ଓଡ଼ିଶା ପାଇଁ ଖୁସି ଖବର। ପୁଣି ଥରେ ଓଡ଼ିଶା ଆୟୋଜନ କରିବ ହକି ବିଶ୍ୱକପ। 2023ରେ ଭୁବନେଶ୍ୱର ଏବଂ ରାଉରକେଲାରେ ହକି ବିଶ୍ୱକପ ଖେଳାଯିବ। କ୍ରମାଗତ ୨ୟଥର ଲାଗି ଓଡ଼ିଶାକୁ ବିଶ୍ୱକପ୍ ଭଳି ମେଗା ଟୁର୍ଣ୍ଣାମେଣ୍ଟର ଆୟୋଜନ ଦାୟିତ୍ୱ ମିଳିଛି। ଚାରିବର୍ଷ ପରେ ଅର୍ଥାତ୍ ୨୦୨୩ରେ ପୁରୁଷ ହକି ବିଶ୍ୱକପର ୧୫ଶ ସଂସ୍କରଣ ଓଡ଼ିଶାରେ ଆୟୋଜିତ ହେବ। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ଅନ୍ତର୍ଜାତୀୟ ହକି ମହାସଂଘ (ଏଫଆଇଏଚ୍)ର ସଭାପତି ନରିନ୍ଦର ବାତ୍ରା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଏହି ଘୋଷଣା କରିଛନ୍ତି। କଳିଙ୍ଗ ଷ୍ଟାଡ଼ିୟମ ୨୦୧୮ ବିଶ୍ୱକପ୍ ହକି ସଫଳତାର ସହ ଆୟୋଜନ କରି ସାରା ବିଶ୍ୱରେ ଏକ ନୂଆ ପରିଚୟ ସୃଷ୍ଟି କରିଥିଲା। ଯାହା ଫଳରେ ପୁଣିଥରେ ହକି ବିଶ୍ୱକପ ଆୟୋଜନ କରିବାକୁ ସୁଯୋଗ ମିଳିଛି। ଏଥର କେବଳ ଭୁବନେଶ୍ୱର ନୁହେଁ, ରାଜ୍ୟର ହକି ଏନ୍ତୁଡ଼ିଶାଳ ଭାବେ ପରିଚିତ ସୁନ୍ଦରଗଡ଼ରେ ବିଶ୍ୱକପ୍ ହକି ଖେଳାଯିବ। ହକି ବିଶ୍ୱକପ ପାଇଁ ଦିଲ୍ଲୀ ଏବଂ ଓଡିଶା ରେସରେ ଥିବା ବେଳେ ସବୁ ଦୃଷ୍ଟିରୁ ବିଶ୍ୱକପ ପାଇଁ ଓଡ଼ିଶାରେ ସର୍ବାଧିକ ଭିତ୍ତିଭୂମି ଥିବା ସହ ଓ ଏଠାକାର ରାଜ୍ୟସରକାର ଆଗ୍ରହ ପ୍ରକାଶ କରିଥିଲେ। ତେଣୁ ଓଡ଼ିଶାରୁ ପୁଣିଥରେ ବିଶ୍ୱକପ ହକି ପାଇଁ ଭେନ୍ୟୁ କରାଗଲା।
ନଭେମ୍ବର ୨୭ ଠିକ୍ ଆଜିର ଦିନରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ୨୦୧୮ ହକି ବିଶ୍ୱକପର ଉଦଘାଟନ କରାଯାଇଥିଲା। ଏହାର ବର୍ଷ ପୂର୍ତ୍ତି ଅବସରରେ କଳିଙ୍ଗ ଷ୍ଟାଡିୟମରେ ଆଜି ଏଭଳି ଘୋଷଣା ହକି ପ୍ରେମୀଙ୍କ ପାଇଁ ଖୁସି ଆଣିଦେଇଛି। ଏହି ଅବସରରେ ଏଫଆଇଏଚ ସଭାପତି ନରିନ୍ଦର ବାତ୍ରା କହିଥିଲେ ଯେ ରାଜ୍ୟସରକାର ସର୍ବଦା କ୍ରୀଡ଼ାକୁ ପ୍ରତ୍ସାହନ ଦେଇଆସୁଛନ୍ତି। ବିଶେଷକରି ହକିକୁ ଅଧିକ ଗୁରୁତ୍ୱ ଦେଉଛନ୍ତି। ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଏବଂ ରାଜ୍ୟବାସୀଙ୍କ ନିକଟରେ ସେ ଋଣି ବୋଲି କହିଥିଲେ।
ସେପଟେ କଳିଙ୍ଗ ଷ୍ଟାଡ଼ିୟମର ଏହି ରଙ୍ଗାରଙ୍ଗ ଉତ୍ସବ ମଧ୍ୟରେ ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ୧୭ଟି ଆଷ୍ଟ୍ରୋଟର୍ଫ ହକି ଷ୍ଟାଡିୟମ ତିଆରି କରାଯିବା ନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିବା ସହ କଳିଙ୍ଗ କଳିଙ୍ଗ ଷ୍ଟାଡିୟମରେ ଏକ ହାଇ ପର୍ଫରମାନ୍ସ ସେଣ୍ଟର ପ୍ରତିଷ୍ଠା ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ।