ଶେଷରେ ଦିଲ୍ଲୀକୁ ମିଳିଲା ଫାଇନାଲ୍ ଟିକେଟ୍। ରବିବାର ସନ୍ରାଇଜର୍ସ ହାଇଦ୍ରାବାଦକୁ 17 ରନରେ ହରାଇ ପ୍ରଥମ ଥର ପାଇଁ ଫାଇନାଲରେ ସ୍ଥାନ ପକ୍କା କରି ନେଇଛି ଶ୍ରେୟସ୍ ଆୟରଙ୍କ ଦଳ। ଆଇପିଏଲ୍ରରେ ଏକାଧିକଥର ଫାଇନାଲ୍ ଦ୍ବାରରେ ପହଞ୍ଚିଥିଲେ ବି କେବେବି ଫାଇନାଲ ଖେଳିପାରିନଥିଲା ଦିଲ୍ଲୀ। ଏଥର କିନ୍ତୁ ଦିଲ୍ଲୀ ପାଇଁ ସବୁ ପ୍ରତୀକ୍ଷାର ଅନ୍ତ ଘଟିଛି। ରବିବାରର ଉତ୍କଣ୍ଠାପୂର୍ଣ୍ଣ , ରୋମାଞ୍ଚକର ତଥା ନାଟକୀୟ ଦ୍ବିତୀୟ କ୍ବାଲିଫାୟରରେ ସନ୍ରାଇଜର୍ସକୁ ୧୭ ରନ୍ରେ ହରାଇ ପ୍ରଥମ ଥର ଆଇପିଏଲ୍ ଫାଇନାଲ୍ରେ ପ୍ରବେଶ କରିଛି ଦିଲ୍ଲୀ। ଏବେ ମଙ୍ଗଳବାର ଟ୍ରଫି ଟକ୍କରରେ ଚାରି ଥର ବିଜେତା ତଥା ଡିଫେଣ୍ଡିଂ ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସକୁ ଭେଟିବ ଦିଲ୍ଲୀ।
ଦିଲ୍ଲୀ ତା’ ସହ ଗତବର୍ଷ ଏଲିମିନେଟର ପରାଜୟର ମଧୁର ପ୍ରତିଶୋଧ ନେଇଛି। ଗତବର୍ଷ ଦିଲ୍ଲୀକୁ ହରାଇ ହାଇଦ୍ରାବାଦ କ୍ବାଲିଫାୟରକୁ ଯାଇଥିଲା। ଏବର୍ଷ ହାଇଦ୍ରାବାଦକୁ ପଥଚ୍ୟୁତ କରି ଫାଇନାଲ ଖେଳିବାକୁ ଯାଉଛି ଦିଲ୍ଲୀ କ୍ୟାପିଟାଲ୍ସ। ଦଳ ପକ୍ଷରୁ ମାର୍କସ ଷ୍ଟୋଇନିସ୍ ଆକର୍ଷଣୀୟ ଖେଳ ପ୍ରଦର୍ଶନ କରି ମ୍ୟାଚର ଶ୍ରେଷ୍ଠ ଖେଳାଳି ହୋଇଥିଲେ। ମାର୍କସ ଷ୍ଟୋଇନିସ୍ ଠିକଣା ସମୟରେ ଲୟରେ ଥିବା ୱିଲିୟମସନଙ୍କୁ ଆଉଟ୍ କରି ମ୍ୟାଚ୍ର ମୋଡ଼ ପୂରା ବଦଳାଇ ଦେଇଥିଲେ। ନିୟମିତ ୱିକେଟ୍ ହରାଇ ହାଇଦ୍ରାବାଦ ୮ ୱିକେଟ୍ ବିନିମୟରେ ୧୭୨ ରନ୍ କରି ପରାଜିତ ହେବା ସହ ଚଳିତ ଆଇପିଏଲ୍ରୁ ବିଦାୟ ନେଇଥିଲା। କାଗିସୋ ରବାଦା ମଧ୍ୟ ପୁନର୍ବାର ବାଇଗଣୀ ଟୋପୀ ଫେରି ପାଇଥିଲେ। ସେ ଏହି ମ୍ୟାଚରେ 4ଟି ୱିକେଟ୍ ହସାଲ କରିଥିଲେ।