ପିଲା ହେଲାନି ବୋଲି ଜୀବନ ହାରିଲେ ଉଚ୍ଚ ଶିକ୍ଷିତ ସ୍ୱାମୀ-ସ୍ତ୍ରୀ। ରାଉରକେଲା ଏନ୍ଆଇଟିର ଆସୋସିଏଟ୍ ପ୍ରଫେସର ଓ ତାଙ୍କ ପତ୍ନୀ ଆତ୍ମହତ୍ୟା କରିଥିବା ଖବର ଏବେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଲ୍ୟାବୋରୋଟାରୀରେ ବ୍ୟବହୃତ ରାସାୟନିକ ଦ୍ରବ୍ୟ ପିଇ ସ୍ୱାମୀ-ସ୍ତ୍ରୀ ଆତ୍ମହତ୍ୟା କରିଥିବା ଜଣାପଡିଛି। ଆତ୍ମହତ୍ୟା କରିବା ପୂର୍ବରୁ ପରିବାର ଲୋକଙ୍କୁ କ୍ଷମା ମାଗିବା ସହ ଚାରି ପୃଷ୍ଟାର ଏକ ସୁଇସାଇଡ ନୋଟ ଛାଡି ଯାଇଛନ୍ତି ଏହି ଦମ୍ପତି । ବିବାହର ୯ ବର୍ଷ ପରେ ବି କୌଣସି ପିଲା ହୋଇନଥିବାରୁ ଏଭଳି ପଦକ୍ଷେପ ନେଇଥିବା ସୁଇସାଇଡ ନୋଟରେ ଲଖାଥିବା ଜଣାପଡିଛି। ପୁଲିସ ସେହି ସୁଇସାଇଡ୍ ନୋଟ୍କୁ ନେଇ ବିଭିନ୍ନ ଦିଗରୁ ତଦନ୍ତ ଆରମ୍ଭ କରିଛି। ୨୦୧୧ରୁ ରାଉରକେଲା ଏନ୍ଆଇଟିରେ ଲାଇଫ ସାଇନ୍ସ ବିଭାଗରେ ଅଧ୍ୟାପନା କରୁଥିଲେ ତାମିଲନାଡୁ ମଦୁରାଇର ଆର.ଜୟବାଲାନ। ସେପଟେ ତାଙ୍କ ପତ୍ନୀ ମାଳିନୀ କେଶୱନ୍ତ ଏକ ଘରୋଇ ମେଡ଼ିକାଲ୍ରେ କାର୍ଯ୍ୟ କରୁଥିଲେ। ଉଭୟ ଏନ୍ଆଇଟି ପରିସରରେ ଥିବା ଷ୍ଟାଫ୍ କ୍ୱାର୍ଟର୍ସରେ ରହୁଥିଲେ।