ଆଜି ୫ଟି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା। ନୂଆପଡ଼ା, କଳାହାଣ୍ଡି, ନବରଙ୍ଗପୁର, ମୟୂରଭଞ୍ଜ ଓ ଯାଜପୁର ଜିଲ୍ଲାରେ ପ୍ରବଳ ବର୍ଷା ନେଇ ପାଣିପାଗ କେନ୍ଦ୍ର ସୂଚନା ଦେଇଛି। ସେହିପରି ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଉତ୍ତର ଓଡ଼ିଶା ଓ ସଂଲଗ୍ନ ଅଞ୍ଚଳରେ ଥିବା ଘୂର୍ଣ୍ଣିବଳୟ ବର୍ତ୍ତମାନ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା ଓ ଏହା ସଂଲଗ୍ନ ଅଞ୍ଚଳରେ ରହିଛି। ଫଳରେ ଗତ ଦୁଇଦିନ ହେଲା ଓଡ଼ିଶାରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। ଆଜି ଓ ଆସନ୍ତାକାଲି ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।
ଘୂର୍ଣ୍ଣିବଳୟ ପ୍ରଭାବରେ ଗତ ୨୪ଘଣ୍ଟା ମଧ୍ୟରେ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରାୟ ସ୍ଥାନରେ ବର୍ଷା ହୋଇଥିବା ବେଳେ ଉପକୂଳ ଅଞ୍ଚଳରେ ଅନେକ ସ୍ଥାନରେ ବର୍ଷା ହୋଇଛି। ଗତ ୨୪ଘଣ୍ଟାରେ ସମ୍ବଲପୁରର କୁଚିଣ୍ଡା ଓ ବଲାଙ୍ଗୀରର ବେଲଗାଁରେ ଅତିପ୍ରବଳ ବର୍ଷା ରେକର୍ଡ କରାଯାଇଛି। କୁଚିଣ୍ଡାରେ ସର୍ବାଧିକ ୧୯୫.୦ ମିମି ହୋଇଥିବା ବେଳେ ବେଲଗାଁରେ ୧୩୮.୦ ମିମି ବର୍ଷା ରେକର୍ଡ କରାଯାଇଛି। ଏହାଛଡ଼ା ସୁନ୍ଦରଗଡ଼ ୧୦୮ ମିମି, ମୟୂରଭଞ୍ଜର ଚନ୍ଦନପୁରରେ ୧୦୩.୮ ମିମି, ଝାରସୁଗୁଡ଼ାର ଲାଇକିରାରେ ୧୦୩ମିମି, କଳାହାଣ୍ଡି କେସିଙ୍ଗାରେ ୧୦୨ମିମି, ସମ୍ବଲପୁର ଯୁଜୁମୁରାରେ ୯୭ମିମି, ଟିଟିଲାଗଡ଼ରେ ୯୭ମିମି, ଝାରସୁଗୁଡ଼ାର କିରମୀରାରେ ୯୦ମିମି, କଳାହାଣ୍ଡି ଏମ.ରାମପୁରରେ ୯୦ମିମି, ଝାରସୁଗୁଡ଼ା କୋଲାବିରାରେ ୮୯ମିମି, କଳାହାଣ୍ଡି ନର୍ଲାରେ ୮୧ମିମି, ଲାଞ୍ଜିଗଡ଼ରେ ୭୯.୨ମିମି ଓ ନୂଆପଡ଼ାର ଖରିଆରରେ ୬୭.୮ ମିମି ବର୍ଷା ରେକର୍ଡ କରାଯାଇଛି।