ଷ୍ଟାଡିୟମ ପ୍ରସ୍ତୁତ, ଖେଳାଳି ବି ପ୍ରସ୍ତୁତ କେବଳ ଅପେକ୍ଷା ୨୦୧୯ ବିଶ୍ୱକପର ପ୍ରଥମ ସେମିଫାଇନାଲକୁ । ଆଉ ମାତ୍ର କେଇ ଘଣ୍ଟାର ଅପେକ୍ଷା, ସାମ୍ନା ସାମ୍ନି ହେବେ ବିଶ୍ୱର ଦୁଇ ଶକ୍ତିଶାଳୀ ଦଳ ଭାରତ ଓ ନ୍ୟୁଜିଲାଣ୍ଡ। ବିରାଟ କୋହଲିଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ସେମି ଫାଇନାଲରେ ନ୍ୟୁଜିଲାଣ୍ଡକୁ ଭେଟିବ । ବିଶ୍ଵକପ ୨୦୧୯ର ପ୍ରଥମ ସେମି ଫାଇନାଲ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ମାଞ୍ଚେଷ୍ଟରର ଓଲ୍ଟ ଟ୍ରାଫର୍ଡ ମୈଦାନରେ ମଙ୍ଗଳବାର ଖେଳାଯିବ। ଏହି ମୁକାବିଲା ଉପରେ ସମଗ୍ର ଦୁନିଆର କ୍ରିକେଟ୍ ପ୍ରଶଂସକଙ୍କ ନଜର ରହିଛି। ଭାରତୀୟ ସମୟ ୩ଟାରେ ଏହି ମ୍ୟାଚ ଖେଳାଯିବ ।
ମଙ୍ଗଳବାର ଆଇସିସି ବିଶ୍ୱକପର ସେମିଫାଇନାଲରେ ନ୍ୟୁଜିଲ୍ୟାଣ୍ଡକୁ ହରାଇ ଫାଇନାଲ୍ ଟିକେଟ୍ ହାସଲ କରିବା ଲକ୍ଷ୍ୟରେ ମଇଦାନକୁ ଓହ୍ଲାଇବ ଦୁଇ ଥରର ଚାମ୍ପିଅନ୍ ଭାରତୀୟ ଟିମ୍ । ବିଶ୍ୱକପ୍ ଇତିହାସରେ ପ୍ରଥମଥର ସେମିଫାଇନାଲରେ ନ୍ୟୁଜିଲ୍ୟାଣ୍ଡକୁ ଭେଟିବ ଭାରତ । ଲିଗ୍ ମ୍ୟାଚ ଗୁଡିକରେ ଆକର୍ଷଣୀୟ ଖେଳ ପ୍ରଦର୍ଶନ କରି ପଏଣ୍ଟ ଟେବୁଲରେ ଶୀର୍ଷରେ ରହିଥିବା ଭାରତୀୟ ଦଳର ସବୁ ଖେଳାଳି ବର୍ତ୍ତମାନ ରିଲାକ୍ସ ଏବଂ ସମସ୍ତଙ୍କ ମନୋବଳ ଦୃଢ ଅଛି ।
ସେପଟେ ନ୍ୟୁଜିଲାଣ୍ଡକୁ ହାଲକାରେ ନେବନି ଟିମ୍ ଇଣ୍ଡିଅ। ଯଦିଓ ଲିଗ ମ୍ୟାଚ ବର୍ଷା କାରଣରୁ ଖେଳାଯାଇପାରିନଥିଲା ତେବେ ବିଶ୍ୱକପ ଆଗରୁ ଅଭ୍ୟାସ ମ୍ୟାଚରେ ନ୍ୟୁଜିଲାଣ୍ଡ ଠାରୁ ଭାରତ ପରାସ୍ତ ହୋଇସାରିଛି । ତେଣୁ କାଲିର ସେମିଫାଇନାଲ ମ୍ୟାଚରେ ଭାରତ ନୂତନ ରଣକୌଶଳ ସହ ପଡିଆକୁ ଓହ୍ଲାଇବାକୁ ଲକ୍ଷ୍ୟ ରଖିଛି । ୧୧ ବର୍ଷ ତଳେ ଏହି ଦୁଇ ଦଳ ଭାରତ ଓ ନ୍ୟୁଜିଲାଣ୍ଡ ୧୯ ବର୍ଷରୁ କମ୍ ବିଶ୍ବକପ୍ ସେମିଫାଇନାଲରେ ମଧ୍ୟ ମୁହାଁମୁହିଁ ହୋଇଥିଲେ। ସେତେବେଳେ ମଧ୍ୟ ନ୍ୟୁଜିଲାଣ୍ଡ ଦଳର ଅଧିନାୟକ ୱିଲିୟମସନ ଥିବାବେଳେ ଭାରତୀୟ ଦଳର ଅଧିନାୟକ କୋହଲି ଥିଲ । ଏବ ମଧ୍ୟ ଏହି ଦୁଇ ଜଣ ଏବେ ନିଜ ନିଜ ଦଳର ଅଧିନାୟକ ଅଛନ୍ତିା ଭାରତ ସେହି ମ୍ୟାଚ୍କୁ ୩ ୱିକେଟରେ ରୋମାଞ୍ଚକ ଭାବେ ଜିତିବା ସହିତ ପରବର୍ତୀ ସମୟରେ କୋହଲିଙ୍କ ଅଧିନରେ ମଧ୍ୟ ୧୯ ବର୍ଷରୁ କମ୍ ବିଶ୍ବକପ୍ ବିଜେତା ହୋଇଥିଲା। ଏବେ ଇତିହାସ ଦୋହରାଇବା ଆଶାରେ ରହିଛନ୍ତି କୋହଲି ।
ଦିନିକିଆ କ୍ରିକେଟରେ ଉଭୟ ଦଳ ମଧ୍ୟରେ ହୋଇଥିବା ମୁକାବିଲା ଉପରେ ଯଦି ନଜର ପକାଯାଏ, ଉଭୟ ବର୍ତ୍ତମାନ ସୁଦ୍ଧା ୧୦୬ଟି ମ୍ୟାଚ ଖେଳିଛନ୍ତି । ସେଥି ମଧ୍ୟରୁ ଭାରତ ୫୫ଟି ମ୍ୟାଚ ଜିତିଥିବା ବେଳେ ନ୍ୟୁଜିଲାଣ୍ଡ ୪୫ଟି ମ୍ୟାଚ ଜିତିଛି । ଏହା ସହିତ ଗୋଟିଏ ମ୍ୟାଚ ଟାଇ ହୋଇଥିବା ବେଳେ ୫ଟି ମ୍ୟାଚ ବାତିଲ ହୋଇଛି । ସେହିପରି ବିଶ୍ୱକପରେ ୮ଟି ମ୍ୟାଚ ମଧ୍ୟରୁ ନ୍ୟୁଜିଲାଣ୍ଡ ୪ଟି ମ୍ୟାଚ ଜିତିଥିବା ବେଳେ ଟିମ୍ ଇଣ୍ଡିଆ ୩ଟି ମ୍ୟାଚ ଜିତିଛି ଏବଂ ଗୋଟିଏ ମ୍ୟାଚ ବର୍ଷା କାରଣରୁ ବାତିଲ ହୋଇଛି । ବିଶ୍ୱକପର ପ୍ରଥମ ସେମିଫାଇନାଲ ମ୍ୟାଚରେ କିନ୍ତୁ ଅନେକ ଭାରତକୁ ଫେବରାଇଟ୍ କହିଛନ୍ତି, ଭାରତ ଏହି ମ୍ୟାଚରେ ସହଜରେ ଜିତିବ ବୋଲି ଅନେକ ଖେଳାଳି କହିଛନ୍ତିା ବଡ ମ୍ୟାଚରେ ନ୍ୟୁଜିଲାଣ୍ଡ ପ୍ରେସର ହ୍ୟାଣ୍ଡଲ କରିପାରେନି, ତେଣୁ ଏହି ମ୍ୟାଚରେ ଭାରତର ପଲ୍ଲା ଭାରି ରହିବ ବୋଲି ଅନେକ ମତ ଦେଇଛନ୍ତିା