ବିକାଶର କଥା କହୁଛି ସୋରିଶିଆ ପଡ଼ା ରାସ୍ତା

ଗମନାଗମନ ସୁବିଧା ଦ୍ୱାରା ସ୍ୱାସ୍ଥ୍ୟ, ଶିକ୍ଷା ଭଳି ମୌଳିକ ସେବାର ବିକାଶ ହୋଇଥାଏ। ରାସ୍ତା ହିଁ ଉଭୟ ସାଂସ୍କୃତିକ ଓ ସାମାଜିକ ବିକାଶରେ ସେତୁ ଭଳି କାର୍ଯ୍ୟ କରିଥାଏ। କିନ୍ତୁ ପରିତାପର ବିଷୟ ପୁରୀ ଜିଲ୍ଲା ଗୋପ ବ୍ଲକ ସୋରିଶିଆ ପଡ଼ା ଗାଁରୁ ମୁଖ୍ୟ ରାସ୍ତାକୁ ସଂଯୋଗ କରୁଥିବା ରାସ୍ତାର ଅବସ୍ଥା ବିପର୍ଯ୍ୟସ୍ଥ। ଫଳରେ ଏହି ଗାଁର ଶହ ଶହ ଲୋକଙ୍କ ଜୀବନ ଜିବୀକା ଏବେ ପ୍ରଭାବିତ ହୋଇପଡ଼ିଛି। ସୋରିଶିଆ ପଡ଼ାରୁ ମୁଖ୍ୟ ରାସ୍ତାକୁ ସଂଯୋଗ କରୁଥିବା ରାସ୍ତାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ। ଲୋକଙ୍କ ପାଇଁ ମରଣଯନ୍ତା ପାଲଟିଛି ଏହି ରାସ୍ତା। 2020 ମସିହାରେ ଦେଶରେ ଏଭଳି ରାସ୍ତା ଅଛି କେହି ନ ଦେଖିଲେ ବିଶ୍ୱାସ କରିବେ ନାହିଁ। ଏହି ରାସ୍ତା ଉପରେ ଦୁଇଟା ୱାର୍ଡାର ପାଖାପାଖି 15 ଶହ ଲୋକ ନିର୍ଭର କରନ୍ତି। ବାରମ୍ବାର ଏହି ରାସ୍ତା ପାଇଁ ଗ୍ରାମବାସୀ ଦୀର୍ଘ ଦିନ ଧରି ଜିଲ୍ଲାପାଳଙ୍କ ନିକଟରେ ଅନେକ ଅଭିଯୋଗ କରିଥିଲେ ମଧ୍ୟ କୌଣସି ଲାଭ ମିଳିଲା ନାହିଁ। ଖୋଦ ବିଭାଗୀୟ ମନ୍ତ୍ରୀଙ୍କୁ ମଧ୍ୟ ଦେଖାକରି ଗୁହାରୀ ଜଣାଇଥିଲେ ତଥାପି ସୁଫଳ ମିଳିଲା ନାହିଁ। ସବୁ ପ୍ରକାର ଉଦ୍ୟମ କରିଥିଲେ ମଧ୍ୟ ଗ୍ରାମବାସୀ ବିଫଳ ହୋଇ କାଦୁଅ ପଙ୍କରେ ଯାତାୟତ କରୁଛନ୍ତି। ଏହି ଗାଁର ଶହଶହ ଛାତ୍ରଛାତ୍ରୀ ପ୍ରତ୍ୟେକ ଦିନ କାଦୁଅ ରାସ୍ତାରେ ଦେଢ କିଲୋମିଟର ଆସିବା ପରେ ସ୍କୁଲରେ ପହଞ୍ଚିଥାନ୍ତି। ବର୍ଷା ଦିନେ ରୋଗୀଟିଏ ଡାକ୍ତରଖାନାକୁ ଯିବାକୁ ହେଲେ ଖଟିଆରେ ବୁହା ହୋଇ ଯାଇଥାନ୍ତି। ଗ୍ରାମବାସୀଙ୍କ କହିବା କଥା ରାଜନୈତିକ ଉଦ୍ଦେଶ୍ୟ ରଖି ଏହି ରାସ୍ତାକୁ ମାଟି ରାସ୍ତାରୁ ପିଚୁ ରାସ୍ତା କରାଯାଉନି। ଆଗମୀ ଦିନରେ ପ୍ରଶାସନ ଯଦି ଏହି ରାସ୍ତା କଥା ଚିନ୍ତା ନ କରେ ତେବେ ବାଧ୍ୟ ହୋଇ ରାଜରାସ୍ତାକୁ ଓହ୍ଲାଇବାକୁ ଗ୍ରାମବାସୀ ଚେତାବନୀ ଦେଇଛନ୍ତି।

Leave a Reply

Your email address will not be published. Required fields are marked *