ଧୋଇଗଲା ଭାରତ ଓ କାନାଡା ମ୍ୟାଚ୍। ବର୍ଷା ଯୋଗୁଁ ଟି-ଟ୍ୱେଣ୍ଟି ବିଶ୍ୱକପରେ ଭାରତ, କାନଡା ବିପକ୍ଷରେ ତାର ଶେଷ ଗ୍ରୁପ ପର୍ଯ୍ୟାୟ ମ୍ୟାଚ ଖେଳିପାରିନାହିଁ। ଶେଷରେ ବାତିଲ ହୋଇଯାଇଛି ଭାରତ-କାନାଡା ମ୍ୟାଚ୍। ଆମେରିକାର ଫ୍ଲୋରିଡାର ସେଣ୍ଟ୍ରାଲ୍ ବ୍ରାଉଡର୍ ଆଞ୍ଚଳିକ ପାର୍କ ଷ୍ଟାଡିୟମ୍ ଟର୍ଫ ଗ୍ରାଉଣ୍ଡରେ ଏହି ମ୍ୟାଚ ଖେଳାଯିବାର ଥିଲା। କିନ୍ତୁ ବର୍ଷା ଯୋଗୁଁ ଏହି ମ୍ୟାଚକୁ ବାତିଲ କରିଦିଆଯାଇଛି। ଏହି ମ୍ୟାଚ୍ ବାତିଲ୍ ଫଳରେ କୌଣସି ଦଳ ପାଇଁ ବଡ଼ କ୍ଷତି ହୋଇ ନାହିଁ। କାରଣ ଗ୍ରୁପ୍-ଏରେ ପୂର୍ବରୁ ଭାରତ ଏବଂ ଆମେରିକା ଦଳ ସୁପର-8ରେ ପହଞ୍ଚି ସାରିଛନ୍ତି। ଏଥି ସହିତ କାନାଡା, ପାକିସ୍ଥାନ ଏବଂ ଆୟର୍ଲାଣ୍ଡର ଦଳଗୁଡିକ ଗ୍ରୁପ୍ ପର୍ଯ୍ୟାୟରୁ ବିଦାୟ ନେଇ ସାରିଛନ୍ତି। ଗ୍ରୁପ ପର୍ଯ୍ୟାୟରେ ଭାରତ 4ଟି ମ୍ୟାଚରୁ ପ୍ରଥମ 3ଟିରେ ବିଜୟୀ ପାଇଁ 6 ପଏଣ୍ଟ ଏବଂ ଶେଷ ମ୍ୟାଚ ବାତିଲ ଯୋଗୁଁ ଏକ ପଏଣ୍ଟ ପାଇବା ସହ ନିଜ ପଏଣ୍ଟ ଟେବୁଲରେ 7 ଅଙ୍କ ସହ ଶୀର୍ଷ ସ୍ଥାନରେ ରହିଛି। ଏହାସହ ସୁପର-8ରେ ପ୍ରବେଶ କରିଥିବା ଭାରତ ଫୁଲ ଦମରେ ନିଜର ପ୍ରଦର୍ଶନ ଜାରି ରଖିବାକୁ ଚାହିଁବ। ସୁପର-୮ର ପ୍ରଥମ ମ୍ୟାଚରେ ଭାରତ ଆସନ୍ତା 20 ତାରିଖ ଆଫଗାନିସ୍ତାନକୁ ଭେଟିବ ଏବଂ ପରବର୍ତ୍ତୀ ମ୍ୟାଚ ଆସନ୍ତା 22 ତାରିଖରେ ଭାରତର ସାମ୍ନା ବାଂଲାଦେଶ କିମ୍ବା ନେଦରଲ୍ୟାଣ୍ଡ୍ସ ସହିତ ହେବ। ଏହାପରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଜୁନ 24 ତାରିଖରେ ସୁପର-8ର ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ ଖେଳାଯିବ।