ଭଦ୍ରକ ଜିଲ୍ଲାକୁ ଫେରିବେ ୩୨ ହଜାର ପ୍ରବାସୀ ଓଡ଼ିଆ। ନିଜ ଜିଲ୍ଲାକୁ ଫେରିବା ପାଇଁ ନିଜ ନାମ ଅନ୍ ଲାଇନରେ ପଂଜୀକରଣ କରିଛନ୍ତି। ଏଇ ଲୋକମାନେ ଜିଲ୍ଲାକୁ କିଭଳି ଫେରିବେ ଓ ସେମାନଙ୍କୁ କିଭଳି ଭାବେ ସଂଗରୋଧ କରାଯାଇ ରଖାଯିବ ତାହା ଉପରେ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାରେ ୭ ବ୍ଲକର ମୋଟ ୨୧୮ଟି ପଞ୍ଚାୟତର ୩୦ ହଜାର ୫୫୬ ଓ ୨ଟି ମୁନିସିପାଲଟି ଓ ୨ଟି ଏନଏସି ଅଞ୍ଚଳର ୭୯ ୱାର୍ଡକୁ ଫେରିବା ପାଇଁ ୧୭୭୪ ଜଣ ଲୋକ ସେମାନଙ୍କର ନାମ ପଂଜିକରଣ କରିଛନ୍ତି। ଏସବୁକୁ ମିଶାଇ ମୋଟ ୩୨ ହଜାର ୧୩୦ ଜଣ ନାମ ପଂଜୀକରଣ କରିଛନ୍ତି। ଏଇ ଲୋକ ଫେରିବା ପରେ ଏମାନଙ୍କର ସୁରକ୍ଷା ଦାୟିତ୍ୱ ଜିଲ୍ଲାର ୫ ଜଣ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ଉପରେ ନ୍ୟସ୍ତ କରାଯାଇଛି। ଜିଲ୍ଲାରେ ଯେତେବେଳେ ଏତେ ସଂଖ୍ୟକ ଲୋକ ବାହାର ରାଜ୍ୟରୁ ଭଦ୍ରକ ଜିଲ୍ଲାକୁ ପ୍ରବେଶ କରିବେ ଏହାକୁ ନେଇ ପ୍ରଶାସନକୁ ଅଡୁଆ ପରିସ୍ଥିତିରେ ପଡିବାକୁ ପଡିବ। ସେଥିପାଇଁ ପ୍ରଶାସନ ପକ୍ଷରୁ ଏହାର ମୁକାବିଲା ପାଇଁ ଆଗୁଆ ପକ୍ଷେପ ନିଆଯିବା ପାଇଁ ଜିଲ୍ଲାପାଳ ଜ୍ଞାନ ଦାସଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବେଠକ ଅନୁଷ୍ଠିତ ହୋଇଯାଇଛି। ବାହାରୁ ଫେରିବାକୁ ଥିବା ଲୋକମାନଙ୍କୁ ସ୍ୱତନ୍ତ୍ର ବସ୍ କିମ୍ବା ଟ୍ରେନ ଯୋଗେ ଅଣାଯିବାପାଇଁ ବ୍ୟବସ୍ଥା ହୋଇପାରେ। ଏମାନେ ଓଡ଼ିଶା ଫେରିବା ପରେ ଏମାନଙ୍କୁ ନିଜ ନିଜ ପଞ୍ଚାୟତ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା କ୍ୱାରେଣ୍ଟାଇନ୍ କେନ୍ଦ୍ରରେ ରଖାଯିବ। ଏମାନଙ୍କର ସମସ୍ତ ପ୍ରକାର ଖାଇବା ପିଇବା ବ୍ୟବସ୍ଥା ସରକାର କରିବେ। କେବଳ ସେତିକି ନୁହେଁ, ଏମାନଙ୍କର ରକ୍ତ ନମୁନା ପରିକ୍ଷା କରିବା ପରେ ୧୪ ଦିନ କ୍ୱାରେଣ୍ଟାଇନ୍ କେନ୍ଦ୍ରରେ ରଖାଯିବା ନେଇ ନିଷ୍ପତ୍ତି ହୋଇଛି।