ଆସନ୍ତାକାଲି ବଡ଼ଦାଣ୍ଡରେ ଗଡ଼ିବ ନନ୍ଦିଘୋଷ

ଶେଷ ହେଲା ସମସ୍ତ କଳ୍ପନା ଜଳ୍ପନା। ଆସନ୍ତାକାଲି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବିଶ୍ଵ ପ୍ରସିଦ୍ଧ ଘୋଷଯାତ୍ରା। ବଡ଼ଦାଣ୍ଡରେ ଗଡ଼ିବ ନନ୍ଦିଘୋଷ। ବିନା ଭକ୍ତରେ ରଥ ଗଡ଼ିବା ନେଇ ସୁପ୍ରିମକୋର୍ଟ ଶୁଣାଇଲେ ଗୁରୁତ୍ୱପୂର୍ଣ୍ଣ ରାୟ। ପ୍ରାୟ ଦେଢ ଘଣ୍ଟାର ବିଚାର ବିମର୍ଶ କରିବା ପରେ ନିଜ ପୂର୍ବ ରାୟରେ ସଂଶୋଧନ କରିଛନ୍ତି ସୁପ୍ରିମକୋର୍ଟ। ତେବେ ବିନା ଭକ୍ତରେ କଟକଣା ମଧ୍ୟରେ ଟଣାହେବ ରଥ। କେବଳ ପୁରୀରେ ରଥଯାତ୍ରା ପାଇଁ ସୁପ୍ରିମକୋର୍ଟ ଅନୁମତି ଦେଇଛନ୍ତି। ଏ ନେଇ ରାଜ୍ୟ ସରକାର ଓ ଶ୍ରୀମନ୍ଦିର ପରିଚାଳନା କମିଟି ଉପରେ ନିଷ୍ପତ୍ତି ଛାଡ଼ିଛନ୍ତି ସୁପ୍ରିମକୋର୍ଟ। ସୁପ୍ରିମକୋର୍ଟଙ୍କ ମୁଖ୍ୟ ବିଚାରପତିଙ୍କ ନେତୃତ୍ଵରେ 3 ଜଣିଆ ଖଣ୍ଡପୀଠ ରଥଯାତ୍ରା ପ୍ରସଙ୍ଗରେ ଶୁଣାଣି କରିଛନ୍ତି। ଭିଡିଓ କନଫରେନ୍ସିଂ ଜରିଆରେ ଏହି ଶୁଣାଣି କରାଯାଇଛି। ନାଗପୁର ସ୍ଥିତ ନିଜ ଘରୁ ରହି ଭିଡିଓ କନଫରେନ୍ସିଂ ମାଧ୍ୟମରେ ମୁଖ୍ୟ ବିଚାରପତି ଶୁଣାଣି କରିଛନ୍ତି। ଶୁଣାଣି ସମୟରେ ମୁଖ୍ୟ ବିଚାରପତି କହିଛନ୍ତି ଯେ, ରଥଯାତ୍ରା ସମୟରେ ସଂକ୍ରମଣ ଯେମିତି ନବ୍ୟାପେ ସେଥିପାଇଁ ରାଜ୍ୟ ସରକାର ଦାୟିତ୍ଵ ନେବେ। ରଥଯାତ୍ରା ସମୟରେ ଭକ୍ତଙ୍କ ଯୋଗଦାନ କିମ୍ବା ଜନ ସମାବେଶ ହେବନି । ଏଥିପାଇଁ ରାଜ୍ୟ ସରକାର ତ୍ଵରିତ କାର୍ଯ୍ୟ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *