କରୋନା ପାଇଁ ବିଶ୍ୱବାସୀ ଭୟଭୀତ। ପ୍ରତ୍ୟେକ ଦିନ ହଜାର ହଜାର ଲୋକ କରୋନାରେ ଶିକାର ହେବା ସହ ଅନେକ ଲୋକ ପ୍ରାଣ ହରାଉଛନ୍ତି। କରୋନା ମୁକାବିଲା ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଠାରୁ ଆରମ୍ଭ କରି ବିଭିନ୍ନ ଦେଶ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି। ତଥାପି ଏହାକୁ ରୋକିବାରେ ସଫଳ କେହି ହେଉନାହାଁନ୍ତି। ସାରା ବିଶ୍ୱରେ ଦ୍ରୁତ ଗତିରେ ବ୍ୟାପିଚାଲିଛି ଏହି ଭାଇରସ। ପ୍ରତ୍ୟେକ ଦିନ ପାଖାପାଖି 50 ହଜାରରୁ ଅଧିକ ଲୋକଙ୍କୁ ସଂକ୍ରମଣ କରୁଛି କରୋନା ଭାଇରସ। ଏହି ସଂଖ୍ୟା ଅତି ଖୀପ୍ର ଗତିରେ ବୃଦ୍ଧି ମଧ୍ୟ ପାଉଛି। ଏହାସହ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିଚାଲିଛି। ଆଜି ସୁଦ୍ଧା କରୋନା ଭାଇରସରେ ଆକ୍ରାନ୍ତଙ୍କ ସଂଖ୍ୟା 7 ଲକ୍ଷ 23 ହଜାର ପାର କରିଛି। ଅନ୍ୟପଟେ ଭାରତ ଭଳି ସର୍ବାଧିକ ଲୋକସଂଖ୍ୟା ରାଷ୍ଟ୍ର ଏହି ମହାମାରୀକୁ ମାକାବିଲା କରିବାରେ କିଛି ମାତ୍ରାରେ ସଫଳ ହୋଇଛି। ଆରମ୍ଭରୁ ଲକଡାଉନ୍ ଘୋଷଣା କରିଥିବାରୁ 130 କୋଟି ଜନସଂଖ୍ୟା ଦେଶ ଭାରତରେ ଏପର୍ଯ୍ୟନ୍ତ ମାତ୍ର 1000 କରୋନାରେ ଆକ୍ରାନ୍ତ ହୋଇଛନ୍ତି ଏବଂ ମୃତ୍ୟୁ ସଂଖ୍ୟା ମାତ୍ର 29 ଛୁଇଁଛି। ଏମାନଙ୍କ ମଧ୍ୟରୁ 100 ଜଣ ଭଲ ହୋଇ ଘରକୁ ମଧ୍ୟ ଫେରିଛନ୍ତି। ଅନ୍ୟ ପଟେ ବିଶ୍ୱର ଶକ୍ତିଶାଳୀ ଦେଶ ଆମେରିକା, ସ୍ପେନ୍, ଇଟାଲୀ, ଜର୍ମାନୀ, ଫ୍ରାନ୍ସ , ଚୀନ ଓ ଇଂଲଣ୍ଡ ସ୍ଥିତି ସଙ୍ଗୀନ। ଆମେରିକାରେ ଏପର୍ଯ୍ୟନ୍ତ ସର୍ବାଧିକ 1 ଲକ୍ଷ 43 ହଜାର ଲୋକ ଆକ୍ରାନ୍ତ ହୋଇଥିବା ବେଳେ 25 ଶହରୁ ଅଧିକ ଲୋକଙ୍କ ଜୀବନ ଗଲଣା। ସେହିପରି ଇଟାଲୀରେ 10 ହଜାରରୁ ଅଧିକ, ସ୍ପେନରେ 7 ହଜାର, ଫ୍ରାନ୍ସରେ 2700, ଚୀନରେ 3300 ଇରାନରେ 2700 ଓ ଇଂଲଣ୍ଡରେ 1200ରୁ ଅଧିକ ଲୋକଙ୍କ ଜୀବନ ଯାଇସାରିଲାଣି। ଏପରି ସ୍ଥିତିରେ 130 କୋଟି ଜନସଂଖ୍ୟା ବିଶିଷ୍ଟ ଦେଶ ଭାରତରେ ମାତ୍ର 1 ହଜାର ଲୋକ ଆକ୍ରାନ୍ତ ହେବାସହ 29 ଜଣଙ୍କ ମୃତ୍ୟୁ ହୋଇଛି। ଲକଡାଉନ୍ ଯୋଗୁ ଏପରି ସମ୍ଭବ ହୋଇଥିବା ଅନେକ କହୁଛନ୍ତି ଏବଂ ଆଗାମୀ ଦିନରେ ଏହାକୁ ଯଦି ଆହୁରି କଡ଼ାକଡ଼ି ପାଳନ କରାଯାଏ ତେବେ ସମ୍ପୂର୍ଣ୍ଣ ଭାବେ କରୋନାକୁ ଭାରତରେ ରୋକା ଯାଇପାରିବ ବୋଲି କୁହାଯାଉଛି।