ଧାରା 370 ଉଚ୍ଛେଦ ପରେ ଭାରତ ପାକିସ୍ତାନ ମଧ୍ୟରେ ଲାଗି ରହିଥିବା ତିକ୍ତତା ଭିତରେ ଭାରତ ତାର ନୀତି ସ୍ପଷ୍ଟ କରିଛି। ଆତଙ୍କବାଦ ଉପରେ ଲଗାମ ନ ଲଗାଇବା ଯାଏ ପାକିସ୍ତାନ ସହ ଆଲୋଚନା ସମ୍ଭବ ନୁହେଁ। ଏଭିଳି ରୋକ ଠୋକ ପାକିସ୍ତାନକୁ ଶୁଣାଇଦେଇଛନ୍ତି ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ। ଯଦି ଆଗକୁ କଥାବାର୍ତ୍ତା ହୁଏ ତାହା କେବଳ ପାକିସ୍ତାନ ଅଧିକୃତ କଶ୍ମୀରକୁ ନେଇ ହେବ। କଶ୍ମୀରକୁ ନେଇ ଆଲୋଚନାର ପ୍ରଶ୍ନ ଉଠୁନାହିଁ ବୋଲି ପଡ଼ୋଶୀ ଦେଶକୁ ଚରମବାଣୀ ଶୁଣାଇଛନ୍ତି ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ। ରାଜନାଥ ହରିୟାଣାରେ ଭାଜପାର ଏକ କାର୍ଯ୍ୟକ୍ରମରେ ସମ୍ବୋଧିତ କରି ପାକିସ୍ତାନ ବିରୋଧରେ ବର୍ଷିଥିଲେ। ପଡ଼ୋଶୀ ଦେଶକୁ ଟାର୍ଗେଟ କରି ସେ କହିଛନ୍ତି, ଜମ୍ମୁ-କଶ୍ମୀରକୁ ସ୍ୱତନ୍ତ୍ର ମାନ୍ୟତା ପ୍ରଦାନକାରୀ ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦ ଉପତ୍ୟକାର ବିକାଶ ପାଇଁ ଉଦ୍ଦିଷ୍ଟ। ହେଲେ ଇସ୍ଲାମାବାଦ ଏହି ପଦକ୍ଷେପକୁ ଭାରତର ଏକ ଭୁଲ୍ ବୋଲି ଦର୍ଶାଇ ଅନ୍ତର୍ଜାତୀୟ ସମୁଦାୟର କବାଟ ବାଡ଼ଉଛି।