ଯେତେବେଳେ ଏକ ଉଚ୍ଚ ବୃତ୍ତିଧାରୀ ମନ ଖାଦ୍ୟଶିଳ୍ପର ମୋହରେ ପଡେ , ସେତେବେଳେ ସେ କ୍ଷେତ୍ରରେ ସୃଷ୍ଟି ହୁଏ ବୈପ୍ଲବିକ ପରିବର୍ତ୍ତନ । କିଛି ଭିନ୍ନ, ଅନନ୍ୟ ଓ ସ୍ୱତନ୍ତ୍ର କରି ଦେଖାଇବାର ଝୁଙ୍କ୍ ଯେତେବେଳେ ମନରୁ ମସ୍ତିଷ୍କକୁ ଜଡ଼େଇ ଧରେ, ସେତେବେଳେ ଶିଖର ସଫଳତା ଛୁଇଁବା ବାଟ ଆପେ କଢ଼େଇ ହୋଇଯାଏ । ସେମିତି ହିଁ କିଛି ଜିଦ୍ ଓ ଆପଣା ମାଟିର ମହକ ତାଙ୍କୁ ବାଧ୍ୟ କରିଛି ଖାଦ୍ୟଶିଳ୍ପରେ ସୃଷ୍ଟି କରିବାକୁ ସ୍ୱତନ୍ତ୍ର ଛାପ ।….
ତାପସ କୁମାର ସାହୁ… ପେସାରେ ଚାଟାର୍ଡ ଆକାଉଣ୍ଟାଣ୍ଟ । ହେଲେ ପିଲା ବେଳୁ ସେ ପଡ଼ିଥିଲେ ଖାଦ୍ୟ ପ୍ରେମରେ । ଭଳିକି ଭଳି ଖାଦ୍ୟ ଚାଖିବା ଓ ନୂଆ ନୂଆ ଡିସ୍ ତିଆରି କରି ଖୁଆଇବା ଥିଲା ତାଙ୍କର ସଉକ । ଆମ ରାଜ୍ୟ ଓଡ଼ିଶାର ଖାଦ୍ୟପେୟ ଯେତିକି ବିବିଧ, ସେତିକି ସମୃଦ୍ଧ ତାର ସ୍ଵାଦର ଇତିହାସ । ଜଣେ ଖାଦ୍ୟପ୍ରିୟ ଓଡ଼ିଆ ଭାବେ ତାପସ ବା କେମିତି ସ୍ୱାଦର ଏହି ମୋହରୁ ମୁକିଳି ପାରି ଥାଆନ୍ତେ ? ହିସାବକିତାବର ଜଞ୍ଜାଳମୟ ବୃତ୍ତିରୁ ଫୁରୁସତ ମିଳିଲେ, ସେ ଲାଗି ପଡୁଥିଲେ ଭିନ୍ନ ଭିନ୍ନ ଖାଦ୍ୟର ପୃଷ୍ଠଭୂମି ଓ ପରମ୍ପରା ଅଣ୍ଡାଳିବାରେ । ସେତିକିରେ ବୁଝୁ ନ ଥିଲା ତାଙ୍କ ମନ । ସେସବୁ ଡିସ୍କୁ ନିଜ ଅନ୍ଦାଜରେ ରୋଷେଇ ଘରେ ତିଆରି କରୁଥିଲେ ତାପସ । ଏସବୁ ଭିତରେ ବିରିୟାନି ଥିଲା ତାଙ୍କ ସବୁଠୁ ପସନ୍ଦର ଡିସ୍ । ନିଜେ ନାନା ରକମର ବିରିଆନି ଖାଉଥିଲେ, ଆଉ ତିଆରି କରି ଅନ୍ୟମାନଙ୍କୁ ଖୁଆଉଥିଲେ ।…
୨୦୧୪ ମସିହା ପାରାଦୀପରେ ରହଣି ବେଳେ ସି ଫୁଡ୍ ପ୍ରତି ଆକର୍ଷିତ ହୋଇ ପଡିଯାନ୍ତି ଅପେକ୍ଷାକୃତ ନରମ ଆବରଣଯୁକ୍ତ ମାଂସାଳ ଓ ମଧୁରିଆ ନୀଳ କଙ୍କଡା ମୋହରେ। ଏହା ପରେ ତାଙ୍କ ପାକଶାଳାରୁ ଜନ୍ମନିଏ Blue Crab ବା ନୀଳ କଙ୍କଡ଼ା ଦମ୍ ବିରିୟାନୀ । ୟେ ବିରିୟାନୀ ବି ଏତେ ସୁଆଦିଆ ଓ ସୁଗନ୍ଧରେ ଭରା ଥିଲା ଯେ, ତୃପ୍ତିର ଖୁସି ଖାଲି ପାଟିରୁ ନୁହେଁ, ମନରୁ ବି ନିଗିଡ଼ି ଆସିଥିଲା । ସବୁଠୁ ବଡ଼ କଥା ହେଲା, ଏହା ଆଦୌ ବି ତୈଳାକ୍ତ ନ ଥିଲା । ଉଭୟ ପାଟି ଓ ପେଟ ପାଇଁ ଏହାର ଅନୁଭବ ଏପରି ଥିଲା ଯେ, ବିଶ୍ବାସ କରନ୍ତୁ… ସେବେଠୁ ଆଜି ଯାଏଁ ଯିଏ ବି ତାପସଙ୍କ ନୀଳ କଙ୍କଡ଼ା ବିରିଆନି ଚାଖିଛି, ସେ କହିଛି.. ‘ୟେ ଦିଲ୍ ମାଙ୍ଗେ ମୋର୍’ ।…
କଥାରେ ଅଛି ଖୁସି ବାଣ୍ଟିଲେ ବଢ଼େ। ଆଉ ଜଣେ ଖାଦ୍ୟପ୍ରିୟ ମଣିଷ ପାଇଁ ସ୍ବାଦ ବାଣ୍ଟିବା ଛଡ଼ା ଆଉ ଖୁସିର କଥା କଣ ହୋଇପାରେ। ଏଭଳି ଏକ ଅବର୍ଣ୍ଣନୀୟ ସ୍ୱାଦକୁ ଦୁନିଆ ସହ ବାଣ୍ଟିବା ପାଇଁ ନିଜ ପରିବାର ଓ ସାଙ୍ଗସାଥୀଙ୍କ ପ୍ରେରଣା, ତାପସଙ୍କୁ ବାଟ କଢ଼େଇ ଆଣିଛି ଆଜିର ଏହି ସୋପାନ ଯାଏଁ । ପରିବେଶ ସୁରକ୍ଷା ଭଳି ଗୁରୁତ୍ୱପୂର୍ଣ୍ଣ ଦିଗକୁ ଅଣଦେଖା ନକରି, ତାଙ୍କ ଭଳି ସମସ୍ତ ଖାଦ୍ୟପ୍ରେମୀଙ୍କ ହାତରେ ଅତି ସହଜରେ ସ୍ୱାଦିଷ୍ଟ ଖାଦ୍ୟ ପହଞ୍ଚାଇବାର ପ୍ରୟାସରୁ ସୃଷ୍ଟି ହୋଇଛି ଆଜିର ଏହି ସ୍ୱାଦର ସମ୍ଭାର। ଭୁବନେଶ୍ୱର ଇନଫୋସିଟି ଛକ ନିକଟରେ ସ୍କ୍ରମ୍ପସିୟସ ବିରିୟାନୀ ନାମରେ ଏହି ରେଷ୍ଟ୍ରୁରାଣ୍ଟ ଖୋଲାଯାଇଛି। ତାପସ ବାବୁ କୁହନ୍ତି, ଇକୋ-ଫ୍ରେଣ୍ଡଲି ଓ ମାଇକ୍ରୋୱେଭେବୁଲ୍ ପ୍ୟାକେଜିଂରେ ରେଡି-ଟୁ-ଇଟ୍ ମିଲ୍ ଭାବେ ଆମେ ଯୋଗାଇ ଦେବାକୁ ଯାଉଛୁ ବିରିଆନିର ସ୍ୱାଦିଷ୍ଟ ସମ୍ଭାର। ଗ୍ରାହକଙ୍କ ସୁବିଧା ଦୃଷ୍ଟିରୁ ଏହି ପ୍ୟାକେଜିଂରେ ସାମିଲ ହୋଇଛି ସାନିଟାଇଜର୍ ୱାଇପ୍, ଉଡେନ୍ ସ୍ପୁନ୍, ଉଡେନ୍ ଫର୍କ, ସଲଟ ଓ ମାଉଥ୍ ଫ୍ରେଶନର୍ ସାଚେଟ। ଏହା କେବଳ ଯେ ଆପଣଙ୍କୁ ତୃପ୍ତିପୂର୍ଣ୍ଣ ଅଭୁଲା ସ୍ବାଦର ଅନୁଭବ ଦେବ ତା ନୁହେଁ, ପରିବେଶ ସୁରକ୍ଷା ଦିଗରେ ମଧ୍ୟ ଏକ ବଡ଼ ଯୋଗଦାନ ରଖିବ। ଏଠାରେ ପ୍ୟାକେଜିଂରେ ବ୍ୟବହାର କରାଯାଉଥିବା ବ୍ୟାକୟାଡ୍ କମ୍ପୋଷ୍ଟେଵୁଲ ପ୍ଲେଟ୍ ସହଜରେ ମାଟିରେ ମିଳେଇଯିବ ଏବଂ ଜଳ ସଂଚୟ ଓ ସଂରକ୍ଷଣ ଦିଗରେ ବି ବେଶ୍ ସହାୟକ ହେବ ବୋଲି ସେ କହିଛନ୍ତି।
ଏହି ବିରିଆନୀ ରେସିପିରେ ପାରମ୍ପରିକ ଓଡ଼ିଆ ଖେଚୁଡ଼ି ରନ୍ଧନ ଶୈଳୀର ଛାପ ଥିବାରୁ ଖାଦ୍ୟର ଦୁନିଆକୁ ଏହା ଓଡ଼ିଆ ବିରିୟାନୀର ପରିଚୟ ନେଇ ଆସିବା ନିଃସନ୍ଦେହ ଥିଲା । ତେଣୁ ଏଇ ବିରିୟାନୀ ପାଇଁ ନାଁଟି ବାଛିଲା ବେଳେ Scrumptiousଠୁ ବଳି ଭଲ ନାଁ ଟେ ବା ଆଉ କଣ ହୋଇପାରିଥାନ୍ତା? ସେଇଥିପାଇଁ ବହୁ ବିଚାରବିମର୍ଶ ପରେ ବିରିୟାନୀ ଜଗତରେ ଆମେ ଏହି ନୂଆ ଯାତ୍ରାର ନାଁ ସ୍କ୍ରମ୍ପସିୟସ ବିରିୟାନୀ ଦେଇଥିବା କହିଛନ୍ତି ତାପସ କୁମାର ସାହୁ….