କରୋନା ଭାଇରସ ସଂକ୍ରମଣ ରୋକିବା ଲାଗି ରାଜ୍ୟ ସରକାର ଅନେକ ପଦକ୍ଷେପ ହାତକୁ ନେଇଛନ୍ତି। ଆଜି ରାଜ୍ୟ ସରକାର ଏକ ନୂଆ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଲୋକଙ୍କ ଭିଡ଼ ହ୍ରାସ କରିବାକୁ ଦିଲ୍ଲୀ ଭଳି ଭୁବନେଶ୍ୱରରେ ଅଡ୍ ଇଭେନ୍ ବା ଯୁଗ୍ମ-ଅଯୁଗ୍ମ ଗାଡ଼ି ଚଳାଚଳ କରିବ। ରାଜଧାନୀ ରାଜରାସ୍ତାରୁ ଗାଡ଼ି ସଂଖ୍ୟା କମାଇବାକୁ ନୂଆ ତରିକା ଆପଣାଇଛି ବିଏମସି । ଦେଶର ରାଜଧାନୀ ଦିଲ୍ଲୀ ଭଳି ଭୁବନେଶ୍ୱରରେ ଯୁଗ୍ମ-ଅଯୁଗ୍ମ ବ୍ୟବସ୍ଥାରେ ଚାଲିବ ଗାଡ଼ି। ବସ୍, ଅଟୋ ରିକ୍ସା ଓ ଅନ୍ୟ ସାଧାରଣ ପରିବହନ ଯୋଗାଉଥିବା ଗାଡ଼ି ଯୁଗ୍ମ-ଅଯୁଗ୍ମ ଫର୍ମୁଲାରେ ଗଡ଼ିବ। ତେବେ ଘରୋଇ ଗାଡ଼ିଗୁଡ଼ିକୁ ଏହି ବ୍ୟବସ୍ଥାରୁ ବାଦ୍ ଦିଆଯାଇଛି। କେବଳ ସେତିକି ନୁହେଁ, ହସ୍ପିଟାଲ ଓ ସ୍ୱାସ୍ଥ୍ୟସେବା ଯୋଗାଉଥିବା ଗାଡ଼ି ମଧ୍ୟ ଏହି କଟକଣାରୁ ବାଦ ପଡ଼ିବ। ଜନସମାଗମରୁ ମୁକ୍ତ ରହିବା ପାଇଁ ଶନିବାର ଠାରୁ ଭୁବନେଶ୍ୱର ମହାନଗର ନିଗମ ଅଂଚଳରେ ଯୁଗ୍ମ-ଅଯୁଗ୍ମ ଫର୍ମୁଲା ଲାଗୁ ହେବ। ଫଳରେ ଆସନ୍ତାକାଲିଠାରୁ ସର୍ବସାଧାରଣଙ୍କ ପାଇଁ ଉଦ୍ଦିଷ୍ଟ ବସ୍, ଟ୍ୟାକ୍ସି, ଅଟୋରିକ୍ସାର ଶେଷ ନମ୍ବର ୧, ୩, ୫, ୭ ଓ ୯ ଥିବ, ସେହି ଯାନବାହାନ ଗୁଡ଼ିକ ରାସ୍ତାରେ ଗଡ଼ିପାରିବ।