ଘୂର୍ଣ୍ଣିବଳୟ ଯୋଗୁଁ ସାରା ଓଡ଼ିଶାରେ ଲାଗିରହିଛି ବର୍ଷା। ବିଶେଷ କରି ଦକ୍ଷିଣ ଓଡ଼ିଶା ସାଙ୍ଗକୁ ଉପକୂଳ ଓ ଉତ୍ତର ଓଡ଼ିଶାରେ ବର୍ଷାର ପ୍ରଭାବ ସର୍ବାଧିକ ରହିଛି। ଅନେକ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେଉଛି। ଦୁଇ ଦିନ ଧରି ବର୍ଷା ଲାଗି ରହିଥିବାରୁ ଜନଜୀବନ ବି ପ୍ରଭାବିତ ହେଉଛି। କେଉଁଠି ସହର ଭିତରେ ବର୍ଷା ଜଳ ଢେଉ ଖେଳୁଛି ତ ଆଉ କେଉଁଠି ଆଣ୍ଠୁଏ ଉଚ୍ଚର ପାଣି। ଲୋକେ ଅସ୍ତବ୍ୟସ୍ତ ହୋଇପଡ଼ିଲେଣି। ଘରୁ ବାହାରିବା ବି ମୁସ୍କିଲ ହୋଇପଡ଼ିଛି। ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ଯେ ଆଉ ୨୪ ଘଣ୍ଟା ପର୍ଯ୍ୟନ୍ତ ସାରା ଓଡ଼ିଶାରେ ଏଭଳି ସ୍ଥିତି ରହିବ। ବୁଧବାର ୧୩ଟି ଜିଲ୍ଲାରେ ଘଡଘଡି ସହ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। କେନ୍ଦ୍ରାପଡା, ଜଗତସିଂହପୁର, ପୁରୀ, ଗଂଜାମ, ବାଲେଶ୍ୱର, ବଲାଙ୍ଗୀର, ବରଗଡ, ଖୋର୍ଦ୍ଧା, କଟକ ଯାଜପୁର, ଭଦ୍ରକ, ଗଜପତି ଓ କେନ୍ଦୁଝର ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ବଜ୍ରପାତ ହେବା ନେଇ ସତର୍କ କରାଇଛି ପାଣିପାଗ ବିଭାଗ। ଦିନ ୧୦ଟା ୧୫ ପର୍ଯ୍ୟନ୍ତ ସତର୍କ ରହିବାକୁ ୧୩ଟି ଜିଲ୍ଲାକୁ ପରାମର୍ଶ ଦିଆଯାଇଛି।