ଡିସେମ୍ବର ୩୧ ଯାଏଁ ଗାଡି ଚାଳକଙ୍କୁ ମିଳିଲା ଆଶ୍ୱସ୍ତି। ବଢିଲା କାଗଜପତ୍ରର ବୈଧତା। ବିଭିନ୍ନ ଗାଡିର ଲାଇସେନ୍ସ ବୈଧତା ଅବଧିକୁ ଡିସେମ୍ବର ୩୧ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର। ମୋଟର ଭେଇକିଲ ଆଇନ ଅଧୀନରେ ଆସୁଥିବା ଡ୍ରାଇଭିଙ୍ଗ ଲାଇସେନ୍ସ, ଫିଟନେସ୍, ରେଜିଷ୍ଟ୍ରେସନ, ପରମିଟ୍ ଓ ଅନ୍ୟ ଡକ୍ୟୁମେଣ୍ଟ ବୈଧତା ଅବଧି ଶେଷ ହୋଇଯାଇଥିଲେ ମଧ୍ୟ ସେଗୁଡିକ ଡିସେମ୍ବର ୩୧ ପର୍ଯ୍ୟନ୍ତ କାର୍ଯ୍ୟ କରିବ ବୋଲି କୁହାଯାଇଛି।
କରୋନା ଭୂତାଣୁ ସଂକ୍ରମଣ ଯୋଗୁଁ ଦେଶରେ ସୃଷ୍ଟି ହୋଇଥିବା ପରିସ୍ଥିତି ପାଇଁ ଏପରି ନିଷ୍ପତି ନିଆଯାଇଥିବା କେନ୍ଦ୍ର ପରିବହନ ମନ୍ତ୍ରାଳୟ ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି । ଏହାକୁ ମିଶାଇ ତୃତୀୟ ଥର ପାଇଁ ଲାଇସେନ୍ସର ବୈଧତା ଅବଧିକୁ ବୃଦ୍ଧି କରିଛନ୍ତି ସରକାର । ପ୍ରଥମେ ମାର୍ଚ୍ଚ ୩୦ରେ ଜୁନ୍ ୩୦ ପର୍ଯ୍ୟନ୍ତ ଓ ତାପରେ ଜୁନ୍ ୯ରେ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ଲାଇସେନ୍ସ ବୈଧତା ଅବଧିକୁ ବୃଦ୍ଧି କରିଥିଲା କେନ୍ଦ୍ର ପରିବହନ ମନ୍ତ୍ରାଳୟ ।