ବାରବାଟୀ ଦିନିକିଆ: ଦର୍ଶକଙ୍କ ସୁବିଧା ପାଇଁ ଅନେକ ନୂଆ ପଦକ୍ଷେପ ହାତକୁ ନେଲା ଓସିଏ

ଆସନ୍ତା 22 ତାରିଖରେ ବାରବାଟୀରେ ଖେଳାଯିବ ବହୁ ପ୍ରତିକ୍ଷିତ ଭାରତ ଓ ୱେଷ୍ଟଇଣ୍ଡିଜ୍ ତୃତୀୟ ଦିନିକିଆ। ଏହି ମ୍ୟାଚ ଯେତିକି ପାଖେଇ ଆସୁଛି, କିକେଟ୍ ପ୍ରେମୀଙ୍କ ମଧ୍ୟରେ ସେତିକି ଉତ୍ସାହ ଦେଖିବାକୁ ମିଳିଛି। ବାରବାଟୀ ମ୍ୟାଚ୍ ପାଇଁ ଷ୍ଟାଡିୟମରେ ଯୁଦ୍ଧକାଳୀନ ସ୍ଥିତିରେ ପ୍ରସ୍ତୁତି ଚାଲିଛି। ମ୍ୟାଚ ସମୟରେ ଦର୍ଶକଙ୍କୁ ଯେମିତି କୌଣସି ପ୍ରକାର ଅସୁବିଧା ହେବନି ସେଥିପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ନେଇଛି ଓସିଏ। ବିଶେଷକରି ଏଥର ଦର୍ଶକଙ୍କ ପାଇଁ ‘ଫ୍ୟାନ୍ ଜୋନ୍‌’ର ବନ୍ଦୋବସ୍ତ କରାଯାଇଛି। ଯେଉଁ ଦର୍ଶକମାନେ ଷ୍ଟାଡିୟମରେ ବସି ମ୍ୟାଚ୍ ଦେଖିବାରୁ ବଞ୍ଚିତ ହେବେ, ସେମାନେ ବାହାରେ ବଡ଼ ସ୍କ୍ରିନ୍ ଦ୍ୱାରା ଏହାର ଭରପୂର ମଜା ଉଠାଇ ପାରିବେ। ଏହା କେବଳ ଷ୍ଟାଡିୟମ ବାହାରେ ନୁହେଁ, ବରଂ ସହରର ଅନ୍ୟ କିଛି ସ୍ଥାନରେ ମଧ୍ୟ ବଡ଼  ବଡ଼ ଏଲଇଡି ସ୍କ୍ରିନ୍ ମାଧ୍ୟମରେ ମ୍ୟାଚର ମଜା ଉଠାଇ ପାରିବେ ଦର୍ଶକ। ୧୯ତାରିଖରେ ଭୁବନେଶ୍ୱର ମେ-ଫେୟାର ହୋଟେଲରେ ପହଞ୍ଚିବେ ଉଭୟ ଭାରତ ଓ ଓ୍ୱେଷ୍ଟଇଣ୍ଡିଜ ଦଳର ଖେଳାଳି । ୨୦ ଓ ୨୧ ତାରିଖରେ ସକାଳ ୯ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ଓ୍ୱେଷ୍ଟଇଣ୍ଡିଜ ଦଳ ବାରବାଟୀରେ ପ୍ରାକ୍ଟିସ କରିବେ । ପରେ ୨ଟା ରୁ ସଂନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଭାରତୀୟ ଦଳ ଅଭ୍ୟାସ କରିବ। ଏଥର ବାରବାଟୀରେ ଗୋଟିଏ ଚିତାକର୍ଷକ ମ୍ୟାଚ ଆଶା କରାଯାଉଛି। ସେପଟେ ମ୍ୟାଚ କ୍ୟୁରେଟରଙ୍କ ମତରେ ଏଥର ପିଚ ବ୍ୟାଟ୍ସମ୍ୟାନଙ୍କୁ ସୁହାଇବ। ତେଣୁ ସ୍କୋର ତିନିଶହରୁ ଅଧିକ ହେବ ବୋଲି ଆଶାକରାଯାଉଛି।

ବାରବାଟୀ ଦିନିକିଆ ପାଇଁ ଆସନ୍ତା ୧୬ ଓ ୧୭ ତାରିଖରେ ଅଫିସ୍ ବିୟରର୍ସ, କାଉନସିଲ୍ ସଦସ୍ୟ, ଆଫିଲିଟେଡ୍ ୟୁନିଟ୍ସ, ଆସୋସିଏଟ୍ ସଦସ୍ୟ ଓ ବିସିସିଆଇ ଆଫିଲିଟେଡ୍ ୟୁନିଟ୍ ଏବଂ ସ୍ପନସରଙ୍କୁ ଓସିଏ କନଫରେନ୍ସ ହଲରେ ଟିକେଟ୍ ମିଳିବ। ଟିକେଟ୍ କାଉଣ୍ଟର ସକାଳ ୯ଟାରୁ ସନ୍ଧ୍ୟା ୫ଟା ଯାଏ ଖୋଲିବ। ସେପଟେ ଆସନ୍ତା 19 ତାରିଖ ଠାରୁ ସାଧାରଣ ଦର୍ଶକଙ୍କ ପାଇଁ ଟିକେଟ୍ କାଉଣ୍ଟର ଖୋଲିବ। ମ୍ୟାଚ୍ ପାଇଁ କାଉଣ୍ଟରରେ ଟିକେଟ୍ କିଣିବାକୁ ଚାହୁଁଥିବା ଦର୍ଶକ ନିଜର ପରିଚୟପତ୍ର ଦେଖାଇ ଟିକେଟ କିଣିପାରିବେ। ଜଣେ ବ୍ୟକ୍ତି ମାତ୍ର ଦୁଇଟି ଟିକେଟ୍ କିଣିପାରିବେ। ପ୍ରତି ଟିକେଟ୍ କାଉଣ୍ଟର ଉପରେ ସିସିଟିଭି ନଜର୍ ରଖିବ। ତେବେ ଏଥର ଟିକେଟ୍ ନେବାରେ ଦର୍ଶକଙ୍କୁ ଯେପରି କୌଣସି ସମସ୍ୟା ନହୁଏ, ସେଥିପାଇଁ ଓସିଏ ଅଧିକ ଟିକେଟ କାଉଣ୍ଟର ଖୋଲିବ। ସେହିପରି ପ୍ରଥମଥର ମହିଳାଙ୍କ ଲାଗି ଅଲଗା କାଉଣ୍ଟରର ବ୍ୟବସ୍ଥା କରାଯିବା ନେଇ ଓସିଏ ଚିନ୍ତା କରୁଛି। ବାତ୍ୟା ଯୋଗୁ ଷ୍ଟାଡିୟମର ୭ ନମ୍ବର ଗ୍ୟାଲେରୀ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବାରୁ ଏଥର ଏହି ଗ୍ୟାଲେରୀକୁ ବନ୍ଦ କରି ଦିଆଯାଇଛି। ଏହି ଗ୍ୟାଲେରୀ ବନ୍ଦ ରହିବା ଦ୍ୱାରା ୫ହଜାର ସିଟ୍ ସଂଖ୍ୟା କମି ଯାଇଛି। ସାଧାରଣ ଦର୍ଶକଙ୍କ ପାଇଁ ମୋଟ ୧୮,୨୦୦ ଟିକେଟ ବିକ୍ରି ହେବାକୁ ନିଷତ୍ତି ହୋଇଛି। ୧୦,୦୫୦ କାଉଣ୍ଟରରେ ଏବଂ ୮୧୫୦ ଅନଲାଇନରେ ହେବ। ଏହାବାଦ୍ ୮୯୪୬ ଟିକେଟ୍ ବିସିସିଆଇ ଓ ଓସିଏ ଆଫିଲିଟେଡକୁ ଦିଆଯିବ। ଦିନିକିଆ ମ୍ୟାଚ୍ ହେତୁ ସାଧାରଣ ଦର୍ଶକ ଷ୍ଟାଡିୟମରେ ପ୍ରାୟ ୭ରୁ ୮ ଘଣ୍ଟା ଧରି ରହିବେ। ତେଣୁ ଦର୍ଶକଙ୍କ ସୁବିଧା ଲାଗି ଏଥର ଗ୍ୟାଲେରୀରେ ଟଏଲେଟ୍ ବ୍ୟବସ୍ଥା କରାଯାଇଛି। ଏହାଛଡ଼ା ଗ୍ୟାଲେରୀ ଭିତରେ ଖାଦ୍ୟପାନୀୟର ମଧ୍ୟ ସୁବ୍ୟବସ୍ଥା କରାଯିବ। ପୂର୍ବ ମ୍ୟାଚ୍ ଗୁଡ଼ିକରେ ଗ୍ୟାଲେରୀରେ ଖାଦ୍ୟ ଦର ଅତ୍ୟଧିକ ହୋଇଥିବାରୁ ସାଧାରଣ ଦର୍ଶକ ଏହାର ଅଭିଯୋଗ କରିଥିଲେ। କିନ୍ତୁ ଏଥର ଗ୍ୟାଲେରୀରେ ଦର୍ଶକ ନ୍ୟୂନତମ ମୂଲ୍ୟରେ ଯେପରି ଖାଦ୍ୟ ସାମଗ୍ରୀ ପାଇବେ, ସେଥିପ୍ରତି ବିଶେଷ ଧ୍ୟାନ ଦିଆଯାଇଛି।ପ୍ରାୟ ଅଢ଼େଇ ବର୍ଷ ପରେ ବାରବାଟୀକୁ ଦିନିକିଆ ମ୍ୟାଚ୍ ଫେରୁଥିବାରୁ ଏହାକୁ ସଫଳତାପୂର୍ବକ ସମ୍ପନ୍ନ କରିବା ପାଇଁ ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ ଲାଗି ପଡ଼ିଥିବା ଓସିଏ ସମ୍ପାଦକ ସଂଜୟ ବେହେରା ଆଜି ସମ୍ବାଦିକ ସମ୍ମଳନୀରେ କହିଛନ୍ତି। ଏହି ସମ୍ବାଦିକ ସମ୍ମଳନୀରେ ପୂର୍ବତନ ଓସିଏ ସଂମ୍ପାଦକ ଆର୍ଶୀବାଦ ବେହେରା, ବରିଷ୍ଠ ବିଜେଡ଼ି ବିଧାୟକ ଚନ୍ଦ୍ରସାରଥୀ ବେହେରା, ଓସିଏ ସଭାପତି ପଂକଜ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *