ଫ୍ରାନ୍ସରୁ ବାହାରି ଭାରତରେ ନୁହେଁ ଏହି ଦେଶରେ ଅବତରଣ କଲା ରାଫେଲ୍,ଅଧା ଆକାଶରେ ଭର୍ତ୍ତି ହେଲା ଇନ୍ଧନ

ଭାରତ ଅଭିମୁଖେ ଆସୁଛି ବହୁ ପ୍ରତୀକ୍ଷିତ ଓ ଚର୍ଚ୍ଚିତ ଯୁଦ୍ଧ ବିମାନ ରାଫେଲ୍‌। ଫ୍ରାନ୍ସରୁ ଉଡ଼ାଣ ଆରମ୍ଭ କରି ୫ହଜାର କିମି ଅତିକ୍ରମ କଲା ପରେ ଆବୁଧାବିରେ ପହଞ୍ଚିଛି ୫ଟି ରାଫେଲ୍‌ ବିମାନ। ୫ହଜାର କିମିକୁ ରାଫେଲ ମାତ୍ର 7 ଘଣ୍ଟାରୁ କମ ସମୟରେ ଅତିକ୍ରମ କରିଥିବା ଜଣାପଡ଼ିଛି। ସେଠାରେ ପାଇଲଟମାନଙ୍କୁ ବିଶ୍ରାମ ଦିଆଯାଇଛି। ଆବୁଧାବି ଅଲ୍‌ ଧଫାରା ବାୟୁସେନା ଘାଟିରେ ଏହି ବିମାନ ଅବତରଣ କରିଛି। ଏହାପରେ ସେଠାରୁ ଭାରତ ଅଭିମୁଖେ ଉଡାନ ଭରିବା ପରେ ବୁଧବାର ଅମ୍ବାଲାରେ ଅବତରଣ କରିବ ଏହି ବିମାନ। ଫ୍ରାନ୍ସ କମ୍ପାନି ଡାସଲ୍ଟ ଏଭିଏସନକୁ କ୍ରୟ ଆଦେଶ ଦିଆଯିବାର ପ୍ରାୟ ୪ ବର୍ଷ ପରେ ଭାରତକୁ ଏହାର ବହୁ ପ୍ରତୀକ୍ଷିତ ଅତ୍ୟାଧୁନିକ ଲଢ଼ୁଆ ବିମାନ ରାଫେଲ୍ ମିଳିଛି। ଫ୍ରାନ୍ସର ଦକ୍ଷିଣ ଭାଗରେ ଥିବା ମେରିଗ୍‌ନାକ୍ ବିମାନ ଘାଟିରୁ ୫ଟି ରାଫେଲ ବିମାନ ସୋମବାର ସକାଳେ ଭାରତ ଅଭିମୁଖେ ଉଡ଼ାଣ ଆରମ୍ଭ କରିଛି। ହରିୟାଣାର ଅମ୍ବାଲାସ୍ଥିତ ବାୟୁସେନା ଘାଟିରେ ଏଗୁଡ଼ିକ ଆସନ୍ତା ବୁଧବାର ଅବତରଣ କରିବ। ଦୀର୍ଘ ୭୦୦୦ କିମି ପଥ ଅତିକ୍ରମ କରିବାକୁ ଥିବା ରାଫେଲ ବିମାନକୁ ଥରେ ମାତ୍ର ସଂଯୁକ୍ତ ଆରବ ଏ‌ମିରେଟ୍ସରେ ରହିବାକୁ ଅନୁମତି ମିଳିଥିଲା। ସବୁଠୁ ବଡ଼ କଥା ହେଲା ଆକାଶ ମାର୍ଗରେ ଉକ୍ତ ବିମାନରେ ଇନ୍ଧନ ଭର୍ତ୍ତି କରାଯାଇଛି। ଭାରତୀୟ ବାୟୁସେନାର ପାଇଲଟମାନେ ଏହି ଲଢ଼ୁଆ ବିମାନ ଭାରତକୁ ଉଡ଼ାଣ କରି ଆଣୁଛନ୍ତି। ପ୍ରଥମ ପର୍ଯ୍ୟାୟରେ ଫ୍ରାନ୍ସର ଡାସଲ୍ଟ କମ୍ପାନି ଭାରତକୁ ୫ଟି ରାଫେଲ ପ୍ରଦାନ କରିଛି। ଫ୍ରାନ୍ସଠାରୁ ୩୬ଟି ରାଫେଲ୍ ବିମାନ କିଣିବା ପାଇଁ ଭାରତ ୨୦୧୬ ସେପ୍ଟେମ୍ବରରେ ଆଦେଶ ଦେଇଥିଲା। ଏହି ବିମାନ କ୍ରୟ ବାବଦରେ ଭାରତକୁ ୫୯ ହଜାର କୋଟି ଟଙ୍କା ବ୍ୟୟ କରିବାକୁ ପଡ଼ିବ। ତେବେ ଭାରତ ସରକାରଙ୍କ ସ୍ୱତନ୍ତ୍ର ଅନୁରୋଧକ୍ରମେ ଫ୍ରାନ୍ସ ରାଫେଲ୍ ବିମାନ ହସ୍ତାନ୍ତର ପ୍ରକ୍ରିୟାକୁ ଖୁବଶୀଘ୍ର ତ୍ୱରାନ୍ୱିତ କରିଛି। ୩୬ଟି ରାଫେଲର ହସ୍ତାନ୍ତର କାର୍ଯ୍ୟ ୨୦୨୧ ଶେଷ ସୁଦ୍ଧା ଶେଷହେବ ବୋଲି ଆଶା ରଖାଯାଇଛି। ଚୀନ୍ ସହିତ ଭାରତର ସମ୍ପର୍କ ଏବେ ଖରାପ ହୋଇଥିବାରୁ ରାଫେଲ ଏବେ ଭାରତୀୟ ବାୟୁସେନାର ମନୋବଳ ବଢ଼ାଇବାକୁ ଯାଉଛି।

Leave a Reply

Your email address will not be published. Required fields are marked *