ବିରଳ ରେକର୍ଡ, ସବୁ ସିଜିନରେ ବିଶ୍ୱକପ ଜିତିବାରେ ପ୍ରଥମ ଦେଶ ହେବାକୁ ଯାଉଛି ଭାରତ

ରବିବାର ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ ଗ୍ରାଣ୍ଡ ଫିନାଲେ। ଭାରତର ମୁକାବିଲା ଅଷ୍ଟ୍ରେଲିଆ ସହ ହେବ। ଦୁଇ ଦଳଙ୍କ ମଧ୍ୟରେ ହେବ ଟକ୍କର । ଫାଇନାଲ ପାଇଁ ଉଭୟ ଟିମ୍‌ ଅଭ୍ୟାସ ଜୋରଦାର କରିଛନ୍ତି। ବିଶ୍ୱକପ ଫାଇନାଲ ମ୍ୟାଚ ଦେଖିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ଅଷ୍ଟ୍ରେଲିଆ ଉପ ପ୍ରଧାନମନ୍ତ୍ରୀ ରିଚାର୍ଡ ମାଲର୍ସ ମଧ୍ୟ ଉପସ୍ଥିତି ରହିବେ । ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ମୋଟେରାର ନରେନ୍ଦ୍ର ମୋଦି ଷ୍ଟାଡିୟରେ ଖେଳାଯିବାକୁ ଥିବା ମ୍ୟାଚ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡାକଡ଼ି କରିଛନ୍ତି । ଏହି ମ୍ୟାଚ ପାଇଁ 6000ରୁ ଅଧିକ ପୋଲିସ କର୍ମୀ ନିୟୋଜିତ ରହିଛନ୍ତି ।  ଅହମ୍ମଦାବାଦ ସ୍ଥିତ ନରେନ୍ଦ୍ର ମୋଦି ଷ୍ଟାଡିୟମ୍‌ରେ ଫାଇନାଲ ମ୍ୟାଚ୍ ଖେଳାଯିବା ପୂର୍ବରୁ 10 ମିନିଟ୍ ଧରି ଏୟାର ଶୋ’ ପ୍ରଦର୍ଶନ କର୍ଯ୍ୟକ୍ରମ ରହିଛି। ସୂର୍ଯ୍ୟକିରଣ ଏରୋବେଟିକ୍ ଦଳ 9ଟି ଏୟାରକ୍ରାଫ୍ଟ ସହ ବିଭିନ୍ନ ସ୍ଥାନରେ ପ୍ରଦର୍ଶନ କରିବେ। ଏହି ସମାରୋହରେ ଅନେକ ବଲିଉଡ୍‌ ଷ୍ଟାର୍‌ ନିଜର ଜଲଓ୍ଵା ଦେଖାଇବେ ।

