କାଉଣ୍ଟ ଡାଉନ୍ ଆରମ୍ଭ: ବିଦେଶ ଯାତ୍ରା ବାତିଲ୍ କଲେ ପ୍ରଧାନ ବିଚାରପତି

ଅଯୋଧ୍ୟା ରାୟ ପ୍ରକାଶ ପାଇଁ କାଉଣ୍ଟ ଡାଉନ ଆରମ୍ଭ ହୋଇଯାଇଛି। ଉତ୍ତର ପ୍ରଦେଶକୁ ହାଇ ଆଲର୍ଟରେ ରଖାଯାଇଛି। କୌଣସି ସମୟରେ ଚୂଡ଼ାନ୍ତ ରାୟ ପ୍ରକାଶ ପାଇ ପାରେ। ସ୍ଥିତି ଏମିତି ହୋଇଛି, ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ନିଜର ବିଦେଶ ଯାତ୍ରାକୁ ମଧ୍ୟ ସ୍ଥଗିତ କରି ଦେଇଛନ୍ତି। ଗୋଗୋଇଙ୍କ ଅଧ୍ୟକ୍ଷତା ଖଣ୍ଡପୀଠରେ ଅଯୋଧ୍ୟା ମାମଲାର ଶୁଣାଣୀ ଶେଷ ହୋଇଛି। ତେଣୁ ଅନ୍ତିମ ରାୟ ପ୍ରକାଶ ପାଇଁ ସେ ବିଦେଶ ଯାତ୍ରାକୁ ସ୍ଥଗିତ କରିଥିବା କୁହାଯାଉଛି। ଆସନ୍ତା ନଭେମ୍ବର ୧୭ ଜଷ୍ଟିସ ଗୋଗୋଇ ଅବସର ଗ୍ରହଣ କରିବେ। ଏହା ପୂର୍ବରୁ ସେ କିଛି ଦକ୍ଷିଣ ଆମେରିକୀୟ ଦେଶ, ମଧ୍ୟ-ପୂର୍ବ ଏବଂ ଅନ୍ୟ ଦେଶକୁ ଯାତ୍ରା କରିବାର କାର୍ଯ୍ୟକ୍ରମ ଥିଲା। ମାତ୍ର ସେ ଏହି ଯାତ୍ରାକୁ ଅନିର୍ଦ୍ଧିଷ୍ଟକାଳ ପାଇଁ ସ୍ଥଗିତ ରଖିଛନ୍ତି। ତେବେ ଅଯୋଧ୍ୟା ମାମଲାର ଅନ୍ତିମ ରାୟ ପାଇଁ ବିଦେଶ ଯାତ୍ରାକୁ ସ୍ଥଗିତ ରଖିଥିବା କୁହାଯାଉଛି। ଜଷ୍ଟିସ ରଞ୍ଜନ ଗୋଗୋଇ ଗତବର୍ଷ ଅକ୍ଟୋବର ୩ରେ ଭାରତର ୪୬ତମ ପ୍ରଧାନ ବିଚାରପତିଭାବରେ ଶପଥ ଗ୍ରହଣ କରିଥିଲେ। ତାଙ୍କ ଅଧ୍ୟକ୍ଷତାରେ ଗଠିତ ପାଞ୍ଚ ଜଣିଆ ଖଣ୍ଡପୀଠ ଅଯୋଧ୍ୟା ମାମଲାର ୪୦ଦିନ ଧରି ଶୁଣାଣୀ କରିଛନ୍ତି। ଗତକାଲି ଶୁଣାଣୀ ଶେଷ କରି ରାୟକୁ ସଂରକ୍ଷିତ ରଖିଛନ୍ତି। କିଛି ଦିନ ମଧ୍ୟରେ ତାହାର ରାୟ ପ୍ରକାଶ ପାଇବାର ସମ୍ଭାବନା ରହିଛି ।

Leave a Reply

Your email address will not be published. Required fields are marked *