ଗ୍ରାଉଣ୍ଡରେ ଦେଖିବାକୁ ମିଳିବ କ୍ରିକେଟ୍ କିମ୍ବଦନ୍ତୀଙ୍କ ଜଲୱା। କ୍ରିକେଟ ଦୁନିଆର ଦୁଇ ମହାନ୍ କ୍ରିକେଟର୍ ସଚିନ ତେନ୍ଦୁଲକର ଓ ବ୍ରାଏନ୍ ଲାରା ପୁଣିଥରେ ସମ୍ନାସାମ୍ନି ହେବେ। ଏକ ମହତ କାମ ପାଇଁ ଏହି ଦୁଇ କମ୍ବଦନ୍ତୀ କ୍ରିକେଟର ପୁଣିଥରେ ପରସ୍ପର ବିରୋଧରେ ଖେଳିବେ। ଟି-୨୦ ଫର୍ମାଟରେ ସଡ଼କ ସୁରକ୍ଷା ବିଶ୍ୱ ସିରିଜ୍ରେ ଏହି ଦୁଇଜଣ ସାମ୍ନାସାମ୍ନି ହେବେ। ମାର୍ଚ୍ଚ ୭ ତାରିଖରେ ୱାଙ୍ଖଡେ ଷ୍ଟାଡିୟମରେ ଇଣ୍ଡିଆ ଲିଜେଣ୍ଡସ୍ ଓ ୱେଷ୍ଟଇଣ୍ଡିଜ୍ ଲିଜେଣ୍ଡସ୍ ଟିମ୍ ମଧ୍ୟରେ ଏହି ମ୍ୟାଚ୍ ଖେଳାଯିବ। ଟୁର୍ଣ୍ଣାମେଣ୍ଟରେ ମୋଟ ୧୧ ମ୍ୟାଚ୍ ଖେଳାଯିବ। ମ୍ୟାଚ୍ ସନ୍ଧ୍ୟା ୭ଟା ବେଳେ ଆରମ୍ଭ ହେବ। ଏହି ସିରିଜରେ ଭାରତ, ଅଷ୍ଟ୍ରେଲିଆ, ଶ୍ରୀଲଙ୍କା, ୱେଷ୍ଟଇଣ୍ଡିଜ୍ ଓ ଦକ୍ଷିଣ ଆଫ୍ରିକାର କିଛି ବଡ଼ ଖେଳାଳି ଭାଗ ନେବେ। ଏହି ପ୍ରତିଯୋଗିତାରେ ସଚିନ, ବୀରେନ୍ଦ୍ର ସେହ୍ୱାଗ, ଯୁବରାଜ ସିଂହ, ଜାହିର୍ ଖାନ୍, ଲାର, ଶିବନାରାୟଣ ଚନ୍ଦରପଲ୍, ବ୍ରେଟ୍ ଲି, ବ୍ରାଡ୍ ହଜ୍, ଜଣ୍ଟି ରୋଡ୍ସ, ମୁଥିଆ ମୁରଲୀଧରନ, ତିଳକରତ୍ନେ ଦିଲସାନ୍, ଅଜନ୍ତା ମେଣ୍ଡିସ୍ ପ୍ରମୁଖ ଖେଳିବେ। ସଡ଼କ ସୁରକ୍ଷା ବିଷୟରେ ଲୋକଙ୍କ ମନରେ ସଚେତନତା ସୃଷ୍ଟି କରିବା ଏହି ସିରିଜର ମୂଳ ଲକ୍ଷ୍ୟ। ଏହି ସିରିଜର ଦୁଇଟି ମ୍ୟାଚ୍ ୱାଙ୍ଖଡେ ଷ୍ଟାଡିୟମ, ଚାରୋଟି ମ୍ୟାଚ୍ ପୁଣେର ମହାରାଷ୍ଟ୍ର କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ, ଚାରୋଟି ମ୍ୟାଚ୍ ନବି ମୁମ୍ବାଇର ମହାରାଷ୍ଟ୍ର କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ ଏବଂ ଫାଇନାଲ୍ ମ୍ୟାଚ୍ ମାର୍ଚ୍ଚ ୨୨ ତାରିଖରେ ବ୍ରାବୋର୍ଣ୍ଣ ଷ୍ଟାଡିୟମରେ ଖେଳାଯିବ।