ଓଡ଼ିଶା ପୁଣି ଚାମ୍ପିୟନ। ତୃତୀୟ ପୂର୍ବାଞ୍ଚଳ ଟେନିସ୍ କ୍ରିକେଟ୍ ପ୍ରତିଯୋଗିତାରେ ୱେଷ୍ଟ ବେଙ୍ଗଲକୁ ହରାଇ ଓଡ଼ିଶା ଦଳ ବିଜେତା ହୋଇଛି। ଭାରତୀୟ ଟେନିସ୍ କ୍ରିକେଟ୍ ସଂଘ ଏବଂ ଓଡ଼ିଶା ରାଜ୍ୟ ଟେନିସ୍ କ୍ରିକେଟ୍ ସଂଘ ମିଳିତ ଆନୁକୂଲ୍ୟରେ ଆୟୋଜିତ ତୃତୀୟ ପୂର୍ବାଞ୍ଚଳ ଟେନିସ୍ କ୍ରିକେଟ୍ ପ୍ରତିଯୋଗିତା ରବିବାର ଉଦଯାପିତ ହୋଇଯାଇଛି। ଫାଇନାଲ ମ୍ୟାଚରେ ଓଡ଼ିଶା ଓଡ଼ିଶା ଆକର୍ଷଣୀୟ ପ୍ରଦର୍ଶନ କରି ଟ୍ରଫିକୁ ନିଜ ନାଁରେ କରିଛି। ଲଗାତାର ୩ ଥର ପୂର୍ବାଞ୍ଚଳ ଟ୍ରଫି ଜିତି ହ୍ୟାଟ୍ରିକ୍ ସଫଳତା ପାଇଛି। ନହରକଣ୍ଟାସ୍ଥିତ ଶ୍ରୀ ଜୟଦେବ କଲେଜଠାରେ ଖେଳାଯାଇଥିବା ରବିବାର ଫାଇନାଲ୍ରେ ଓଡ଼ିଶା ୬ ୱିକେଟ୍ରେ ପଶ୍ଚିମବଙ୍ଗକୁ ପରାସ୍ତ କରିଥିଲା। ପଶ୍ଚିମବଙ୍ଗ ୧୫ ଓଭରରେ ୯୮ ରନ୍ରେ ଅଲ୍ଆଉଟ୍ ହୋଇଥିଲା। ପ୍ରବୀଣ ଆଚାର୍ଯ୍ୟ ୩ ୱିକେଟ୍ ନେଇଥିଲେ। ଜବାବରେ ଓଡ଼ିଶା ୧୫ ଓଭରରେ ୪ ୱିକେଟ୍ ହରାଇ ମ୍ୟାଚ୍ ଜିତି ନେଇଥିଲା। ଅଧିନାୟକ ତୁଷାର କୁମାର ପଟ୍ଟନାୟକ ୩୭ (୧୯ ବଲ୍) ଓ ବିମଳ କୁମାର ମହାପାତ୍ର ୩୫ ରନ୍ (୨୦ ବଲ୍) କରିଥିଲେ। ଅଲ୍ରାଉଣ୍ଡ ପ୍ରଦର୍ଶନ ପାଇଁ ବିମଳ (୩୫ ରନ୍, ୨ ୱିକେଟ୍) ଫାଇନାଲ୍ର ଶ୍ରେଷ୍ଠ ଖେଳାଳି ଏବଂ ତୁଷାର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ ପୁରସ୍କାର ପାଇଥିଲେ। ଉଦ୍ଯାପନୀ ଉତ୍ସବରେ ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ଟିସିଏଆଇ ପ୍ରଶାସନିକ ମୁଖ୍ୟ ଆଶିଷ କୁମାର ସିଂହ, ରିଣ୍ଟୁ ମିତ୍ର ଏବଂ ରାଗିଣୀ ମିତ୍ର ଅତିଥି ଭାବେ ଯୋଗ ଦେଇ ପୁରସ୍କାର ବଣ୍ଟନ କରିଥିଲେ।