T-20 ବିଶ୍ୱକପ: ଗୋଟିଏ ଗ୍ରୁପରେ ଭାରତ ପାକିସ୍ତାନ

ପୁଣି କମ୍ପିବ କ୍ରିକେଟ୍ ପଡିଆ,ଝୁମିବେ ଦର୍ଶକ। ଭାରତ ଓ ପାକିସ୍ତାନ ପୁଣିଥରେ କ୍ରିକେଟ୍ ମଇଦାନରେ ମୁହାଁମୁହିଁ ହେବାକୁ ଯାଉଛନ୍ତି। ୨୦୧୯ ଦିନିକିଆ ବିଶ୍ୱକପ୍ ପରେ ଆଉ ଏକ କ୍ରିକେଟ୍ ମହାକୁମ୍ଭରେ ଭାରତ ଓ ପାକିସ୍ତାନ ମଧ୍ୟରେ ଟକ୍କର ହେବ। ଅକ୍ଟୋବର ମାସରେ ୟୁଏଇ ଓ ଓମାନରେ ଆୟୋଜିତ ହେବାକୁ ଯାଉଥିବା ଆଇସିସି ଟି-୨୦ ବିଶ୍ୱକପ୍ ପାଇଁ ଆଇସିସି ଟିମ୍ ଗ୍ରୁପ ଘୋଷଣା କରିଛି। ଯେଉଁଥିରେ ଭାରତ ଓ ପାକିସ୍ତାନ ଗୋଟିଏ ଗ୍ରୁପରେ ସ୍ଥାନ ପାଇଛନ୍ତି।ଉଭୟ ଭାରତ ଓ ପାକିସ୍ତାନ ଟି-୨୦ ବିଶ୍ୱକପ୍ର ଗ୍ରୁପ୍-ବିରେ ରହିଛନ୍ତି। ଏହି ଗ୍ରୁପରେ ଭାରତ ଓ ପାକିସ୍ତାନ ବ୍ୟତୀତ ନ୍ୟୁଜିଲ୍ୟାଣ୍ଡ, ଆଫଗାନିସ୍ତାନ ଓ ରାଉଣ୍ଡ-1ର ଅନ୍ୟ ଦୁଇ କ୍ୱାଲିଫାୟର୍ସ ଟିମ୍ ରହିବେ। ସେହିପରି ଗ୍ରୁପ୍-ଏ ରେ ଡିଫେଣ୍ଡିଂ ଚାମ୍ପିୟନ୍ ୱେଷ୍ଟଇଣ୍ଡିଜ୍, ଇଂଲଣ୍ଡ, ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ସହ ଦୁଇ କ୍ୱାଲିଫାୟର୍ସ ଟିମ୍ ରହିବେ। ଶେଷଥର ପାଇଁ ୨୦୧୯ରେ ଇଂଲଣ୍ଡରେ ଅନୁଷ୍ଠିତ ଦିନିକିଆ ବିଶ୍ୱକପରେ ଭାରତ ଓ ପାକିସ୍ତାନ ଗୋଟିଏ ଗ୍ରୁପରେ ସ୍ଥାନ ପାଇଥିଲେ। ଏବେ ପୁଣିଥରେ ଭାରତ ଓ ପାକିସ୍ତାନ ଗୋଟିଏ ଗ୍ରୁପରେ ସ୍ଥାନ ପାଇଥିବାରୁ ଫ୍ୟାନଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ ଦେଖିବାକୁ ମିଳିଲାଣି। ଟି-୨୦ ବିଶ୍ୱକପ୍ ଚଳିତ ବର୍ଷ ଅକ୍ଟୋବର ୧୭ରୁ ନଭେମ୍ବର ୧୪ ତାରିଖ ଯାଏ ୟୁଏଇ ଓ ଓମାନରେ ଆୟୋଜିତ ହେବ। ତେବେ ଟୁର୍ଣ୍ଣାମେଣ୍ଟର ଆୟୋଜନ ଭାର ଭାରତ ହାତରେ ରହିଛି। କରୋନା ମହାମାରୀର ଯୋଗୁ ଭାରତରେ ଟି-୨୦ ବିଶ୍ୱକପ୍ କରାଯାଇପାରିବ ନାହିଁ ବୋଲି ବିସିସିଆଇ ସ୍ପଷ୍ଟ କରିଦେଇଥିଲା। ଯାହା ପରେ ଟି-୨୦ ବିଶ୍ୱକପକୁ ୟୁଏଇରେ ଆୟୋଜନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା।ଶୁକ୍ରବାର ଆଇସିସି ଟି-୨୦ ବିଶ୍ୱକପ୍ର ଗ୍ରୁପ ଘୋଷିତ କରିଛି। ରାଉଣ୍ଡ-1ରେ ୮ଟି ଟିମକୁ ଦୁଇଟି ଗ୍ରୁପରେ ଭାଗ କରାଯାଇଛି। ରାଉଣ୍ଡ ଓ୍ୱାନର ଗ୍ରୁପ୍-ଏ’ରେ ଶ୍ରୀଲଙ୍କା, ଆୟର୍ଲ୍ୟାଣ୍ଡ, ନେଦରଲ୍ୟାଣ୍ଡ ଓ ନାମିବିଆ ରହିଛନ୍ତି। ଗ୍ରୁପ୍-ବି’ରେ ବାଂଲାଦେଶ, ସ୍କଟଲ୍ୟାଣ୍ଡ, ପପୁଆ ନ୍ୟୁ ଗିନି ଓ ଓମାନ୍ ଟିମ୍ ସ୍ଥାନ ପାଇଛନ୍ତି। ଉଭୟ ଗ୍ରୁପ୍ର ଶୀର୍ଷ ଦୁଇ ଟିମ୍ ସୁପର୍-୧୨କୁ କ୍ୱାଲିଫାଏ କରିବେ।

Leave a Reply

Your email address will not be published. Required fields are marked *