ସେପଟେ ଭାରତ ଅଷ୍ଟ୍ରେଲିଆ ମ୍ୟାଚକୁ ନେଇ ନାନା କଳ୍ପନା ଜଳ୍ପନା ଲାଗି ରହିଛି। ମ୍ୟାଚ ପୂର୍ବରୁ ଉଭୟ ଦଳ ଜୋରଦାର ଅଭ୍ୟାସ କରିଛନ୍ତି। ଭାରତ ଯଦି ଅଷ୍ଟ୍ରେଲିଆକୁ ପରାସ୍ତ କରୁଛି ତେବେ 3 ଥର ଦିନିକିଆ ବିଶ୍ୱକପ ଚାମ୍ପିୟନ ହେବାର ଗୌରବ ଅର୍ଜନ କରିବ। ଦିନିକିଆ ବିଶ୍ୱକପରେ ଅଷ୍ଟ୍ରେଲିଆ ସର୍ବାଧିକ 5 ଥର ଚାମ୍ପିୟନ ହୋଇଥିବା ବେଳେ ଏହା ତଳକୁ ଭାରତ ଓ ଓ୍ୱେଷ୍ଟ ଇଣ୍ଡିଜ୍ ଦଳ 2 ଥର ଲେଖାଏଁ ଚାମ୍ପିୟନ ହୋଇଛନ୍ତି।  ଚଳିତ ବିଶ୍ୱକପ ପୂର୍ବରୁ ଭାରତକୁ 3 ଥର ଫାଇନାଲ ଖେଳିବାରେ ସୁଯୋଗ ମିଳିଥିବା ବଳେ ସେଥିରୁ 2 ଥର ଚାମ୍ପିୟନ ହୋଇଥିଲା । ତେବେ ରବିବାର ଯଦି ଭାରତ ଅଷ୍ଟ୍ରେଲିଆକୁ ପରାସ୍ତ କରୁଛି ତେବେ ସବୁ ସିଜିନରେ ବିଶ୍ୱକପ ଜିତିବାରେ ପ୍ରଥମ ଦେଶ ହେବ ଭାରତ। କାରଣ ଏହା ପୂର୍ବରୁ 1983 ମସିହା ଜୁନ 25 ତାରିଖରେ ଭାରତ ଫାଇନାଲ ଖେଳିବା ସହ ଓ୍ୱେଷ୍ଟ ଇଣ୍ଡିଜକୁ 43 ରନରେ ପରାସ୍ତ କରି ପ୍ରଥମ ଥର ପାଇଁ ଚାମ୍ପିୟନ ହୋଇଥିଲା। ଜୁନ ମାସରେ ସାଧାରଣତଃ ଭାରତରେ ପ୍ରବଳ ବର୍ଷା ହୋଇଥାଏ ବା ବର୍ଷା ସିଜିନ ଚାଲିଥାଏ । ଏହାପରେ ଭାରତ ଦ୍ୱିତୀୟ ଥର ଚାମ୍ପିୟନ ହୋଇଥିଲା 2011 ମସିହା ଏପ୍ରିଲ 2 ତାରିଖରେ। ମୁମ୍ବାଇର ଓ୍ୱାଙ୍ଖଡେ ଷ୍ଟାଡ଼ିୟମରେ ଖେଳାଯାଇଥିବା ଫାଇନାଲ ମ୍ୟାଚରେ ଭାରତ 6 ଓ୍ୱିକେଟରେ ଶ୍ରୀଲଙ୍କାକୁ ପରାସ୍ତ କରି ଦ୍ୱିତୀୟ ଥର ପାଇଁ ଦିନିକିଆ ବିଶ୍ୱକପ ଟ୍ରଫି ହାତେଇଥିଲା।  ପ୍ରବଳ ଖରା ଓ ଗରମରେ ଏହି ଦିବାରାତ୍ରୀ ମ୍ୟାଚ ଆରମ୍ଭ ହୋଇଥିଲା। ଏପ୍ରିଲ ମାସରେ ସାଧାରଣତଃ ପ୍ରବଳ ଖରା ଓ ଗରମ ହୋଇଥାଏ ବା ଏହାକୁ ଖରାଦିନ ବୋଲି ଆମେ କହିଥାଉ। ତେବେ ରବିବାର ଖେଳାଯିବାକୁ ଥିବା 2023 ବିଶ୍ୱକପ ନଭେମ୍ବର ମାସ ବା ଶୀତଦିନରେ ଖେଳାଯାଉଛି। ଯଦି ଭାରତ ରବିବାର ଅଷ୍ଟ୍ରେଲିଆକୁ ପରାସ୍ତ କରିବ ତେବେ 3ଥର ଚାମ୍ପିୟନ ହେବାର ଗୌରବ ଅର୍ଜନ କରିବା ସହ ସବୁ ସିଜିନରେ ପ୍ରଥମ ଦେଶ ଭାବେ ଭାରତ ଟ୍ରଫି ଜିତିବାର ରେକର୍ଡ କରିବ। ଏହା ପୂର୍ବରୁ କୈଣସି ଦଳ ସବୁ ସିଜିନରେ ଦିନିକିଆ ବିଶ୍ୱକପ ଟ୍ରଫି ଜିତିନଥିବା ବେଳେ ଭାରତ ନାଁରେ ଏହି ବିରଳ ରେକର୍ଡ ହେବାକୁ ଯାଉଛି।

Leave a Reply

Your email address will not be published. Required fields are marked *