ୟୁଏଇରେ ଆୟୋଜିତ ହୋଇପାରେ ଆଇପିଏଲ। ଆଇସିସି ଦ୍ୱାରା ଟି-୨୦ ବିଶ୍ୱକପକୁ ସ୍ଥଗିତ ରଖାଯିବା ପରେ ଆଇପିଏଲ ପାଇଁ ପଥ ପରିଷ୍କାର ହୋଇଯାଇଛି। ୟୁନାଇଟେଡ୍ ଆରବ ଏମିରେଟସ ବା ୟୁଏଇରେ ଆସନ୍ତା ସେପ୍ଟେମ୍ବର ୨୬ ରୁ ନଭେମ୍ବର ୮ ମଧ୍ୟରେ ଏହି ପ୍ରତିଯୋଗିତା ଆୟୋଜିତ କରିବାକୁ ନିଷ୍ପତି ନେଇପାରେ ବିସିସିଆଇ। ଯଦି ଏମିତି ହୁଏ ତେବେ ୪୪ ଦିନରେ ମୋଟ ୬୦ଟି ମ୍ୟାଚ ଖେଳାଯିବ। ଏନେଇ ଆଇପିଏଲ ଗଭର୍ଣ୍ଣିଂ କାଉନସିଲ ଅଧ୍ୟକ୍ଷ ବ୍ରିଜେଶ ପଟେଲ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସେ କହିଛନ୍ତି ୟୁଏଇରେ ଆଇପିଏଲ ଆୟୋଜନ କରିବାକୁ ସରକାରଙ୍କୁ ଅନୁମତି ମଗାଯାଇଛି। ଅନୁମତି ମିଳିବା ପରେ ଆନୁଷ୍ଠାନିକ ଘୋଷଣା କରାଯିବ। ଆଇପିଏଲ ସାଧାରଣତଃ ଏପ୍ରିଲ ମାସରେ ହୋଇଥାଏ । କିନ୍ତୁ ଭାରତରେ କରୋନା ସଂକ୍ରମଣ ଯୋଗୁଁ ଚଳିତ ବର୍ଷ ଆଇପିଏଲ ସ୍ଥଗିତ ରହିଛି। ଭାରତରେ ନିକଟ ଭବିଷ୍ୟତରେ କରୋନା ସ୍ଥିତି ସୁଧୁରୁବି ଭଳି ଲାଗୁ ନାହିଁ। ଏହାକୁ ଦୃଷ୍ଟିରେ ରଖି ବିସିସିଆଇ ବିଦେଶରେ ଏହାକୁ ଆୟୋଜନ କରିବା ଲାଗି ନିଷ୍ପତି ନେଇଛି। ୨୦୧୪ରେ ଭାରତରେ ନିର୍ବାଚନ ଥିବାରୁ ଆଇପିଏଲର କେତେକ ମ୍ୟାଚ ୟୁଏଇରେ ଆୟୋଜିତ ହୋଇଥିଲା ।