ନିର୍ଭୟା ମାମଲାରେ ଦୋଷୀଙ୍କ ଲାଗି ଡେଥ୍ ୱାରେଣ୍ଟ୍ ଜାରି କରିଥିବା ବିଚାରପତିଙ୍କ ବଦଳି କରାଯାଇଛି। ବିଚାରପତି ସତୀଶ ଆରୋରା ଏଣିପି ପାଟିଆଳା ହାଉସ୍ କୋର୍ଟ ପରିବର୍ତ୍ତେ ସୁପ୍ରିମ୍କୋର୍ଟକୁ ବଦଳି କରାଯାଇଛି। ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ୪ଜଣ ଦୋଷୀଙ୍କୁ ମୃତ୍ୟୁ ପରୱାନା ଜାରି ବିଚାରପତି ସତୀଶ କୁମାର ବେଶ୍ ଚର୍ଚ୍ଚାରେ ଥିଲେ। ସେ ପଟିଆଲା ହାଉସ୍ କୋର୍ଟରେ ଅତିରିକ୍ତ ସେସନ୍ ଜଜ୍ ଭାବେ ଦାୟିତ୍ୱ ତୁଲାଉଥିବା ବେଳେ ଏବେ ତାଙ୍କର ବଦଳି ସୁପ୍ରିମକୋର୍ଟକୁ କରାଯାଇଛି। ସେଠାରେ ସେ ଅତିରିକ୍ତ ରେଜିଷ୍ଟ୍ରାର ଭାବେ କାମ କରିବେ। ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ବିଚାର କରି କିଛି ଦିନ ତଳେ ୪ଜଣ ଦୋଷୀଙ୍କୁ ମୃତ୍ୟୁଦଣ୍ଡ ଶୁଣାଇଥିଲେ ବିଚାରପତି ସତୀଶ କୁମାର ଆରୋରା। ଏହି ଘଟଣାର ଶୁଣାଣି ଅନେକ ବର୍ଷ ଧରି ଚାଲି ଆସୁଥିବା ବେଳେ ଶେଷରେ ପୀଡ଼ିତାଙ୍କ ପରିବାର ଲୋକଙ୍କୁ ନ୍ୟାୟ ମିଳିଥିଲା। ଜାନୁଆରି ୨୨ରେ ୪ଜଣ ଦୋଷୀଙ୍କୁ ଫାଶୀଦଣ୍ଡ ଦିଆଯିବାକୁ ଥିବା ବେଳେ ଅଭିଯୁକ୍ତ ମୁକେଶ ସିଂହ ଫାଶୀରୁ ବଞ୍ଚିବା ପାଇଁ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନିକଟରେ ରାଜକ୍ଷମା ପାଇଁ ଆବେଦନ କରିଥିଲା। ଯାହା ପାଇଁ ଫାଶୀ ଦିଆଯିବାର ତାରିଖ ଘୁଞ୍ଚାଯାଇଥିଲା। ରାଷ୍ଟ୍ରପତି ରାମନାଥ କୋବିନ୍ଦ ରାଜକ୍ଷମା ଆବେଦନ ଖାରଜ କରିବା ପରେ ଏବେ ୪ଜଣ ଦୋଷୀଙ୍କୁ ଫେବୃଆରି ୧ରେ ଫାଶୀ ଦିଆଯିବା ନେଇ ଦିନ ଧାର୍ଯ୍ୟ କରାଯାଇଛି।