ପାକିସ୍ତାନକୁ ହାତରେ ନ ମାରି ଭାତରେ ମାରିବାକୁ ଭାରତ ପ୍ରସ୍ତୁତି ଆରମ୍ଭ କରିଛି। ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ଏବେ କେନ୍ଦ୍ର ସରକାର ପାକିସ୍ତାନକୁ ଜମ୍ମୁ-କଶ୍ମୀର ବାଟଦେଇ ଯାଉଥିବା ପାଣି ବନ୍ଦ କରିବା ଲାଗି ପ୍ରସ୍ତୁତି ଆରମ୍ଭ କରିଛନ୍ତି। ସିନ୍ଧୁନଦୀ ଜଳଚୁକ୍ତିକୁ ଉଲ୍ଲଂଘନ ନ କରି କିପରି ପାକିସ୍ତାନ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରିବ, ସେନେଇ କେନ୍ଦ୍ର ସରକାର ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି। ଭାରତର ଏଭଳି ପ୍ରୟାସକୁ ପାକିସ୍ତାନ ସମାଲୋଚନା କରିଛି। କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱାତ୍ ଭାରତରେ ପ୍ରବାହିତ ନଦୀ ଜଳ ଉପରେ ଆମର ପୂର୍ଣ୍ଣ ଅଧିକାର ରହିଛି ବୋଲି ବୁଧବାର କହିଛନ୍ତି। ଏହି ପାଣି ଆମେ କ’ଣ କରିବୁ ତାହା ଆମର ବ୍ୟକ୍ତିଗତ ଅଧିକାର ବୋଲି ସେ ପ୍ରକାଶ କରିଛନ୍ତି। ପାକିସ୍ତାନଠାରୁ ଏନେଇ ଅନୁମତି ଅଣାଯିବାର କୌଣସି ଆବଶ୍ୟକତା ନାହିଁ ବୋଲି ସେ ଆକ୍ଷେପ କରି କହିଛନ୍ତି। ପାକିସ୍ତାନକୁ ପାଣି ବନ୍ଦ ନେଇ ଯୋଜନା ପ୍ରସ୍ତୁତି ଚାଲିଛି ଓ କ୍ୟାବିନେଟ ଅନୁମୋଦନ ପରେ ଚୂଡ଼ାନ୍ତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଶେଖାୱାତ୍ ପ୍ରକାଶ କରିଛନ୍ତି।