ଐତିହାସିକ ଓ୍ୱାଙ୍ଖଡ଼େ ଷ୍ଟାଡିୟମଠାରେ ଆଜି ଏକ ଆଶ୍ଚର୍ଯ୍ୟ କଲା ଭଳି ମ୍ୟାଚ୍ ଦେଖିବାକୁ ମିଳିଥିଲା। ଏହି ଆଶ୍ଚର୍ଯ୍ୟଜନକ ମ୍ୟାଚରେ ଅବିଶ୍ୱସନୀୟ ପାଳି ଖେଳିଛନ୍ତି ଅଷ୍ଟ୍ରେଲିଆର ବ୍ୟାଟ୍ସମ୍ୟାନ୍ ଗ୍ଲେନ ମାକ୍ସଓ୍ୱେଲ । ଆଫଗାନିସ୍ତାନର 292 ରନ ଲକ୍ଷ୍ୟ ଜବାବରେ ଅଷ୍ଟ୍ରେଲିଆ ଦଳ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଏପରିକି ଦଳ ମାତ୍ର 91 ରନରେ 7ଟି ଓ୍ୱିକେଟ୍ ହରାଇ ନିଶ୍ଚିତ ପରାଜୟ ଆଡକୁ ଯାଉଥିଲା। ଏହି ସମୟୟରେ କ୍ରିଜରେ ଥିଲେ ଗ୍ଲେନ ମାକ୍ସଓ୍ୱେଲ ଓ ଅଧିନାୟକ ପ୍ୟାଟ୍ କମିନ୍ସ। ତେବେ ନିଶ୍ଚୟ ପରାଜୟ ଜାଣି ସୁଦ୍ଧା ନିଜର ଆକ୍ରାମଣତ୍ମକ ଖେଳରୁ ବାଦ ପଡ଼ିନଥିଲେ ମାକ୍ସଓ୍ୱେଲ। ଆରମ୍ଭରୁ ମାକ୍ସଓ୍ୱେଲଙ୍କୁ 3ଟି ଜୀବନଦାନ ମିଳିଥିଲା ଯାହାର ଫାଇଦା ଆଫଗାନିସ୍ତାନର ଖେଳାଳି ନେଇପାରିନଥିଲେ । ଏହାପରେ ଆଫଗାନ ବୋଲରଙ୍କୁ ନିସ୍ତୁକ ପ୍ରହାର କରି ବିଜୟ ସେମାନଙ୍କ ହାତରୁ ଛଡ଼ାଇ ଆଣିଥିଲେ ମାକ୍ସଓ୍ୱେଲ। ଅନ୍ୟପଟେ ପ୍ୟାଟ କମିନ୍ସ କ୍ରିଜରେ ରହି ତାଙ୍କୁ ସହଯୋଗ କରିଥିଲେ । ମାକ୍ସଓ୍ୱେଲ 128ଟି ବଲରୁ ଅପରାଜିତ 201 ରନ କରି ବିଜୟୀ କରାଇଥିଲେ ନିଜ ଦଳକୁ। ଏହି 201 ରନର ବିସ୍ଫୋରକ ଇଂନିସ ମଧ୍ୟରେ ମାକ୍ସଓ୍ୱେଲ ଅନେକ ରେକର୍ଡ ଭାଙ୍ଗିବା ସହ ଏକାଧିକ ନୂଆ ରେକର୍ଡର ଅଧିକାରୀ ହୋଇଛନ୍ତି। ସେ ଚଳିତ ବିଶ୍ୱକପର ପ୍ରଥମ ବ୍ୟାଟ୍ସମ୍ୟାନ ଭାବେ ଦ୍ୱିଶତକ ଅର୍ଜନ କରିଛନ୍ତି। ମାକ୍ସଓ୍ୱେଲ ଦିନିକିଆରେ ଦ୍ୱିତୀୟ ଦ୍ରୁତତମ ଦ୍ୱିଶତକ ଅର୍ଜନ କରିଛନ୍ତି। ଏହା ପୂର୍ବରୁ ଭାରତର ଇଶାନ କିଷନଙ୍କ ନାଁରେ ଦ୍ରୁତତମ ଦ୍ୱିଶତକ ରହିଥିଲା ଯାହା ସେ 126 ବଲରୁ ହାସଲ କରିଥିଲେ। ଗେଲ୍ 138 ବଲରୁ ଓ ସେହ୍ୱାଗ 140 ବଲରୁ ଦ୍ୱିଶତକ ଅର୍ଜନ କରିଥିଲେ। କେବଳ ଏତିକି ନୁହେଁ କୌଣସି ନନଓପନର୍ ଭାବେ ମାକ୍ସଓ୍ୱେଲ ଗୋଟିଏ ମ୍ୟାଚରେ ଦିନିକିଆରେ ସର୍ବାଧିକ ରନ କରିବାର ରେକର୍ଡ ନିଜ ନାଁରେ କରିପାରିଛନ୍ତି। 6 ନମ୍ବରରେ ଆସି ସର୍ବାଧିକ ରନ ସ୍କୋର୍ କରିବାର ରେକର୍ଡ ପୂର୍ବରୁ କପିଲ ଦେବଙ୍କ ନାଁରେ ରହିଥିଲା, 1983 ବିଶ୍ୱକପରେ କପିଲ ଦେବ ଜିମ୍ବାଓ୍ୱେ ବିପକ୍ଷରେ 175 ରନ କରିଥିଲେ। କପିଲ ଦେବଙ୍କ ରେକଡ଼ ଶେଷରେ ମ୍ୟାକ୍ସୱେଲ ଭାଙ୍ଗିଦେଲେ। ଦିନିକିଆ କ୍ରିକେଟ୍ ଇତିହାସରେ କୌଣସି ନନଓପନର୍ ଦ୍ୱିଶତକ ହାସଲ କରିନାହାଁନ୍ତି। ଏହାସହ ଅଷ୍ଟ୍ରେଲିଆର ପ୍ରଥମ ବ୍ୟାଟ୍ୟମ୍ୟାନ ଭାବେ ଦିନିକିଆରେ ଦ୍ୱିଶତକ ଅର୍ଜନ କରିବାରେ ପ୍ରଥମ ଖେଳାଳି ହୋଇଛନ୍ତି ମ୍ୟାକ୍ସଓ୍ୱେଲ।