ଆଉ ମାତ୍ର ୫ ଦିନ ପରେ ପାଟକୁରା ନିର୍ବାଚନ। ଏଥିପାଇଁ ତିନୋଟି ରାଜନୈତିକ ଦଳ ବିଜେପି,ବିଜେଡି ଓ କଂଗ୍ରେସ ପ୍ରଚାର ମଇଦାନରେ ଜୋରଦାର ପ୍ରଚାର କରୁଛନ୍ତି । ତିନୋଟି ଦଳର ମାଳ ମାଳ ନେତା ଏବେ ପାଟକୁରାରେ ଡେରା ପକାଇଛନ୍ତି। ପ୍ରତ୍ୟେକ ପାଞ୍ଚାୟତ ପାଇଁ ମନ୍ତ୍ରୀ ବିଧାୟାକଙ୍କୁ ଦାୟୁତ୍ୱ ଦିଆଯାଇଛି। ପ୍ରଚାରରେ ବିଜେଡି ଓ ବିଜେପି ଆଗରେ ଥିଲେ ମଧ୍ୟ କଂଗ୍ରେସକୁ କିନ୍ତୁ ପାଟକୁରାବାସୀ ପସନ୍ଦ କରିବେ ବୋଲି ଦଳ କହିଛି। ସେପଟେ ବିଜେଡି ଓ ବିଜେପି ପକ୍ଷରୁ ପାଟକୁରା ଆସନ ହାତେଇବା ପାଇଁ ସବୁ ପ୍ରକାର ରଣନୀତି ପ୍ରସ୍ତୁତ କରାଯାଇଥିବା ଦଳ କହିଛି।
ପାଟକୁରାବାସୀଙ୍କୁ ବାହୁ ବଳ ଓ ଅର୍ଥ ବଳ ବାନ୍ଧିପାରିବ ନାହିଁ। ପବ୍ଲିସିଟିରେ ବିଜେଡି ଓ ବିଜେପି ତୁଳନାରେ କଂଗ୍ରେସ ପଛରେ ଥିଲେ ମଧ୍ୟ ପାଟକୁରା ବାସୀ କଂଗ୍ରେସକୁ ଭୋଟ ଦେବାକୁ ମନସ୍ଥ କରିସାରିଲେଣି କହିଛନ୍ତି ପିସିସି ସଭାପତି। କଂଗ୍ରେସ ପ୍ରାର୍ଥୀଙ୍କ ସମର୍ଥନରେ ଏଥର ରହିଛନ୍ତି ପାଟକୁରାବାସୀ। ସୁସ୍ଥ ଗଣତନ୍ତ୍ରରେ ବିରୋଧୀ ଦଳର ଭୁମୀକା ଗୁରୁତ୍ୱପୁର୍ଣ୍ଣ ରହିଥାଏ। ତେଣୁ ବିଜେପି ଓ ବିଜେଡ଼ି ଭାଇଭାଇର ସମ୍ପର୍କ ବିଷୟରେ ସମସ୍ତେ ଜାଣିସାରିବା ପରେ ଏବେ ପ୍ରକୃତ ବିରୋଧୀ ଦଳ ଭାବେ କଂଗ୍ରେସ ଉଭା ହୋଇଛି।
ସେପଟେ କଂଗ୍ରେସର କନଫିଡେଣ୍ଟକୁ ପରିହାସ କରିଛି ବିଜେଡି। ବିଜେଡି କହିଛି କଂଗ୍ରେସ ରାଜ୍ୟରେ ତାର ଅସ୍ତିତ୍ବ ହରାଇ ସାରିଛି। ତେଣୁ କଂଗ୍ରେସର ଏଭଳି ମନ୍ତବ୍ୟ ହାସ୍ୟପଦ। ବିଜେଡି ଲକ୍ଷାଧିକ ଭୋଟରେ ଜିତିବ ବୋଲି ଦଳ କହିଛି। ସେପଟେ ଦୀର୍ଘ ୨୦ ବର୍ଷ ଧରି ବିଧାନସଭା ମାଟି ମଡିପାରିନଥିବା ବିଜେପି ନେତା ବିଜୟ ମହାପାତ୍ର ଏଥର ପାଟକୁରାରେ ବିଜୟର ବାନା ଓଉଡାଇବାକୁ ଜୋରଦାର ଉଦ୍ୟମ ଚଳାଇଛନ୍ତି। ଦୀର୍ଘଦିନ ଧରି ବିକାଶରୁ ଦୂରରେ ରହିଥିବା ପାଟକୁରା ବାସୀ ନିଜ ଅଞ୍ଚଳର ବିକାଶ ପାଇଁ ବିଜୟ ମହାପାତ୍ରଙ୍କୁ ଭୋଟ ଦେବାକୁ ମନସ୍ଥ କରିସାରିଥିବା ବିଜେପି କହିଛି।
ପାଟକୁରା ଉପନିର୍ବାଚନ ବିଜେଡି ପାଇଁ ସମ୍ମାନର ପ୍ରଶ୍ନ ହୋଇଥିବା ବେଳେ ବିଜୟ ମହାପତ୍ରଙ୍କ ରାଜନୈତିକ କ୍ୟାରିୟରର ଟର୍ଣ୍ଣିଂ ପଏଣ୍ଟ ହେବାକୁ ଯାଉଛି।ହାରିଲେ ରାଜନୀତିରୁ ନେବେ ସନ୍ନ୍ୟାସ, ଜିତିଲେ ବିଧାନସଭା ହେବ ହୁଲୁସ୍ତୁଲ।