ଦେଶରେ ଆସନ୍ତା ରବିବାର ‘ଜନତା କର୍ଫ୍ୟୁ’। ଅର୍ଥାତ ଏହି ଦିନ ଲୋକମାନଙ୍କ ଦ୍ୱାରା ନିଜ ଉପରେ କର୍ଫ୍ୟୁ ଲଗାଇବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ‘ଜନତା କର୍ଫ୍ୟୁ’ ମାଧ୍ୟମରେ ଲୋକମାନେ ସକାଳ ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ଅତି ଜରୁରୀ ନହେଲେ ଘରୁ ନବାହାରିବାକୁ କହିଛନ୍ତି। ଏହି ମସୟରେ କରୋନା ଭାଇରସ ନିୟନ୍ତ୍ରଣ ଲାଗି ବିଭିନ୍ନ ଜରୁରୀସେବା ଯୋଗାଉଥିବା ବ୍ୟକ୍ତି ଯେପରିକି ଡାକ୍ତର, ନର୍ସ, ସରକାରୀ କର୍ମଚାରୀଙ୍କୁ ଛାଡ଼ି ଆଉ ସମସ୍ତେ ‘ଜନତା କର୍ଫ୍ୟୁ’କୁ ମାନିବାକୁ ପ୍ରଧାନମନ୍ତ୍ରୀ ଅନୁରୋଧ କରିଛନ୍ତି। ଏହାଛଡ଼ା ଆତଙ୍କିତ ହୋଇ ଅତ୍ୟଧିକ ସାମଗ୍ରୀ ନକିଣିବାକୁ ସେ ଅନୁରୋଧ କରିଛନ୍ତି । ଏହା ସହ ମୋଦି କହିଛନ୍ତି ଯେ ଆମେ ସମସ୍ତେ ସତର୍କ ଓ ସଚେତନ ହୋଇ ରହିଲେ କୋରନାକୁ ହରାଇ ପାରିବା। କରୋନାଭାଇରସ ଯୋଗୁଁ ଦେଶର ଅର୍ଥନୀତି ଉପରେ ଗଭୀର ପ୍ରଭାବ ପଡ଼ିବା ଆଶାଙ୍କା ଦେଖାଦେଇଛି। ଏହାର ମୁକାବିଲା ଲାଗି ସରକାର ଏକ କୋଭିଡ୧୯ ଇକୋନୋମିକ ଟାସ୍କଫୋର୍ସ ଗଠନ କରିଛନ୍ତି।