ଆଣ୍ଡାମାନ ନିକୋବରରେ ଭାରତ-ଆମେରିକା ପକ୍ଷରୁ ଦୁଇ ଦିନିଆ ମିଳିତ ନୌସମରାଭ୍ୟାସ ଆରମ୍ଭ। ଭାରତ-ଚୀନ ମଧ୍ୟରେ ସୃଷ୍ଟି ହୋଇଥିବା ତିକ୍ତତା ଭିତରେ ଭାରତ-ଆମେରିକା ଜୋରଦାର ନୌସମରାଭ୍ୟାସ ଆରମ୍ଭ କରିଛନ୍ତି। ଭାରତ ପାଇଁ ଏହି ନୌସମରାଭ୍ୟାସ ବେଶ ଗୁରୁତ୍ବପୂର୍ଣ୍ଣ ମନେ କରାଯାଉଛି। ଲଦାଖରେ ଏଲଏସି ନିକଟରେ ଭାରତ ଓ ଚୀନ୍ ମଧ୍ୟରେ ଯେଉଁଭଳି ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଛି, ସେ ଦୃଷ୍ଟିରୁ ଆଜିର ମିଳିତ ନୌସମରାଭ୍ୟାସ ଖୁବ୍ ଗୁରୁତ୍ୱ ବହନ କରୁଛି। ଆଣ୍ଡାମାନ ନିକୋବର ଉପକୂଳରେ ଆମେରିକା ନୌସେନାର ସବୁଠୁ ବଡ଼ ପରମାଣୁ ଅସ୍ତ୍ର ବହନକାରୀ ଯୁଦ୍ଧ ପୋତ ‘ନିମିଜ୍’ ସହିତ ଉଭୟ ସେନା ପକ୍ଷରୁ ସମରାଭ୍ୟାସ କରାଯାଉଛି। ଆମେରିକାର ଏହି ଯୁଦ୍ଧ ପୋତ ନିମିଜ୍ ଏକାଥରକେ ୬,୦୦୦ ନୌସୈନିକ, ୯୦ ଲଢୁଆ ଜାହାଜ, ୬୦ ହେଲିକପ୍ଟରକୁ ବହନ କରିବାର କ୍ଷମତା ରଖିଛି।ଗତମାସରେ ଭାରତ-ଜାପାନ ନୌସେନା ପକ୍ଷରୁ ମିଳିତ ସମରାଭ୍ୟାସର ଆୟୋଜନ କରାଯାଇଥିଲା।