କରୋନା ତଥ୍ୟ ଦେବାରେ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ରହୁନି ତାଳମେଳ। ଗତକାଲି ସୁଦ୍ଧା ରାଜ୍ୟରେ କରୋନାରେ ୧୭ଜଣଙ୍କ ମୃତ୍ୟୁ ଘଟିଥିବା ରାଜ୍ୟ ସରକାର ତଥ୍ୟ ଦେଉଥିବା ବେଳେ କେନ୍ଦ୍ର ସରକାରଙ୍କ ତଥ୍ୟରେ ୨୪ଜଣଙ୍କର ମୃତ୍ୟୁ ହୋଇଛି। ରାଜ୍ୟରେ କୋରନାରେ ମୃତ୍ୟୁ ହୋଇଥିବା ତାଲିକାରେ ଗଞ୍ଜାମ ଜିଲ୍ଲାରୁ ୮ଜଣ ଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରୁ ୪ଜଣ, କଟକ ଜିଲ୍ଲାରୁ ୩ଜଣ, ପୁରୀ ଜିଲ୍ଲାରୁ ଜଣେ ଓ ବରଗଡ଼ ଜିଲ୍ଲାରୁ ଜଣେ ରହିଛନ୍ତି। ୨୪ ତାରିଖ ଅପରାହ୍ନରେ ରାଜ୍ୟ ସରକାରଙ୍କ କୋଭିଡ୍ ପରିଚାଳନାର ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍ଚି କରିଥିବା ସାମ୍ବାଦିକ ସମ୍ମିଳନୀରେ ବି ସେହି ତଥ୍ୟ ଦିଆଯାଇଛି। କିନ୍ତୁ କେନ୍ଦ୍ର ସରକାରଙ୍କ ତଥ୍ୟାରେ ଓଡ଼ିଶାରେ କରୋନା ମୃତ୍ୟୁ ସଂଖ୍ୟା ୨୪ ରହିଛି। ସେମାନଙ୍କ ଭିତରେ ଗଞ୍ଜାମ ଜିଲ୍ଲାରୁ ୮ଜଣ ଥିବାବେଳେ ଖୋର୍ଦ୍ଧାରୁ ୬ଜଣ, କଟକରୁ ୪ଜଣ, ପୁରୀରୁ ୨ଜଣ, ବାଲେଶ୍ବରରୁ ଜଣେ, ମୟୂରଭଞ୍ଜରୁ ଜଣେ, ବରଗଡ଼ରୁ ଜଣେ ଓ ନବରଙ୍ଗପୁରରୁ ଜଣେ ଥିବା ସୂଚନା ରହିଛି। କେବଳ ଗଂଜାମକୁ ବାଦ୍ ଦେଲେ ଅନ୍ୟ ସମସ୍ତ ଜିଲ୍ଲାର ମୃତ୍ୟୁ ସଂଖ୍ୟା ରାଜ୍ୟ ତୁଳନାରେ କେନ୍ଦ୍ର ୱେବ୍ସାଇଟ୍ରେ ଅଧିକ ରହିଛି।