ପୁଣି କଳିଙ୍ଗରେ ଖେଳାଯିବ ହକି ବିଶ୍ୱକପ! ଭାରତକୁ ମିଳିଲା ଆୟୋଜନର ଦାୟିତ୍ୱ

ପୁଣି ଭାରତ ଆୟୋଜନ କରିବ ୨୦୨୩ ପୁରୁଷ ହକି ବିଶ୍ୱକପ। ଯାହା ୨୦୨୩ ଜାନୁଆରି ୧୩ରୁ ଆରମ୍ଭ ହେବ। ଜାନୁଆରି ୨୯ରେ ଫାଇନାଲ ମ୍ୟାଚ୍‌ ଖେଳାଯିବ।ଭାରତ ୪ର୍ଥ ଥର ପାଇଁ ହକି ବିଶ୍ୱକପ୍‌ ଆୟୋଜନ କାରିବାକୁ ଯାଉଛି। ହକି ବିଶ୍ୱକପ ଆୟୋଜନ ପାଇଁ ଭାରତ ସମେତ ୩ଟି ଦେଶ ଆବେଦନ କରିଥିଲେ। ହେଲେ ଓଡ଼ିଶା ହକି ପୁରୁଷ ବିଶ୍ୱକପ୍‌-୨୦୧୮ ସଫଳତାର ସହିତ ଆୟୋଜନ କରିବା ପରେ ପୁଣି ଥରେ ଭାରତକୁ ବିଶ୍ୱକପ ଆୟୋଜନ କରିବାକୁ ଅନୁମତି ମିଳିଛି। ଗତ ବର୍ଷ ଭାରତ ୧୪ତମ ସଂସ୍କରଣର ପୁରୁଷ ହକି ବିଶ୍ୱକପ୍‌ ଆୟୋଜନ କରିଥିଲା। ଏହି ଟୁର୍ଣ୍ଣାମେଣ୍ଟ ଓଡ଼ିଶାର ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମ୍‌ରେ ଖେଳାଯାଇଥିଲା। ଯେଉଁ ବିଶ୍ୱକପ ସାରା ବିଶ୍ୱକୁ ଚମକାଇ ଦେଇଥିଲା। ଏଭଳି ବିଶ୍ୱକପ ପୂର୍ବରୁ କେବେ କେହି ଦେଖିନଥିବା ଖୋଦ ଅନ୍ତର୍ଜାତୀୟ ହକି ଫେଡରେସନ ସ୍ୱୀକାର କରିଥିଲା। ଏଥିପାଇଁ ଓଡ଼ିଶା ସରକାରଙ୍କୁ ଅନେକ ପ୍ରଶଂସା ମଧ୍ୟ ମିଳିଥିଲା। ଯାହାର ଫଳସୁରପ ପୁଣି ଥରେ ଭାରତକୁ ପୁରୁଷ ହକି ବିଶ୍ଵକପ ଆୟୋଜନର ଭାର ଦିଆଯାଇଛି।

ସେପଟେ ଭାରତରେ ହକି ବିଶ୍ୱକପ ହେଲେ ପୁଣି ଥରେ କଳିଙ୍ଗ ଷ୍ଟାଡିୟମରେ ଏହା ଅନୁଷ୍ଠିତ ହୋଇପାରେ। ସବୁ ଦୃଷ୍ଟିରୁ ଭାରତର ଅନ୍ୟ ସହର ତୁଳନାରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଉନ୍ନତ ଓ ଅତ୍ୟାଧୁନିକ ଭିତ୍ତିଭୂମି ଅଛି। ଏହା ସହ 2018 ବିଶ୍ୱକପ ଆୟୋଜନର ଅଭିଜ୍ଞତା ମଧ୍ୟ ରହିଛି।ତେଣୁ ବିଶ୍ୱକପ ଆୟୋଜନ ରେସରେ କଳିଙ୍ଗ ଷ୍ଟାଡିୟମ ସର୍ବାଗେ ରହିଛି ବୋଲି ଅନେକ ହକି ବିଶେଷଜ୍ଞ ମତ ରଖିଛନ୍ତି। ଭାରତରେ ଏଯାଏଁ ୩ଟି ପୁରୁଷ ହକି ବିଶ୍ୱକପ୍‌ ଖେଳାଯାଇଛି। ମୁମ୍ବାଇରେ ୧୯୮୨, ନୂଆଦିଲ୍ଲୀରେ ୨୦୧୦ ଓ ଭୁବନେଶ୍ୱରରେ ୨୦୧୮ରେ ପୁରୁଷ ହକି ବିଶ୍ୱକପ୍‌ ଆୟୋଜନ ହୋଇଛି।

Leave a Reply

Your email address will not be published. Required fields are marked *