ମୁଣ୍ଡ ଉପରେ ବିହାର ନିର୍ବାଚନ। ଏଥିପାଇଁ ସରକାରକୁ ଫେରିବା ପାଇଁ ବିଜେପି ଓ ଜେଡିୟୁ ଏବେ ଜୋରଦାର ଉଦ୍ୟମ ଚଳାଇଛନ୍ତି। କେନ୍ଦ୍ରରେ ଏନଡିଏର ସହଯୋଗୀ ଥିବା ରାମ ବିଲାଶ ପାଶ୍ୱାନଙ୍କୁ ଛାଡ଼ି ପୁଣି ଜେଡିୟୁ ସହ ମେଣ୍ଟ କରିଛି ବିଜେପି। ଏଲଜେପିର ବିରୋଧ ସତ୍ତ୍ୱେ ବିଜେପି ବିହାରରେ ଜେଡିୟୁ ସୁପ୍ରିମୋ ନୀତୀଶ କୁମାରଙ୍କୁ ଏନଡିଏର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରିଛି। ଏହି କାରଣରୁ ଚଳିତ ବିଧାନସଭା ନିର୍ବାଚନରେ ଏଲଜେପି ଏକାକୀ ପ୍ରାର୍ଥୀ ଦେବ। କିନ୍ତୁ ଦଳ କେବଳ ଜେଡିୟୁ ବିରୋଧରେ ପ୍ରାର୍ଥୀ ଦେବାକୁ ନିଷ୍ପତ୍ତି ନେଇଥିବା ବେଳେ ବିଜେପିକୁ ପୂର୍ବଭଳି ସମର୍ଥନ କରିବ। ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ଗତକାଲି ବିଜେପି ଓ ଜେଡିୟୁ ମିଳିତ ଭାବେ ସିଟ୍ ଶେୟାରିଂ ସମ୍ପର୍କରେ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କହିଛନ୍ତି, ବିଜେପି ଭାଗରେ ୧୨୧ ଓ ଜେଡିୟୁ ଭାଗରେ ୧୨୨ଟି ଆସନ ପଡ଼ିଛି। ନିଷ୍ପତ୍ତି ଅନୁଯାୟୀ, ଜେଡିୟୁ ତା ଭାଗରୁ ଜିତେନ ରାମ ମାଂଝିଙ୍କ ଏଚଏଏମକୁ ୭ଟି ଆସନ ଦେବ। ଏହାର ଅର୍ଥ ଦଳ ୧୧୫ଟି ଆସନରେ ନିଜର ନେତାମାନଙ୍କୁ ଟିକେଟ ଦେବ। ବିଜେପି ମଧ୍ୟ ତା’ ଭାଗରୁ ଏନଡିଏ ମେଣ୍ଟରେ ଥିବା ବିକାଶଶୀଳ ଇନସାନ ପାର୍ଟିକୁ କିଛି ଆସନ ଛାଡ଼ିବ ବୋଲି ନୀତୀଶ କୁମାର କହିଛନ୍ତି।