ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଆସନ୍ତା 22 ତାରିଖରେ ବାରବାଟୀରେ ଖେଳାଯିବ ତୃତୀୟ ଦିବାରତ୍ରି ମ୍ୟାଚ। ଏହି ମ୍ୟାଚ ପାଇଁ ଅନଲାଇନରେ ଟିକେଟ୍ ବିକ୍ରି ଶେଷ ହୋଇଯାଇଥିବା ବେଳେ ଅଫ ଲାଇନରେ ଆସନ୍ତା 19 ତାରିଖ ଠାରୁ ସାଧାରଣ ଦର୍ଶକଙ୍କ ପାଇଁ ଟିକେଟ୍ ବିକ୍ରି ହେବ। ଏହା ପୂର୍ବରୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାରବାଟୀ ଦିନିକିଆ ମ୍ୟାଚ ପାଇଁ ପ୍ରଥମ ଟିକେଟ୍ କିଣିଛନ୍ତି। ମୁଖ୍ୟମନ୍ତ୍ରୀ 708 ଟଙ୍କା ଦେଇ ନିଜ ପାଇଁ ଖଣ୍ଡିଏ ଟିକେଟ୍ କିଣିଛନ୍ତି। ଓସିଏ କର୍ତ୍ତୁପକ୍ଷଙ୍କୁ ମୁଖ୍ୟମନ୍ତ୍ରୀ 1000 ଟଙ୍କା ଦେଇଥିବା ବେଳେ ଟିକେଟ୍ ବାବଦେ 708 ଟଙ୍କା ରଖି 292 ଟଙ୍କା ମୁଖ୍ୟମନ୍ତ୍ରୀଙ୍କୁ ଫେରାଇ ଦିଆଯାଇଥିଲା। ମଙ୍ଗଳବାର ସନ୍ଧ୍ୟାରେ ସଚିବାଳୟରେ ମୁଖ୍ୟମନ୍ତ୍ରୀ ଏହି ଟିକେଟ୍ ଓସିଏ କର୍ତ୍ତୁପକ୍ଷଙ୍କ ଠାରୁ କିଣିଛନ୍ତି। ଏହି ଅବସରରେ ଓସିଏ ସଭାପତି ପଙ୍କଜ ମହାନ୍ତି, ବାରବାଟୀ ମ୍ୟାଚ ଅର୍ଗାନାଇଜିଂ କମିଟିର ଚ୍ୟାରମ୍ୟାନ୍ ଚନ୍ଦ୍ରସାରଥୀ ବେହେରା ପ୍ରମୁଖ ଉପସ୍ଥିତି ଥିଲେ।