ଲଘୁଚାପ ନେଇପାରେ ବାତ୍ୟା ରୂପ, ଆସନ୍ତା ୪୮ ଘଣ୍ଟାରେ ସ୍ପଷ୍ଟ ହେବ ଚିତ୍ର ଦାନା ବାନ୍ଧୁଛି ବାତ୍ୟା। ଆସନ୍ତା ୪୮ ଘଣ୍ଟା ଭିତରେ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ଘନୀଭୂତ ହୋଇ ଲଘୁଚାପରେ ପରିଣତ ହୋଇପାରେ। ଏହା ବାତ୍ୟା ରୂପ ନେଇପାରେ ବୋଲି କୁହାଯାଉଛି। ତେବେ ସମ୍ଭାବ୍ୟ ଲଘୁଚାପ ବା ବାତ୍ୟାର ପ୍ରଭାବ ଓଡ଼ିଶା ଉପରେ ନାହିଁ ବୋଲି କୁହାଯାଉଛି। ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ (ଆଇଏମ୍ଡି) ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ରଙ୍କ କହିବାନୁଯାୟୀ ଦକ୍ଷିଣ ଆଣ୍ଡାମାନ ସାଗର ଓ ପାଶ୍ୱର୍ବର୍ତ୍ତୀ ଅଞ୍ଚଳ ଉପରେ ଏକ ଘୂର୍ଣ୍ଣିବଳୟ ରହିଛି । ଆସନ୍ତା ୪୮ ଘଣ୍ଟା ଭିତରେ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଏହା ଲଘୁଚାପ ରୂପ ନେବା ସମ୍ଭାବନା ଅଛି । ପରବର୍ତ୍ତୀ ୪୮ ଘଣ୍ଟାରେ ଏହା ଆହୁରି ଘନୀଭୂତ ହୋଇପାରେ । ତେବେ ଏହା କେତେ ବାତ୍ୟା ରୂପ ନେବ କି ନାହିଁ, ଏହା କେଉଁ ଉପକୂଳ ଆଡ଼କୁ ଗତି କରିବ, ଏବେଠାରୁ ସେ ନେଇ କୌଣସି ଆକଳନ କରାଯାଇନାହିଁ । ତଥାପି ବର୍ତ୍ତମାନର ଆକଳନରୁ ଜଣାପଡ଼ୁଛି, ଏହାର ପ୍ରଭାବ ଓଡ଼ିଶା ଉପରେ ପଡ଼ିବା ସମ୍ଭାବନା ପରିଲକ୍ଷିତ ହେଉନାହିଁ । ତେବେ ପାଣିପାଗ ବିଭାଗ ଏହାର ଗତିବଧି ଉପରେ ନଜର ରଖିଛି ।