୨୦୨୪–୨୫ ଆର୍ଥିକବର୍ଷ ସୋମବାର ଶେଷ ହେବ। ଏପ୍ରିଲ ପହିଲା ଅର୍ଥାତ ଆସନ୍ତା କାଲି ଠାରୁ ନୂଆ ଆର୍ଥିକବର୍ଷ ଆରମ୍ଭ ହେବ। ୨୦୨୫–୨୬ ଆର୍ଥିକବର୍ଷର ପ୍ରଥମ ଦିନରେ ଆୟକର ଠାରୁ ଆରମ୍ଭ କରି ଜିଏସ୍ଟି, କ୍ରେଡିଟ୍ କାର୍ଡ, ୟୁପିଆଇ ନିୟମ ସମେତ ବ୍ୟାଙ୍କ ଖାତାରେ ସର୍ବନିମ୍ନ ଜମାରାଶି ପାଇଁ ରହିଥିବା ନିୟମ ଆଦି ବଦଳିଯିବ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫେବୃଆରୀ ୧ ତାରିଖରେ ୨୦୨୫–୨୬ ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ବଜେଟ ଉପସ୍ଥାପନ କରିଥିଲେ। ଏହି ସମୟ ମଧ୍ୟରେ, ସେ ଅନେକ ନିୟମରେ ପରିବର୍ତ୍ତନ ସହିତ ମଧ୍ୟବିତ୍ତ ବର୍ଗଙ୍କୁ ଆୟକରରେ ବଡ଼ ରିହାତି ଘୋଷଣା କରିଥିଲେ। ଏବେ ଏହି ନିୟମଗୁଡ଼ିକ ଆମର ଆର୍ଥିକ ବର୍ଷ ଆରମ୍ଭ ସହିତ ଆସନ୍ତା କାଲି ଅର୍ଥାତ ୧ ଏପ୍ରିଲ, ୨୦୨୫ ରୁ କାର୍ଯ୍ୟକାରୀ ହେଉଛି।
ଆୟକର–ନୂଆ ନିୟମ ଅନୁଯାୟୀ, ବାର୍ଷିକ ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରୁଥିବା ବ୍ୟକ୍ତିଙ୍କୁ ଆୟକର ଦେବାକୁ ପଡ଼ିବ ନାହିଁ। ବେତନଭୋଗୀଙ୍କୁ ମଧ୍ୟ ୭୫ ହଜାର ଟଙ୍କାର ଷ୍ଟାଣ୍ଡାର୍ଡ ଡିଡକ୍ସନ ମିଳିବ। ତେଣୁ ନୂଆ ଟିକସ ବ୍ୟବସ୍ଥାରେ ବେତନଭୋଗୀମାନଙ୍କୁ ୧୨.୭୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ ଟିକସ ଦେବାକୁ ପଡ଼ିବ ନାହିଁ। ଶିକ୍ଷା ଋଣ ଉପରୁ ଟିଡିଏସ ହଟାଇ ଦିଆଯାଇଛି। ଆପଣଙ୍କୁ ଜଣାଇ ଦେଉଛୁ ଯେ ର୍ନିଦ୍ଦିଷ୍ଟ ଆର୍ଥିକ ପ୍ରତିଷ୍ଠାନରୁ ଶିକ୍ଷା ଋଣ ଉପରେ TCS ରିହାତିକୁ ହଟାଇ ଦିଆଯାଇଛି। ପୂର୍ବରୁ ୭ ଲକ୍ଷ ଟଙ୍କାରୁ ଅଧିକ ଶିକ୍ଷା ଋଣ ଉପରେ ୦.୫% ଟିସିଏସ କଟାଯାଉଥିଲା, ଯେତେବେଳେ ୭ ଲକ୍ଷ ଟଙ୍କାରୁ ଅଧିକ ଶିକ୍ଷା କାରବାର ଉପରେ ୫% ଟିସିଏସ କଟାଯାଉଥିଲା।
ୟୁପିଆଇ– ୟୁପିଆଇ’ର ସୁରକ୍ଷାକୁ ବଢ଼ାଇବା ପାଇଁ ନ୍ୟାସନାଲ ପେମେଣ୍ଟ୍ସ କର୍ପୋରେସନ୍ ଅଫ୍ ଇଣ୍ଡିଆ କେତେକ ନୂଆ ନିୟମ ଆସନ୍ତା ପହିଲାରୁ ଲାଗୁ କରିବ। ଏହାଦ୍ବାରା ନିଷ୍କ୍ରିୟ ମୋବାଇଲ ଫୋନ ନମ୍ବରରୁ ୟୁପିଆଇ କରାଯାଇ ପାରିବ ନାହିଁ। ୟୁପିଆଇ ସହ ସଂଯୋଜିତ ହୋଇଥିବା ନିଷ୍କ୍ରିୟ ନମ୍ବରଗୁଡ଼ିକୁ ବାଦ୍ ଦେବା ପାଇଁ ଏନ୍ପିସିଆଇ ପକ୍ଷରୁ ବ୍ୟାଙ୍କ ସମେତ ଫୋନପେ, ଗୁଗଲ୍ପେ ଆଦି ସଂସ୍ଥାକୁ କୁହାଯାଇଛି।
