍ଜ ଜୋନ ସହ ବଫର ଓ କଣ୍ଟେନମେଣ୍ଟ ଜୋନ ମଧ୍ୟ ରାଜ୍ୟ ସରକାର ସ୍ଥିର କରିବେ। ଗାଇଡଲାଇନରେ କୁହାଯାଇଛି ଯେ ପୂର୍ବ ଭଳି ମେଟ୍ରୋ ଟ୍ରେନ ସେବା ସହ ସମସ୍ତ ବିମାନ ଉଡାଣ ବନ୍ଦ ରହିବ। ସମସ୍ତ ଅନ୍ତରାଷ୍ଟ୍ରୀୟ ଓ ଦେଶ ଭିତରେ ବିମାନ ଉଡାଣ ବନ୍ଦ ରହିବ।ଶ୍ରମିକଙ୍କୁ ନେଇ ଚାଲୁଥିବା ଏକ୍ସପ୍ରେସ ଛଡା ଅନ୍ୟ ସବୁ ପାସେଞ୍ଜର ଓ ଏକ୍ସପ୍ରେସ ଟ୍ରେନ ବନ୍ଦ ରହିବ। ସେହିପରି ଧାର୍ମିକ ଅନୁଷ୍ଠାନ, ସିନେମା ହଲ, ସୁଇମିଙ୍ଗ ପୁଲ, ବନ୍ଦ ରହିବ। କୌଣସି ଧାର୍ମିକ, ସାମାଜିକ ଓ ରାଜନୈତିକ ବୈଠକ କରିବାକୁ ଅନୁମତି ଦିଆଯିବ ନାହିଁ। ସେହିପରି କଣ୍ଟେନମେଣ୍ଟ ଜୋନରେ କୌଣସି କଟକଣାକୁ କୋହଳ କରାଯିବ ନାହିଁ।ସନ୍ଧ୍ୟା ୭ଟାରୁ ସକାଳ ୭ଟା ଯାଏଁ ଲୋକଙ୍କ ଚଳପ୍ରଚଳ ଉପରେ ମଧ୍ୟ କଟକଣା ବଳବତ୍ତର ରହିଛି। ସ୍କୁଲ, କଲେଜ ବନ୍ଦ ରହିବ।ରେଷ୍ଟରାଣ୍ଟକୁ ହୋମ ଡେଲିଭରି ଅନୁମତି ଦିଆଯାଇଛି। ରାଜ୍ୟମାନଙ୍କ ମଧ୍ୟରେ ସହମତି ଭିତ୍ତିରେ ହିଁ ବସ ସେବା ଚାଲିପାରିବ। ଘରୋଇ ଡାକ୍ତରୀ ସେବା, ଘରୋଇ ଏୟାର୍ ଆମ୍ବୁଲାନ୍ସ୍ ବନ୍ଦ ରହିବ। ସମସ୍ତ ସାମାଜିକ ଓ ରାଜନୈତିକ ସଭା ସମିତି ବନ୍ଦ ରହିବ। କ୍ରୀଡ଼ା,ମନୋରଞ୍ଜନ, ସାଂସ୍କୃତିକ,ଧାର୍ମିକ ଉତ୍ସବ ଓ ଅନ୍ୟାନ୍ୟ ଜନସମାବେଶ ଏବଂ ବଡ଼ ଜନଗହଳି ପାଇଁ ଅନୁମତି ମିଳିବ ନାହିଁ।
ଜାଣନ୍ତୁ ଚତୁର୍ଥ ପର୍ଯ୍ୟାୟ ଲକଡାଉନରେ କ’ଣ କରିବାକୁ ମିଳିଲା ଅନୁମତି …
ସମ୍ପୃକ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳମାନଙ୍କର ସହମତିରେ ଅନ୍ତଃ-ରାଜ୍ୟ ଯାତ୍ରୀବାହୀ ଯାନ ଏବଂ ବସ୍ ଆଦି ଚଳାଚଳ କରାଯାଇ ପାରିବ। ଅନଲାଇନ୍ ପାଠ୍ୟକ୍ରମ ଜାରି ରହିବ। ସ୍ପୋର୍ଟ୍ସ କମ୍ପ୍ଲେକ୍ସ ଓ ଷ୍ଟାଡିୟମ ଖୋଲା ରହିବ। ମାତ୍ର ଦର୍ଶକଙ୍କୁ ପ୍ରବେଶ ମନା। ଷ୍ଟାଡିୟମ ଅଭ୍ୟାସ୍ ଲାଗି ଖୋଲାଯିବ। ସରକାରୀ ଦପ୍ତର ଖୋଲାରହିବ। ସରକାରୀ କ୍ୟାଣ୍ଟିନ୍ ଚାଲିବ। କଣ୍ଟେନମେଣ୍ଟ ଜୋନ୍କୁ ଛାଡି ବାକି ଜୋନ୍ରେ ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ପରସ୍ପର ସହମତି ଭିତ୍ତିରେ ବସ୍ ଚଳାଚଳ ହୋଇ ପାରିବ। ଯେତେ ସବୁ ରେସ୍ତୋରାଁ ରହିଛି ଏବେ ଖାଦ୍ୟର ହୋମ୍ ଡେଲିଭରୀ କରି ପାରିବେ। ବିବାହରେ ୫୦ ଜଣ ଲୋକ ସାମିଲ ହୋଇ ପାରିବେ।