ଶୂନଶାନ୍ ସହର ପାଲଟିଛି ରାଉରକେଲା। ଦିନରେ ବି ଲୋକେ ଘରୁ ବାହାରୁନାହାଁନ୍ତି। ରାଉରକେଲାରେ ଏବେ ପାଗଳ କୁକୁର ଆତଙ୍କ ଖେଳାଇଛି। ପାଗଳ କୁକୁର କାମୁଡ଼ାରେ ଗତ ୩ ଦିନ ମଧ୍ୟରେ ପ୍ରାୟ ୨୦୦ରୁ ଅଧିକ ଲୋକ ଆହତ ହୋଇ ଡାକ୍ତରଖାନାରେ ଲାଇନ ଲଗାଇଛନ୍ତି। ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଗତ ୩ ଦିନ ମଧ୍ୟରେ ଇଞ୍ଜେକ୍ସନ ନେବା ପାଇଁ ୨୦୦ରୁ ଅଧିକ କୁକୁର କାମୁଡ଼ା ରୋଗୀ ହସପିଟାଲ ଆସିଥିବା ଜଣାପଡ଼ିଛି। ହସ୍ପିଟାଲ ନିର୍ଦ୍ଦେଶକ କହିଛନ୍ତି, ପ୍ରତ୍ୟେକ ଦିନ ୭୦ରୁ ୮୦ଟି କୁକୁର କାମୁଡ଼ା ରୋଗୀ ଆସୁଛନ୍ତି। ସଠିକ ଭାବରେ କେତେ ଲୋକ ପାଗଳ କୁକୁର କାମୁଡ଼ା ଶିକାର ହୋଇଛି ତାହା ଏ ଯାଏଁ ସ୍ପଷ୍ଟ ହୋଇନଥିଲେ ମଧ୍ୟ ଅନେକ ଲୋକ ଏହାର ଶିକାର ହୋଇଥିବା ଅନୁମାନ କରାଯାଉଛି। କୁକୁର କାମୁଡ଼ା ଆତଙ୍କ ପରେ ଡାକ୍ତରଖାନାରେ ପର୍ଯ୍ୟାପ୍ତ ମାତ୍ରାରେ ଇଞ୍ଜେକ୍ସନ ଆଣି ରଖିବାକୁ କୁହାଯାଇଛି। ଏହି ମାମଲାକୁ ନେଇ ରାଉରକେଲା ମୁନିସିପାଲ କର୍ପୋରେସନକୁ ତୁରନ୍ତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି। ଅନ୍ୟପଟେ ରାଉରକେଲା ମୁନିସିପାଲ କର୍ପୋରେସନ ପକ୍ଷରୁ କୁକୁର ଧରିବା ସ୍କ୍ୱାର୍ଡ଼ଙ୍କୁ ନିୟୋଜିତ କରିଛି। ପାଗଳ କୁକୁରଗୁଡିକ ଧରି ଅଲଗା ରଖିବା ସହ କୁକୁର ସଂଖ୍ୟା ନିୟନ୍ତ୍ରଣ ପାଇଁ ରାଉରକେଲା ମୁନିସିପାଲ କର୍ପୋରେସନ ତତ୍ପର ହୋଇ ଉଠିଛି।