କ୍ରେଡିଟ୍ କାର୍ଡ – କେତେକ କାର୍ଡଧାରୀଙ୍କ ପାଇଁ କ୍ରେଡିଟ୍ କାର୍ଡ ନିୟମ ପରିବର୍ତ୍ତନ ହୋଇଯିବ। ରିୱାର୍ଡ ପଏଣ୍ଟ ଢାଞ୍ଚା ଦୃଷ୍ଟିରୁ ଏହି ପରିବର୍ତ୍ତନ ହେବ।
ବରିଷ୍ଠ ନାଗରିକ ଏବଂ ଘରମାଲିକଙ୍କ ପାଇଁ ବଡ଼ ଆଶ୍ୱସ୍ତି- କେନ୍ଦ୍ର ସରକାର ବଜେଟରେ ଘୋଷଣା କରିଥିଲେ ଯେ ବରିଷ୍ଠ ନାଗରିକଙ୍କ ପାଇଁ ଟିଡିଏସ କାଟକୁ ଦ୍ୱିଗୁଣିତ କରାଯାଇଛି। ପୂର୍ବରୁ ଏହା ୫୦ ହଜାର ଟଙ୍କା ଥିଲା, ଯାହା ଏବେ ୧ ଲକ୍ଷ ଟଙ୍କା ହୋଇଯାଇଛି। ଏହା ସେମାନଙ୍କୁ ଏବେ ବହୁତ ଆଶ୍ୱସ୍ତି ଦେବ। ସେହି ସମୟରେ, ଘରମାଲିକମାନଙ୍କୁ ମଧ୍ୟ ଏକ ବଡ଼ ଆଶ୍ୱସ୍ତି ମିଳିଛି। ପ୍ରକୃତରେ, ଭଡ଼ାରୁ ଆୟ ଉପରେ ଟିଡିଏସ କାଟର ସୀମା ପ୍ରତି ଆର୍ଥିକ ବର୍ଷରେ ୨.୪ ଲକ୍ଷ ଟଙ୍କାରୁ ବୃଦ୍ଧି କରି ୬ ଲକ୍ଷ ଟଙ୍କା କରାଯାଇଛି।
ବିଦେଶୀ କାରବାର ଉପରେ TCS ସୀମା ବୃଦ୍ଧି- ବିଦେଶରୁ କାରବାର କରୁଥିବା ଲୋକଙ୍କ ପାଇଁ RBIର ଉଦାରୀକରଣ ରେମିଟାନ୍ସ ଯୋଜନା ପାଇଁ TCS କଟାଇବା ସୀମା ମଧ୍ୟ ବୃଦ୍ଧି କରାଯାଇଛି। ପୂର୍ବରୁ ବିଦେଶରୁ ୭ ଲକ୍ଷ ଟଙ୍କାର କାରବାର ଉପରେ ଟିସିଏସ କଟାଯାଉଥିଲା, ଯାହାକୁ ଏବେ ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି।
ଏଲପିଜି ମୂଲ୍ୟ– ତେଲ କମ୍ପାନୀଗୁଡ଼ିକ ପ୍ରତି ମାସର ପ୍ରଥମ ତାରିଖରେ ଏଲପିଜି ମୂଲ୍ୟ ସମୀକ୍ଷା କରନ୍ତି, ତେଣୁ ଆପଣ ଏପ୍ରିଲ 1 ତାରିଖ ସକାଳେ ସିଲିଣ୍ଡର ମୂଲ୍ୟରେ ପରିବର୍ତ୍ତନ ଦେଖିପାରନ୍ତି।
ଜିଏସ୍ଟି– ଏପ୍ରିଲ ପହିଲାରୁ ଜିଏସ୍ଟି ନିୟମ ବଦଳିଯିବ। ଜିଏସ୍ଟି ପୋର୍ଟାଲରେ ମଲ୍ଟି ଫ୍ୟାକ୍ଟର ଅଥେଣ୍ଟିକେସନ୍ (ଏମ୍ଏଫ୍ଏ)କୁ ଟିକସଦାତାଙ୍କ ପାଇଁ ବାଧ୍ୟତାମୂଳକ କରାଯିବ। ଉତ୍ତମ ସୁରକ୍ଷା ବ୍ୟବସ୍ଥା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି। ସେହିଭଳି ୧୮୦ ଦିନରୁ ପୁରୁଣା ହୋଇ ନଥିବା ମୂଳ ଦସ୍ତାବିଜ୍ ପାଇଁ ଇ-ୱେବିଲ୍ ସୃଷ୍ଟି କରାଯାଇ ପାରିବ।
ବ୍ୟାଙ୍କ ଖାତାରେ ସର୍ବନିମ୍ନ ଜମା–ଏପ୍ରିଲ ପହିଲାରୁ କେତେକ ବ୍ୟାଙ୍କ ସେମାନଙ୍କ ଗ୍ରାହକଙ୍କ ପାଇଁ ନୂଆ ସର୍ବନିମ୍ନ ଜମା ନିୟମ କାର୍ଯ୍ୟକାରୀ କରିବେ। ସର୍ବନିମ୍ନ ଜମାରାଶି ଯେଉଁମାନଙ୍କ ଖାତାରେ ନଥିବ ସେମାନଙ୍କ ଠାରୁ ଜରିମାନା ଆଦାୟ କରାଯିବ।